ବଣାଇ (କେନ୍ୟୁଜ୍) : ଐତିହାସିକ ବଣାଇଗଡ ରାଜବାଟି। ସମୟ ବଦଳିଛି। ଶାସନ ବ୍ୟବସ୍ଥା ମଧ୍ୟ ବଦଳିଛି। ଦିନେ ବଣାଇ ଶାସନର କେନ୍ଦ୍ରବିନ୍ଦୁ ଥିବାବେଳେ ଏବେ ଇତିହାସର ସାକ୍ଷୀ ପାଲଟିଛି। ବଣାଇ ସହରର ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ରାଜବାଟି। ପ୍ରଥମ ରାଜା ୧୦୮୨ ମସିହାରେ ବୀର ପ୍ରତାପ ଭାନୁ ଇନ୍ଦ୍ର ଦେଓ ରାଜତ୍ୱ କରିଥିଲେ। ଏପଯ୍ୟର୍ନ୍ତ ଏହି ଗଡର ୫୯ତମ ରାଜା ହୋଇ ସାରିଛନ୍ତି। ତାଙ୍କ ନାଁ ବୀର କିଶୋର ଇନ୍ଦ୍ର ଦେଓ ଦେବ । ବଣାଇଗଡର ଇତିହାସ କୁହେ, ସିଂହ ଦ୍ଵୀପରୁ ସାତ ଭାଇ ଓଡିଶା ପୁରୀକୁ ଆସିଥିଲେ। ସେଇ ଭିତରୁ ପ୍ରତାପ ରାଜା ଅଲଗା ହୋଇ ଢେଙ୍କାନାଳ ଦେଇ ପହଞ୍ଚିଥିଲେ ବଣାଇକୁ। ସେତେବେଳେ ବଣାଇ ଏକ ଜଙ୍ଗଲ ପରିପୂର୍ଣ୍ଣ ଅଂଚଳ ଥିଲା। ଏଠାରେ ଭୂୟାଁ ଓ କୋହ୍ଲ ମାନଙ୍କ ରାଜତ୍ୱ ଚାଲିଥିଲା। ରାଜା ବୀର ଭୂୟାଁମାନଙ୍କ ଭୟରେ ବଣାଇ ବାବା ବାଣେଶ୍ୱର ମନ୍ଦିର ପଛରେ ପ୍ରତାପ ରାଜା ଲୁଚିଥିଲେ। ମୟୂର ପୁଚ୍ଛ ତଳେ ଲୁଚି ଯାଇଥିଲେ। ତେଣୁ ଭୂୟାଁ ଓ କୋହ୍ଲମାନେ ଆଶ୍ଚର୍ଯ୍ଯ ହୋଇ ଯାଇଥିଲେ । ତାଙ୍କ ଜାତି ପଚାରିଥିଲେ। ଜାଣିପାରିଥିଲେ କ୍ଷେତ୍ରୀୟ ବୋଲି। ତାପରେ ବଣାଇକୁ ରାଜତ୍ୱ ଭାର ଦେଇଥିଲେ। ଏହାପରେ ବଣାଇ ରାଜତ୍ୱ ଆରମ୍ଭ ହୋଇଥିଲା।
ବହୁତ ପ୍ରାଚୀନ କୋଠା ନିର୍ମାଣ ହୋଇଥିଲା। ଏବେ ଭଗ୍ନାଂଶରେ ପଡିଛି। ରାଜବାଟିରେ ରାଜମହଲ, କଚେରୀ, ରାଣୀମହଲ ପ୍ରଭୃତି ଥିଲା। କିନ୍ତୁ ଏବେ ସବୁ ଭଗ୍ନାଂଶରେ ହୋଇପଡିଛି। ଏବେ ରାଣୀ ମହଲରେ ବସବାସ କରୁଛନ୍ତି। ବଣାଇ ଭିତରେ ବହୁ ଦେବାଦେବୀ ରହିଛନ୍ତି। ବାବା ବାଣେଶ୍ୱର, ମା ବାସୁଳି, ମା କନ୍ତ, ମା କୁମାରୀ ଅନ୍ୟତମ। କିଛି ଶୁଭ କାର୍ଯ୍ଯ ହେଲେ ପ୍ରଥମେ ରାଜାଙ୍କୁ ନିମନ୍ତ୍ରଣ ଦେଲା ପରେ ଅନ୍ୟମାନଙ୍କୁ ଦେଇଥାନ୍ତି। ମନ୍ଦିର ପୂଜା ହେଲେ ବଣାଇ ରାଜା ପ୍ରଥମେ ପୂଜା କରିଲା ପରେ ଅନ୍ୟମାନେ କରିଥାନ୍ତି। ଓଡ଼ିଶାର ସର୍ବବୃହତ୍ତ ମେଳା ଥିଲା ଚୈତ୍ର ମେଳା। ଯାହାକି ଏକ ମାସରୁ ଉର୍ଦ୍ଧ୍ଵ ଦିବା ରାତ୍ରୀ ମେଳା ଚାଲୁଥିଲା। ମା କନ୍ତ ଦେବୀ ପନ୍ଦର ଦିନ ଧରି ଗାଁ ଗାଁ ବୁଲି ପୂଜା ପାଉଥିଲେ। ଦର୍ଶନ କରିବା ପାଇଁ ପ୍ରବଳ ଭିଡ ହେଉଥିଲା।
ମାତ୍ର ବଦଳି ଯାଇଛି ସମୟ। ଧୀରେ ଧୀରେ ଲୁପ୍ତ ହୋଇଗଲାଣି ଏହି ପରମ୍ପରା। ଏବେ ମେଳା କମି ଗଲାଣି। ରାଜବାଟି ଡାହାଣ ପାର୍ଶ୍ୱରେ ଅଛି ବ୍ରାହ୍ମଣୀ ନଦୀ। ବାମ ପାର୍ଶ୍ୱରେ ପୋଖରୀରେ ଥିଲା ପ୍ରଥମ ବିଦ୍ୟୁତ ମେସିନ। ରାଜବାସକୁ ବିଦ୍ୟୁତ ସେବା ଯୋଗା ହେଉଥିଲା। ବ୍ରାହ୍ମଣୀ ନଦୀରେ ଗୋଟିଏ କୂଅ ଅଛି, ଯାହାକି ପୂର୍ଣ୍ଣ ହେଲେ ବଣାଇ ସହରକୁ ପାଣି ପଶିବା ଭଳି ବିଶ୍ୱାସ ରହିଛି। ୧୯୦୨ ମସିହାରେ ରାଜା ଧରଣୀଧର ଇନ୍ଦ୍ର ଦେଓ ଦେବଙ୍କ ସମୟରେ ବଣାଇ ଷ୍ଟେଟରେ ବାର ଅଣା, ଚାରି ଅଣା, ଆଠ ଅଣା, ଚାରି ଅଣା, କଚେରୀ ଟିକେଟ ଥିଲା। ଯାହା ଏବେ ସ୍ମୃତି ହୋଇରହିଛି। ବଣାଇରେ ଚାରୋଟି ବ୍ଲକ , ସେଥିରୁ କୋଇଡା ଅନ୍ୟତମ। କୋଇଡାକୁ କେନ୍ଦୁଝର ରାଜା ଝିଅ ଦେଇଥିବାରୁ, କୋଇଡା ଅଞ୍ଚଳକୁ ଯୌତୁକ ଦେଇଥିଲେ। ଯାହାକି ଏବେ ଖଣିଖାଦାନରେ ଭରି ରହିଛି। ଯେଉଁଠୁ ଓଡିଶା ସରକାର କୋଟି କୋଟି ଟଙ୍କାର ରାଜସ୍ୱ ପାଇଥାନ୍ତି।
ଏବେ ୫୯ତମ ରାଜା ବୀରକିଶୋର ଇନ୍ଦ୍ର ଦେଓ ଦେବଙ୍କ ଧର୍ମ ପତ୍ନୀ ରାଣୀ ସୁସମେଶ୍ୱରୀ ଦେବୀ, ଝିଅ ରାଜକୁମାରୀ କରିଶ୍ମା ଦେବୀ ଓ ରାଜକୁମାର ଦିଗରାଜ ପ୍ରତାପ କିଶୋର ଦେଓ ରହିଛନ୍ତି। ରାଜକୁମାରୀ ବିବାହ କରିଛନ୍ତି। ସେଦିନ ସ୍ମୃତିକୁ ଉଜ୍ଜିବିତ ରଖିବା ପାଇଁ ଏବେବି ସାଇତା ହୋଇ ରହିଛି ରାଜାଙ୍କ କପ ପ୍ଲେଟ, ମଦ୍ୟମାନ କରିବା ସରଞ୍ଜାମ, କିଛି ପିତ୍ତଳ ସାମଗ୍ରୀ। ଯଦି ସରକାର ଏହିସବୁ ସ୍ମୃତିର ରକ୍ଷଣାବେକ୍ଷଣ ପାଇଁ ସରକାର ପଦକ୍ଷେପ ନେବେ ତାହେଲେ ଆଗ ପିଢ଼ି ଏହାର ଐତିହାସିକ ମହତ୍ୱକୁ ମନେ ରଖି ପାରିବେ।
ବଣାଇରୁ ସତ୍ୟନାରାୟଣ ମିଶ୍ର, କେନ୍ୟୁଜ୍ ଓଡ଼ିଶା