ପୁଅ ଓ ଝିଅଙ୍କୁ ହରାଇ ନିଃସଙ୍ଗ ଜୀବନ ବିତାଉଛନ୍ତି ସ୍ବାମୀ-ସ୍ତ୍ରୀ, ଏବେ ଇଚ୍ଛା ମୃତ୍ୟୁ ଚାହୁଁଛନ୍ତି ଅନିତା

ଗଂଜାମ (କେନ୍ୟୁଜ) : ଯାହାଙ୍କ ପାଇଁ ସଂସାର କରିଥିଲେ ସେମାନେ ଚାଲିଗଲେ ଆରପାରିକୁ । ଅତିକ୍ରାନ୍ତ ବୟସରେ ନିଃସଙ୍ଗ ଜୀବନ ବିତାଇବାକୁ ପଡୁଛି ଉଭୟ ସ୍ବାମୀ ଓ ସ୍ତ୍ରୀ ଙ୍କୁ । ତଥାପି ସେତିକିରେ ଦୁଃଖ ସରିଲାନି ବରଂ ଦୁଇଗୁଣ ବଢ଼ିଗଲା । ସ୍ତ୍ରୀଙ୍କର ବାହାରିଲା ମାରାତ୍ମକ ପେଟ ରୋଗ । ଯାହା କିଛି ସମ୍ବଳ ଥିଲା ସେସବୁ ସରିଲା । ଅର୍ଥାଭାବରୁ ଅଧା ଅପରେସନ୍‌ରେ ଘରକୁ ଫେରି ଆସିବାକୁ ବାଧ୍ୟ ହେଲେ । ଏବେ ଘର ଭିତରେ ଯନ୍ତ୍ରଣାରେ ଯୁଝି ହେଉଛନ୍ତି।

ଗଂଜାମ ଜିଲ୍ଲା ବୁଗୁଡ଼ା ବ୍ଳକ ଅନ୍ତର୍ଗତ ରାମଗଡ଼ ଗାଁର ଅନିତା ପ୍ରଧାନ । ଆମେ ଯେତେବେଳେ ଅନିତାଙ୍କ ଘରେ ପହଞ୍ଚିଲୁ ସେତେବେଳେ ତାଙ୍କର ଖାଇବା ସମୟ ଥିଲା । ତାଙ୍କ ସ୍ବାମୀ ଖାଇବା ପ୍ରସ୍ତୁତ କରୁଥିଲେ । ଆଉ ସେହି ସମୟର ଦୃଶ୍ୟ, ସତରେ ଅତି ଦୁଃଖଦାୟକ ଥିଲା । କିଛି ତରଳ ଖାଦ୍ୟ ହିଁ ଥିଲା ତାଙ୍କର ଆହାର। ପେଟରୁ ବାହାରିଥିବା ଏକ ନଳୀ ଭିତରେ ଏହି ତରଳ ଖାଦ୍ୟ ଦେଉଥିଲେ ସ୍ୱାମୀ ଶିବ ପ୍ରଧାନ । ଇଏ ହେଉଛି ତାଙ୍କର ନିତି ଦିନିଆ କାମ ।

anitaଗୋଟିଏ ପୁଅ , ଗୋଟିଏ ଝିଅ ଓ ସ୍ତ୍ରୀ ଙ୍କୁ ନେଇ ଶିବ ପ୍ରଧାନଙ୍କ ସଂସାର ହସଖୁସିରେ ଚାଲିଥିଲା । କିନ୍ତୁ ୧୯ ବର୍ଷର ଝିଅ ଓ ୧୭ ବର୍ଷର ପୁଅ ଉଭୟେ ଥିଲେ ଭିନ୍ନକ୍ଷମ । ଗତ ଦୁଇ ବର୍ଷ ତଳେ ଉଭୟ ପୁଅ ଓ ଝିଅ ଏକାସାଥିରେ ଆରପାରିକୁ ଚାଲିଗଲେ। ପୁଅ-ଝିଅଙ୍କୁ ହରାଇ ଭାଙ୍ଗି ପଡ଼ିଲେ ସ୍ବାମୀ- ସ୍ତ୍ରୀ । ଏଭଳି ପରିସ୍ଥିତିରେ ସ୍ତ୍ରୀ ଅନିତାଙ୍କ ପାକସ୍ଥଳୀରେ ଅଲସର୍ ହୋଇଗଲା। ଆଉ ଅନେକ ଚିକିତ୍ସା ପରେ ଗତ ମାର୍ଚ୍ଚ ମାସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର କଲେ । ହେଲେ ଅର୍ଥାଭାବରୁ ଦ୍ବିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର କରିବା ସମ୍ଭବ ହେଲା ନାହିଁ । ବାଧ୍ୟ ହୋଇ ଗାଁକୁ ଫେରିଆସିଲେ । ଆଉ ଏବେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଅନିତା ।

ଏଭଳି ପରିସ୍ଥିତିରେ ଅନିତାଙ୍କୁ କେମିତି ସରକାରୀ ସହାୟତା ଯୋଗାଇ ଦିଆଯାଇ ପାରିବ ସେ ନେଇ ଆମେ ଭଂଜନଗର ଉପଜିଲ୍ଲାପାଳଙ୍କୁ ଭେଟିଥିଲୁ । ଆଉ ପାଇଥିଲୁ ଭରସା ଓ ପ୍ରତିଶ୍ରୁତି । ଏବେ ଅପେକ୍ଷା ସେହି ସହାୟତାକୁ । ଯାହାପରେ ଅନୀତାଙ୍କୁ ପୁଣି ନୂଆ କରି ଜୀବନ ଜିଇଁବାର ବାଟ ଦେଖାଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.