ମାଳିକା ବଚନ ଧୀରେ ଧୀରେ ସତ ହେଉଛି। ଦେଶ ଉପରକୁ ସତସତିକା ମାଡ଼ି ଆସୁଛି ବିପଦ ଉପରେ ବିପଦ। କେତେବେଳେ ମନୁଷ୍ୟକୃତ ରୋଗ ଲୋକଙ୍କୁ ସଂକ୍ରମିତ କରୁଛି ତ ଆଉ କେତେବେଳେ ପ୍ରକୃତି ସାଧୁଛି ଦାଉ। ପ୍ରକୃତିର କରାଳ ରୂପରେ ମାଟି କାମୁଡ଼ି ପଡ଼ୁଛି ଏ ମଣିଷ ସମାଜ। ପୁଣିଥରେ ଉଠି ଆଗକୁ ବଢ଼ିବାକୁ ଅଣ୍ଟା ସଳଖିପାରୁନି। ଏବେ କରୋନାର ଦାଉରେ ମଣିଷ ଝଟପଟ ହେଉଥିବା ବେଳେ ଆଗକୁ ଆସୁଛି ଆଉ ଏକ ବଡ଼ ବିପଦ।
ଜଳବାୟୁ ପରିବର୍ତ୍ତନ ଯୋଗୁ ଭାରତ ଉପରେ ମାଡ଼ି ଆସୁଛି ବିପତ୍ତି। ଏହାର ପ୍ରଭାବ ହିମାଳୟର ପାହାଡ଼ ଠାରୁ ଗାଁର ଫସଲ ଉତ୍ପାଦନ ପର୍ଯ୍ୟନ୍ତ ସବୁ ଉପରେ ଦେଖିବାକୁ ମିଳିବ। ଇଣ୍ଟରଗଭର୍ଣ୍ଣମେଣ୍ଟାଲ ପ୍ୟାନେଲ ଫର କ୍ଲାଇମେଟ୍ ଚେଞ୍ଜର ନୂଆ ରିପୋର୍ଟରେ ଜଳବାୟୁ ପରିବର୍ତ୍ତନ ଭାରତ ପାଇଁ କେତେ ବିପଦପୂର୍ଣ୍ଣ ସାବ୍ୟସ୍ତ ହେବ ସେ ନେଇ କୁହାଯାଇଛି। ଏହାର ପ୍ରଭାବ ଭାରତର ପ୍ରତିଟି କୋଣ ଅନୁକୋଣରେ ପଡ଼ିବ। ଗ୍ଲୋବାଲ ଓ୍ଵାର୍ମିଂ ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ଏସିଆ ମହାଦେଶର ଅଧିକାଂଶ ଦେଶରେ ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ଦୁର୍ଭିକ୍ଷ ସ୍ଥିତି ଉପୁଜିବ। ଲୋକମାନେ ଖାଇବାକୁ ଖାଦ୍ୟ ପାଇବେନି କି ପିଇବାକୁ ପାଣି। ଭୋକରେ ଶେଷରେ ଆଉଟୁପାଉଟୁ ହୋଇ ଲୋକମାନେ ପୋକ ମାଛ ଭଳି ମରିବେ। ଏଭଳି ଆକଳନ କରିଛି ଏହି ରିପୋର୍ଟ।
ବିଶେଷଜ୍ଞଙ୍କ ମୁତାବକ, ଯଦି ଏହି ଶତାବ୍ଦୀର ଶେଷ ଆଡ଼କୁ ବାୟୁମଣ୍ଡଳର ତାପମାତ୍ରା ୧ରୁ ୪ ଡିଗ୍ରୀ ହ୍ରାସ ପାଇବ, ତେବେ ଭାରତରେ ଧାନର ଉତ୍ପାଦନ ୧୦ରୁ ୩୦ ପ୍ରତିଶତ କମ୍ ହୋଇଯିବ। ସେହିପରି ମକା ଉତ୍ପାଦନ ବି ୨୫ରୁ ୭୦ ପ୍ରତିଶତ ହ୍ରାସ ପାଇବା ଆଶଙ୍କା ରହିଛି। କେବଳ ଭାରତ ନୁହେଁ, କମ୍ବୋଡିଆରେ ବି ଧାନ ଉତ୍ପାଦନ ୪୫ ପ୍ରତିଶତ କମ୍ ହୋଇଯିବ।
ଜଳବାୟୁ ପରିବର୍ତ୍ତନ ଓ ଗ୍ଲୋବାଲ ଓ୍ଵାର୍ମିଂ ଯୋଗୁ ଫସଲ ନଷ୍ଟ କରୁଥିବା କୀଟପତଙ୍ଗଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ପାଇବ। ଏମାନଙ୍କ ପ୍ରାଦୁର୍ଭାବ ଭାରତ, ଚୀନ୍, ଇଣ୍ଡୋନେସିଆ, ବାଂଲାଦେଶ, ଭିଏତନାମ, ଥାଇଲାଣ୍ଡ, ମିଆଁମାର, ଫିଲିପାଇନ୍ସ ଓ ଜାପାନ ଭଳି ଦେଶରେ ରହିବ। ଫଳରେ ଏଠାରେ ଫସଲ ଉତ୍ପାଦନ ପାଖିାପାଖି ଅଧା ହୋଇଯିବ।
ଜଳବାୟୁ ପରିବର୍ତ୍ତନ ଯୋଗୁ ଭବିଷ୍ୟତରେ ଲୋକଙ୍କୁ ପିଇବା ପାଣି ମିଳିବାରେ ବି ସମସ୍ୟା ହେବ। ହିମାଳୟରେ ଗ୍ଲେସିୟର ତରଳିବା ଯୋଗୁ ନଦୀଗୁଡ଼ିକ ଶୁଖିଯିବ। ଫଳରେ ଲୋକଙ୍କୁ ଆବଶ୍ୟକତା ମୁତାବକ ପାଣି ମିଳିବ ନାହିଁ। ୨୧ଶ ଶତାବ୍ଦୀର ମଧ୍ୟ ଭାଗ ବେଳକୁ ଗଙ୍ଗା, ଯମୁନା, ସିନ୍ଧୁ ଆଦି ନଦୀର ଜଳ ସ୍ତର କମିବାକୁ ଲାଗିବ। ପ୍ରଦୂଷଣର ସ୍ତର ବଢ଼ିବ। ଫଳରେ ଭାରତରେ ଜଳାଭାବ ଦେଖାଯିବ। ଖାସ୍ କରି ହିମାଳୟରୁ ବାହାରିଥିବା ନଦୀଗୁଡ଼ିକ ଶୁଖିଯିବେ। ଫଳରେ ଏସିଆ ମହାଦେଶର ଅଧିକ ସ୍ଥାନରେ ମାଟି ଫାଟି ଦୁର୍ଭିକ୍ଷ ସ୍ଥିତି ଉପୁଜିବ।
ପାଣିପାଗରେ ଲଗାତାର ପରିବର୍ତ୍ତନର ପ୍ରଭାବ ଏବେ ଧୀରେ ଧୀରେ ଜୀବଜନ୍ତୁଙ୍କ ଉପରେ ମଧ୍ୟ ପଡ଼ିବା ଆରମ୍ଭ ହୋଇଛି। ଏହି ବିପଦ ଆଗକୁ ଆହୁରି ବଢ଼ିଯିବ। ଫଳରେ ପୃଥିବୀ ପୃଷ୍ଠରୁ ଅନେକ ଜୀବଜନ୍ତୁ ଲୋପ ପାଇଯିବେ। ୨୦୫୦ ବେଳକୁ ବରଫରେ ବାସ କରୁଥିବା ଜୀବ ଜନ୍ତୁଙ୍କୁ ଦେଖିବା ଏକ ପ୍ରକାର ସ୍ୱପ୍ନ ହୋଇଯିବ। ସେହିପରି ଜଙ୍ଗଲୀ ଜୀବଜନ୍ତୁଙ୍କ ବଂଶ ବି ଆଗକୁ ସମ୍ପୂର୍ଣ୍ଣ ଶୂନ ହୋଇଯିବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି।
ଜଳବାୟୁରେ ପ୍ରତିବର୍ଷ କିଛି ନା କିଛି ପରିବର୍ତ୍ତନ ଦେଖିବାକୁ ମିଳୁଛି। ଫଳରେ ଏବେ ୧୨ ମାସ ମଧ୍ୟରୁ ୮ ମାସ କେବଳ ଖରା ହେଉଛି। ଏହା ପ୍ରଭାବରେ ଏବେ ଜଙ୍ଗଲରେ ଯେଉଁ ପରିମାଣରେ ନିଆଁ ଲାଗୁଛି, ଆଗକୁ ତାହା ଆହୁରି ବଢ଼ିବ। ୨୦୫୦-୬୦ ବେଳକୁ ଜଙ୍ଗଲ ଗୁଡ଼ିକ ନିଆଁ ଲାଗି ପଦା ହୋଇଯିବେ। ସେହିପରି ବଡ଼ ବଡ଼ ପାହାଡ଼ ବି ଜଳିବ। ଫଳରେ ପାହାଡ଼ ତଳେ ରହୁଥିବା ଲୋକଙ୍କ ଚଳିବା ଏକ ପ୍ରକାରର ଅସମ୍ଭବ ହୋଇଯିବ। ଜଙ୍ଗଲରେ ନିଆଁ ଲାଗିବା କାରଣରୁ ପଶୁ ପକ୍ଷୀ ବି ଲୋପ ପାଇବେ। ଏଭଳି ସ୍ଥିତିରେ ଧୀରେ ଧୀରେ ମଣିଷ ଓ ପଶୁ ସମାଜ ଲୋପ ପାଇଯିବ, ଠିକ୍ ଡାଇନୋସରଙ୍କ ଭଳି। ଏଣୁ ଏବେଠୁ ବୃକ୍ଷ ରୋପଣ ପ୍ରତି ଗୁରୁତ୍ୱ ଦେବାକୁ ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି। କାରଣ ବୃକ୍ଷ ହିଁ ଏକ ମାତ୍ର ଜିନିଷ, ଯାହା ଆଗକୁ ଭବିଷ୍ୟତରେ ଆସିବାକୁ ଥିବା ବିପତ୍ତିରୁ ରକ୍ଷା କରିପାରିବ।