ରାସ୍ତା ଘାଟରେ ସୁନାର ଚାଉଳ ବିଞ୍ଚିଦେଲେ ବ୍ୟକ୍ତି, ଦାମ୍‌ ଏତେ ଯେ ଜଣେ ଆରାମରେ ହୋଇଯିବ ଲକ୍ଷପତି

ନଦୀ କୂଳରେ ଲକ୍ଷାଧିକ ଟଙ୍କାର ସୁନାର ଚାଉଳ ବିଞ୍ଚିଦେଲେ ବ୍ୟକ୍ତି। ଚୀନ୍‌ର ଜଣେ କଳାକାର ସାଂଘାଇ ସହରର ନଦୀ କୂଳରେ ଓ ପାର୍କରେ ସୁନାର ଚାଉଳ ବିଞ୍ଚିଛନ୍ତି। ଲୋକମାନେ ଏବେ ବହୁଳ ଭାବେ ଖାଦ୍ୟ ଜିନିଷ ନଷ୍ଟ କରୁଛନ୍ତି। ଏଣୁ ସେମାନଙ୍କୁ ସଚେତନ କରିବା ପାଇଁ କଳାକାର ଜଣକ ଏଭଳି କାମ କରିଛନ୍ତି। ଚୀନ୍‌ର କଳାକାର ୟାଙ୍ଗ୍‌ ୟେକ୍ସିନ୍‌ ଅକ୍ଟୋବର ୧୩ ତାରିଖରେ ଏହି ଅଭିନବ କାର୍ଯ୍ୟ କରିଛନ୍ତି।

ୟାଙ୍ଗ୍‌ ଏକ ଗହଣା ଦୋକାନରୁ ସୁନାର ୧ ହଜାର ଚାଉଳର ଦାନା ତିଆରି କରିଥିଲେ। ପରେ ସେ ଏହି ଦାନାକୁ କିଛି କିଛି କରି ହୁଆଙ୍ଗ୍‌ପୁ ନଦୀ କୂଳରେ, ରାସ୍ତାରେ ଓ ପାର୍କର ଘାସରେ ବିଞ୍ଚି ଦେଇଥିଲେ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ୫୦୦ ଗ୍ରାମ୍‌ ସୁନାରେ ତିଆରି ଏହି ଚାଉଳର ଦାମ୍‌ ପାଖାପାଖି ୨୩ ଲକ୍ଷରୁ ଅଧିକ ଟଙ୍କା ହେବ। ୟାଙ୍ଗ୍‌ କହିଛନ୍ତି, ଲୋକମାନେ ଯେଉଁଭଳି ଖାଦ୍ୟ ଦ୍ରବ୍ୟ ନଷ୍ଟ କରୁଛନ୍ତି, ସେମାନଙ୍କୁ ବୁଦ୍ଧି ଶିଖାଇବାକୁ ସେ ଏଭଳି କରିଛନ୍ତି। ତାଙ୍କ କହିବାନୁସାରେ ଖାଦ୍ୟ ନଷ୍ଟ କରିବା ସୁନା ନଷ୍ଟ କରିବା ସହ ସମାନ। ସେ ସୁନାର ଚାଉଳକୁ ଫିଙ୍ଗି ଲୋକଙ୍କୁ ଜଣାଇବାକୁ ଚାହୁଁଥିଲେ ଯେ ଚାଉଳ ମଧ୍ୟ ସୁନା ଭଳି ମୂଲ୍ୟବାନ।

ରିପୋର୍ଟ ମୁତାବକ, ସୋସିଆଲ ମିଡିଆ ସାଇଟ୍‌ରେ ଜଣେ ବ୍ୟକ୍ତି କହିଛନ୍ତି ଯେ ୟାଙ୍ଗ୍‌ ଏମିତି କେବଳ ଲୋକପ୍ରିୟ ହେବାକୁ କରୁଛନ୍ତି। ଯଦି ସେ ସତରେ ଲୋକଙ୍କୁ ସଚେତନ କରିବାକୁ ଚାହୁଁଥାନ୍ତି ତେବେ ୨୩ ଲକ୍ଷ ଟଙ୍କାରେ ସୁନାର ଚାଉଳ ତିଆରି ନ କରି ବରଂ ତାହାକୁ ଲୋକଙ୍କୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବା କାମରେ ଲଗାଇଥାନ୍ତେ।

ଅନ୍ୟପଟେ ୟାଙ୍ଗ୍‌ ଚାଉଳ ଫିଙ୍ଗୁଥିବା ବେଳର ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ୟାଙ୍ଗ୍‌ କହିଛନ୍ତି, ତାଙ୍କ ଭାବନା କିଛି ଭିନ୍ନ ଥିଲା, ଯାହାକୁ ଲୋକେ ବୁଝିପାରିଲେ ନାହିଁ। ଯଦି ସେ ଉକ୍ତ ଟଙ୍କାକୁ କୌଣସି ସଂସ୍ଥାକୁ ଦେଇଥାନ୍ତେ ତେବେ ତାହା ଉକ୍ତ ଚ୍ୟାରିଟିର ଲାଭ ହୋଇଥାନ୍ତା। କିନ୍ତୁ ଏବେ ସେ ଯାହା କରିଛନ୍ତି, ତାହା ସମସ୍ତଙ୍କ ମଙ୍ଗଳ ପାଇଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.