ଓଡିଶାର ମାଉଣ୍ଟେନମ୍ୟାନ, ପଢନ୍ତୁ କାହିଁକି ପଦ୍ମଶ୍ରୀ ଗୌରବ ର ହକଦାର ହେଲେ ଦୈତାରୀ ନାଏକ

ମାଞ୍ଝି ଦ ମାଉଣ୍ଟେନମ୍ୟାନଙ୍କୁ ସମସ୍ତେ ଜାଣନ୍ତି । ଏହି ନାଁରେ ଏକ ଫିଲ୍ମ ମଧ୍ୟ ରିଲିଜ୍ ହୋଇ ସାରିଛି । ନିଜ ଯିଦରେ ଅଟଳ ରହି ପାହାଡକାଟି ରସ୍ତା ନିର୍ମାଣ କରି ମାଉଣ୍ଟେନମ୍ୟାନ ଭାବେ ସେ ପରିଚିତ । ତେବେ ଏହି କାହାଣୀଟି ଥିଲା ବିହାରର ଦଶରଥ ମାଞ୍ଝିଙ୍କର ।

ଆଜି ଆମେ ଆଉ ଜଣେ ଜିଦଖୋର୍ ବ୍ୟକ୍ତିଙ୍କ ବିଷୟରେ କହିବୁ । ଏହି ଜିଦଖୋର୍ ବ୍ୟକ୍ତି କୌଣସି ଫିଲ୍ମର ନାୟକ ନୁହଁନ୍ତି କି କୌଣସି କାହାଣୀର ଚରିତ୍ର ନୁହଁନ୍ତି । ସେ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଗୋନାସିକା ଅଞ୍ଚଳର ଦୈତାରୀ ନାଏକ । ଯାହାଙ୍କ ନାମ ଚଳିତ ବର୍ଷ ପଦ୍ମଶ୍ରୀ ଆୱାର୍ଡ ପାଇଁ ଘୋଷଣା ହୋଇଛି । ଆଉ ଏହି ପଦ୍ମଶ୍ରୀ ଆଜି ଦୈତାରୀଙ୍କୁ ଅନ୍ୟ ମାନଙ୍କ ନିକଟରେ କରିଦେଇଛି ନାୟକ । ଦଶରଥ ମାଞ୍ଝିଙ୍କ ପରି ଦୈତାରୀ ପାହାଡ କାଟି ଆସିଛନ୍ତି ଚର୍ଚ୍ଚାକୁ । ପ୍ରାୟ ୩ କି.ମି ଧରି ପାହାଡ କାଟି ଝରଣା ପାଣିକୁ ନିଜ ଗ୍ରାମର ଚାଷଜମିକୁ ଆଣିବାରେ ସଫଳ ହୋଇଛନ୍ତି ଦୈତାରୀ । ଆଉ ତାଙ୍କ ଯିଦ୍ ଯୋଗୁଁ ଆଜି ପ୍ରାୟ ୪ ଶହ ଏକର ଜମିକୁ ପାଣି ମାଡି ପାରୁଛି ।

ତେବେ ଦୈତାରୀଙ୍କର ନାଏକ ରୁ ନାୟକ ହେବା ପର‌୍ୟ୍ୟନ୍ତର ଯାତ୍ରା ଏତେ ସହଜ ନଥିଲା । ସେ ଯେତେବେଳେ ଏହି ଜମିକୁ ପାଣି ମଡାଇବା କଥା ଚିନ୍ତା କରି ପାହାଡ କାଟି କେନାଲ ଖୋଳିବା ଆରମ୍ଭ କରିଥିଲେ ସେହି ଗ୍ରାମର ଲୋକମାନେ ତାଙ୍କୁ ପରିହାସ କରିଥିଲେ । କିନ୍ତୁ ତାଙ୍କ ଜିଦ୍‌ ଆଗରେ ହାର ମାନିଥିଲା ପ୍ରକୃତି, ସବୁ ବାଧାବିଘ୍ନ ଏବଂ ତାଙ୍କ କାର‌୍ୟ୍ୟ ସଫଳ ହୋଇଥିଲା । ଦୈତାରୀଙ୍କୁ ଏହି କାର‌୍ୟ୍ୟରେ ସଫଳ ହେବା ପାଇଁ ପାଖାପାଖି ତିନି ବର୍ଷରୁ ଆଧିକ ସମୟ ଲାଗିଥିଲା । ଏବେ କେନାଲ ତିଆରି ହେବା ପରେ ତାଙ୍କ ଗ୍ରାମ ତାଳବୈତରଣୀର ପ୍ରାୟ ଚାରିଶହ ଏକର ଜମି ଏବେ ଶସ୍ୟଶ୍ୟାମଳା ପୂର୍ଣ୍ଣ ହୋଇପାରିଛି । ଦିନେ ତାଙ୍କୁ ପରିହାସ କରୁଥିବା ଲୋକେ ଏବେ ତାଙ୍କୁ ଦେଖିଲେ ମୁଣ୍ଡ ପାତୁଛନ୍ତି । ତାଙ୍କୁ ପରିହାସ କରୁଥିବା ଲୋକ ଏବେ ତାଙ୍କ ପାଇଁ ଦୁଇ ଓଳି ଦୁଇ ମୁଠା ଭଲ ଖାଇବା ପାଇପାରୁଛନ୍ତି । ସେ ଏବେ ସାଧାରଣ ଲୋକଙ୍କ ପ୍ରେରଣାର ଉତ୍ସ ପାଲଟିଛନ୍ତି ।

ଦୈତାରୀଙ୍କ ଗାଁରେ ପ୍ରାୟ ୧୦୦ରୁ ଅଧିକ ଆଦିବାସୀ ପରିବାର ରୁହନ୍ତି । ବୈତରଣୀର ଉତ୍ପତିସ୍ଥଳରେ ଏହି ଗାଁରେ ହୋଇଥିଲେ ମଧ୍ୟ ବର୍ଷତମାମ ପାଣିର ଆଭାବ ରହିଥାଏ । ତେଣୁ ଗାଁରେ ଚାଷଜମିକୁ ଆବଶ୍ୟକ ମୁତାବକ୍‌ ପାଣି ପହଞ୍ଚିପାରେନି । ଚାଷତ ଦୂରକଥା ପିଇବା ପାଣି ମୁନ୍ଦେ ସଂଗ୍ରହ କରିବା ପାଇଁ ଲୋକଙ୍କୁ ୨କି.ମି ପାହାଡ ଚଢିବାକୁ ପଡିଥିଲା। ଝରଣାରୁ ଗ୍ରାମକୁ ପାଣି ଆଣି ଦେବାକୁ ଗ୍ରାମବାସୀ ପ୍ରଶାସନକୁ ବହୁବାର ଗୁହାରୀ କରିଥିଲେ। ହେଲେ କିଛି ସୁଫଳ ମିଳିପାରିନଥିଲା। ତେବେ ସେହି ଗାଁରେ ରହୁଥିବା ଦୈତାରୀଙ୍କ ଜୀବନରେ ଏମିତି ବି ମୁହୁର୍ତ୍ତ ଆସେ ଯେଉଁ ସମୟରେ ସେ ନିଜ ପିଲାଙ୍କୁ ଦୁଇ ଓଳି ଦୁଇମୁଠା ଖାଇବାକୁ ଦେଇପାରନ୍ତିନି । ଏଥିପାଇଁ ସେ ଅତ୍ୟନ୍ତ ମର୍ମାହତ ହୋଇପଡିଥିଲେ । ପିଲାମାନଙ୍କୁ କିଭଳି ଭଲ ଖାଇବା ଦେଇ ହେବ ସେଥିପାଇଁ ସେ ବାହାରି ପଡିଲେ ଘରୁ । ଏବଂ ସେ ଲାଗିପଡିଲେ କିଭଳି ତାଙ୍କ ଜମିକୁ ପାଣି ଆଣିବେ । ଏଥିପାଇଁ ତାଙ୍କ ମୁଣ୍ଡରେ କେନାଲ ଖୋଲିବା ଚିନ୍ତା ପଶିଲା । ଏହିଠାରୁ ଆରମ୍ଭ ହୋଇଥିଲା ଦୈତାରୀଙ୍କ ଦୁଃସାହାସିକ କାର‌୍ୟ୍ୟ। କାହାକୁ କିଛି ନକହି ସେ ଏକାକୀ ଲାଗିପଡିଥିଲେ ପାହାଡ ଖୋଳି କେନାଲ୍ ତିଆରି କାର‌୍ୟ୍ୟରେ। । ସେଦିନ ତାଙ୍କର ଥିଲା ଗୋଟିଏ ଜିଦ। ପାଣିକୁ ପାହାଡ ତଳକୁ ନେବି। ପ୍ରଥମେ ଗାଁ ଲୋକ ସିନା ତାଙ୍କର ଏହି କାମକୁ ପରିହାସରେ ଉଡାଇଦେଇଥିଲେ । କିନ୍ତୁ ତାଙ୍କ ପରିବାର ଲୋକ ତାଙ୍କୁ ଏହି କାମରେ ସମର୍ଥନ ଓ ସହଯୋଗ କରିଥିଲେ ।

ସାଧାରଣତନ୍ତ୍ର ଦିବସ ପୂର୍ବଦିନ ଦୈତାରୀ ନାଏକ ପଦ୍ନଶ୍ରୀ ସମ୍ମାନ ପାଇବେ ବୋଲି ସରକାରୀ ଭାବେ ଘୋଷଣା ହେବା ପରେ ନିରୀହ ସରଳ ନିଷ୍କପଟ ଦୈତାରୀ ଓ ତାଙ୍କ ପରିବାର ସମେତ ଗାଁ ରେ ଖେଳି ଯାଇଛି ଖୁସିର ଲହରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.