ନିଜର କେହି ନହେଲେ ବି ଆଜି ଛାୟାମାଆଙ୍କୁ ଝୁରୁଛି ଗାଁ, ଲୋକଙ୍କ ପାଇଁ ଥିଲେ ମଣିଷ ରୂପରେ ଭଗବାନ

ସାଲେପୁର (କେନ୍ୟୁଜ) : ଜଣେ ଥିଲେ ଅଜଣା। କଣ ନାଁ ତାଙ୍କର କେଉଁଠୁ ଆସିଲେ କିଛି ଜଣାନଥିଲା। ଅନେକ ବର୍ଷ ଧରି ଏକ ଅଞ୍ଚଳରେ ରହିଲେ। ଭିକ୍ଷା କଲେ ଆଉ ସେଥିରେ ଚଳିଲେ। ଆଉ ଭିକ୍ଷାରୁ ଯାହା ବଳିଲା ମନ୍ଦିରକୁ ଦାନ କଲେ। ନା ତାଙ୍କର ଘର ଥିଲା ନା ଥିଲା ସଂସାର। ସେ କେଉଁ ଆଡୁ ଆସିଥିଲେ କେହି ଜାଣି ନଥିଲେ। ହେଲେ ସେ ସମସ୍ତଙ୍କୁ ଭଲ ପାଉଥିଲେ। ସମସ୍ତଙ୍କୁ ନିଜ ପୁଅ ଝିଅ ବୋଲି କହୁଥିଲେ। ଅଜଣା ମଣିଷର ଏମିତି ଭଲପାଇବା ଦେଖି ସମସ୍ତେ ଭାବୁଥିଲେ ବୋଧହୁଏ ଭଗବାନ ଆସିଛନ୍ତି ମଣିଷ ରୂପରେ। ତାଙ୍କର ଦେହାନ୍ତ ପରେ କିନ୍ତୁ ତାଙ୍କ ଶବ ଅଲୋଡା ହେଇ ପଡ଼ିଲାନି। ଖବର ପାଇ ଆଖପାଖ ଅଞ୍ଚଳର କିଛି ସାମାଜିକ ଅନୁଷ୍ଠାନର ସ୍ଵେଚ୍ଛାସେବୀ ଆସିଲେ ଆଉ ସଂସ୍କାର କ୍ରିୟା ସମ୍ପର୍ଣ୍ଣ ହେଲା ସମ୍ପୂର୍ଣ୍ଣ ରୀତିନୀତିରେ।
ବିଭିନ୍ନ ସମୟରେ ନିଜ ଆତ୍ମୀୟସ୍ଵଦର ମାନେ ଥାଉ ଥାଉ ଶବ ଅଲୋଡା ହୋଇ ପଡ଼ିଥିବା ଖବର ଆପଣମାନେ ଦେଖିଥିବେ। ଏମିତି ବି ଅଜଣା ଶବ ଅଲୋଡା ହେବା ତ ବହୁଥର ଦେଖିବାକୁ ମିଳେ। ହେଲେ ଏଠି କିନ୍ତୁ ଅଲଗା। କୋକେଇ ଉଠେଇ ରାମନାମ ସତ୍ୟହେ କହି ଖାଇ କଉଡ଼ି ପକାଇ ନିଆ ବୋରିଆ ନେଇ ଶବକୁ କାନ୍ଧରେ ନେଉଥିବା ଏମାନେ ସମସ୍ତେ ଶବର ସମ୍ପର୍କୀୟ ନୁହଁନ୍ତି। ହେଲେ ଏମାନେ ସମସ୍ତେ ନୂଆ ବର୍ଷର ହରଷକୁ ଛାଡି ଆସିଛନ୍ତି ଛାୟାମାଆର ଅନ୍ତିମ ଦର୍ଶନ କରି ଶବ ସଂସ୍କାର କରିବା ପାଇଁ। ହଁ ‘ଛାୟାମାଆ’ ପରିଚୟ କହିଲେ କେବଳ ଏତିକି। ୫୦ ବର୍ଷରୁ ଉର୍ଦ୍ଧ ହେଲାଣି ସେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳରେ ରୁହନ୍ତି। ଭିକ୍ଷା କରନ୍ତି ଆଉ ଯାହା ଉପାର୍ଜନ ହୁଏ ମନ୍ଦିରକୁ ଦେଇ ଦିଅନ୍ତି। ଏଇଥି ପାଇଁ ସମସ୍ତେ ତାଙ୍କୁ ଶ୍ରଦ୍ଧା କରନ୍ତି ଭଲ ପାଆନ୍ତି। ଆଉ ଛାୟାମାଆ ବି ସମସ୍ତଙ୍କୁ ଭଲ ପାଆନ୍ତି।
କୋକେଇରେ ଶବ ନେବା ଠାରୁ ଆରମ୍ଭ କରି ଜୁଇରେ ଜଳିବା ପର୍ଯ୍ୟନ୍ତ ସାଙ୍ଗରେ ଥିବା ଏହି ସ୍ବେଚ୍ଛାସେବୀମାନେ ହେଲେ ନିଶ୍ଚିନ୍ତକୋଇଲି ସଚେତନ ନାଗରିକ ମଞ୍ଚ, ପରିବାର ସାମଜିକ ଅନୁଷ୍ଠାନ ଓ ନିଶ୍ଚିନ୍ତକୋଇଲି ବଜାର ଆଖପାଖର ସ୍ୱେଚ୍ଛାସେବୀମାନେ। ଏମାନେ ସମସ୍ତେ ଛାୟାମାଆକୁ ଜାଣନ୍ତି। ଛାୟାମାଆର ବଦାନ୍ୟତା ଆଗରେ ମୁଣ୍ଡ ନୂଆନ୍ତି ଆଉ ତାର ସ୍ନେହ ଶ୍ରଦ୍ଧାରେ ସବୁବେଳେ ବାନ୍ଧି ହୋଇଥାନ୍ତି। ଆଜି ଛାୟାମାଆ ପାଖାପାଖି ୮୦ ବର୍ଷ ବୟସରେ ରୋଗଗ୍ରସ୍ତ ହୋଇଚାଲିଯାଇଛନ୍ତି। ସେଇଥିପାଇଁ ନିଜର କେହି ନହେଲେ ବି ସ୍ଵତଃପବୃତ ଭାବରେ ଧାଇଁ ଆସିଛନ୍ତି ଛାୟାମାଆଙ୍କ ଅନ୍ତିମ ସଂସ୍କାର କରିବା ପାଇଁ। ସେମାନେଙ୍କର ଏଭଳି କାର୍ଯ୍ୟ ଆଜି ସମସ୍ତଙ୍କ ପାଇଁ ଆଦର୍ଶ ପାଲଟିଛି।