Below header

ସିବିଆଇ କଳି : ଟପ୍ ଅଫିସରଙ୍କ କାରନାମା ପଦାରେ ପଡ଼ିଲା, ସରକାରଙ୍କ ଉପରକୁ ଉଠିଲା ଅଙ୍ଗୁଳି

ସିବିଆଇରେ ଡ୍ରାମା ଥମୁ ନାହିଁ । ନୂଆ ନୂଆ ଏପିସୋଡ୍ ସାମନାକୁ ଆସୁଛି । ଦେଶର ସର୍ବୋଚ୍ଚ ତଦନ୍ତରକାରୀ ସଂସ୍ଥାରେ ବଢୁଛି ଝାମେଲା । କୋର୍ଟ ଯାଏଁ କଥା ଗଲାଣି । ମୁହାଁମୁହିଁ ହୋଇଛନ୍ତି ନମ୍ବର ଓ୍ୱାନ୍ ଅଫିସର ଅଲୋକ ବର୍ମା ଓ ନମ୍ୱର ଟୁ ଅଫିସର ରାକେଶ ଅସ୍ଥାନା । ପରସ୍ପର ପରସ୍ପର ବିରୋଧରେ ଲାଞ୍ଚ ଅଭିଯୋଗ ଆଣିଛନ୍ତି । ବିବାଦ ବଢୁଥିବାରୁ ହସ୍ତକ୍ଷେପ କରିଛନ୍ତି କେନ୍ଦ୍ର ସରକାର । ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ଛୁଟିରେ ଯିବାକୁ କହିଛନ୍ତି । ନିର୍ଦ୍ଦେଶକ ଚୌକିରେ ବସିଛନ୍ତି ଓଡ଼ିଶା କ୍ୟାଡର ଆଇପିଏସ୍ ଏମ୍. ନାଗେଶ୍ୱର ରାଓ । ତାଙ୍କୁ ସିବିଆଇର ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶକ ଭାବରେ ନିଯୁକ୍ତି ମିଳିଛି । ଗତ କିଛି ଦିନ ହେବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇର ଗୁମର କଥା ପଦାକୁ ଆସିଥିଲା । ରାକେଶ ଅସ୍ଥାନାଙ୍କ ନାଁରେ ଲାଞ୍ଚ ନେଇଥିବା ଅଭିଯୋଗରେ ମାମଲା ରୁଜୁ କରିଥିଲା ସିବିଆଇ । ଏଥିରେ ସଂପୃକ୍ତି ଅଭିଯୋଗରେ ଗିରଫ ହୋଇଥିଲେ ସିବିଆଇ ଡିଏସପି ଦେବେନ୍ଦ୍ର କୁମାର । ତାଙ୍କ ହାତରେ ହାତକଡ଼ି ପକାଇଥିଲେ ଟିମ୍ ଆଲୋକ ବର୍ମା । ଅଧିକ ପଚରାଉଚରା ପାଇଁ ଦେବେନ୍ଦ୍ରଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ବି ଦେଇଛନ୍ତି ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ । ସେପଟେ ରାକେଶ ଅସ୍ଥାନାଙ୍କ ନାଁରେ ସିବିଆଇ ଅପରାଧିକ ମାମଲା ରୁଜୁ କରିଥିବାରୁ ତାଙ୍କର ଗିରଫଦାରି ଭୟ ବି ବଢ଼ିଥିଲା । ମାମଲା ଖାରଜ କରିବା ପାଇଁ ସେ ଯାଇଥିଲେ ଦିଲ୍ଲୀ ହାଇକୋର୍ଟ । ପିଟିସନର ଶୁଣାଣି କରି କୋର୍ଟ ଅନ୍ତରୀଣ ସୁରକ୍ଷା ଦେଲେ । ନିର୍ଦ୍ଦେଶ ଦେଇଛନ୍ତି ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇ ପାରିବ ନାହିଁ । କିନ୍ତୁ ତଦନ୍ତ ପ୍ରକ୍ରିୟାରେ ହସ୍ତକ୍ଷେପ କରି ନାହାନ୍ତି କୋର୍ଟ । ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ, ରାକେଶ ଅସ୍ଥାନା ବ୍ୟବହାର କରୁଥିବା ମୋବାଇଲ୍ ଫୋନ୍, ଲାପଟପ୍, କମ୍ପ୍ୟୁଟର ଭଳି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଜବତ କର ।

CBI-1

ସରକାରଙ୍କ ଆସ୍ଥା ହରାଇଲେ କି ଅସ୍ଥାନା !

ହାଇକୋର୍ଟଙ୍କ ରାୟ ରାକେଶଙ୍କୁ ସାମୟିକ ଆଶ୍ୱସ୍ତି ଦେଇଥିଲା । କିନ୍ତୁ ସରକାରଙ୍କ ପାଇଁ ଏସଲୃବୁ ଝାମେଲା ବୋଧେ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲା । କଥା ଉଠିଥିଲା ସିବିଆଇରେ ଏବେ ସବୁ କିଛି ଗଡ଼ବଡ଼ । ଯଦିଓ ପ୍ରଧାନମନ୍ତ୍ରୀ ପୂର୍ବରୁ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ସମନ କରିଥିଲେ, ତଥାପି ଥମି ନଥିବା ବିବାଦ । ଆଗକୁ ୫ଟି ରାଜ୍ୟ ବିଧାନସଭା ନିର୍ବାଚନ । ସୁଯୋଗ ଅପେକ୍ଷାରେ ଥିବା ବିରୋଧୀଙ୍କୁ ଘେରିବା ପାଇଁ ପୁଣି ଗୋଟିଏ ମୌକା ମିଳି ଯାଉଥିଲା । ସିଧା ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀଙ୍କ ଦପ୍ତର ଓ ସିବିଆଇ ଅଫିସକୁ । କୌଣସି ରିସ୍କ ନେବାକୁ ଚାହିଁଲେ ନାହିଁ କେନ୍ଦ୍ର ସରକାର । ପରିସ୍ଥିତି ଅଧିକ ବିଗିଡ଼ିବା ଆଗକୁ ପ୍ରତିକାର ବ୍ୟବସ୍ଥା କରିଛନ୍ତି । ଦୁଇ ଟପ୍ ଅଫିସରଙ୍କୁ ଛୁଟିରେ ପଠାଇ ଦେଇଛନ୍ତି କେନ୍ଦ୍ର ସରକାର । ଏମିତି ହେଲେ ଦୁଇଟି ମେସେଜ୍ ଯିବ । ପ୍ରଥମ କଥା ହେଲା, ତଦନ୍ତ ପ୍ରକ୍ରିୟା ଅବାଧ, ମୁକ୍ତ ଓ ସ୍ୱଚ୍ଛ ହୋଇପାରିବ । ଦ୍ୱିତୀୟ କଥା ହେଲା ବିରୋଧୀଙ୍କ ମୁହଁ ବି ଚୁପ ହୋଇ ପାରିବ । ସରକାରଙ୍କ ଭାବମୂର୍ତ୍ତିରେ କୌଣସି ପ୍ରକାର ଆଞ୍ଚ ଆସିବ ନାହିଁ । ଏପିରିକି ଆକୋଲ ବର୍ମା  ଓ ରାକେଶ ଅସ୍ଥାନାଙ୍କ ଅଫିସକୁ ବି ସିଲ୍ କରି ଦିଆଯାଇଛି ।

ନାଗେଶ୍ୱର ରାଓଙ୍କୁ କାହିଁକି ?

ନାଗେଶ୍ୱର ରାଓଙ୍କୁ ସିବିଆଇ ନିର୍ଦ୍ଦେଶକ ଦାୟିତ୍ୱ ଦେବା ପଛରେ ବି ଭିନ୍ନ କାରଣ ଥିବା ଚର୍ଚ୍ଚା ହେଉଛି । ବରିଷ୍ଠସ୍ତରରେ ସିବିଆଇରେ ତିନି ଜଣ ଅତିରିକ୍ତ ନିର୍ଦ୍ଦେଶକ ଅଛନ୍ତି । ସିନିଅର ଥିଲେ ବି ସେମାନଙ୍କୁ ଅଣଦେଖା କରି ଯୁଗ୍ମ ନିର୍ଦ୍ଦେଶକ ଥିବା ଏମ୍. ନାଗେଶ୍ୱର ରାଓଙ୍କୁ ମିଳିଲା ଟପ୍ ପୋଜିସନ ଦାୟିତ୍ୱ । ବରିଷ୍ଠତା ଦୃଷ୍ଟିରୁ ଅତିରିକ୍ତ ନିର୍ଦ୍ଦେଶକ ଏ. କେ. ଶର୍ମାଙ୍କୁ ଏହି ଦାୟିତ୍ୱ ଦେଇ ପାରି ଥାଆନ୍ତେ କେନ୍ଦ୍ର ସରକାର । କିନ୍ତୁ ଦେଲେ ନାହିଁ । କାରଣ ହେଲାଲ, ଆଲୋକ ବର୍ମାଙ୍କ ନାଁରେ ୨ କୋଟି ଲାଞ୍ଚ ଅଭିଯୋଗ ଆଣିଛନ୍ତି ରାକେଶ ଅସ୍ଥାନା । କ୍ୟାବିନେଟ ସଚିବଙ୍କୁ ଚିଠି ଲେଖିଥିଲେ । ତାଙ୍କ ଅଭିଯୋଗରେ ଏ. କେ. ଶର୍ମାଙ୍କ ନାଁ ବି ସେ ଉଲ୍ଲେଖ କରିଥିଲେ । ତେଣୁ ଆଲୋକ ବର୍ମା ଓ ରାକେଶ ଅସ୍ଥାନାଙ୍କ ଟିମରେ ଜଡିତ ଅଫିସରଙ୍କୁ ବି ଦୂରେଇ ରଖାଯାଉଥିବା ଚର୍ଚ୍ଚା ହେଉଛି । ୧୯୮୬ ବ୍ୟାଚ୍ ଓଡ଼ିସା କ୍ୟାଡର୍ ଆଇପିଏସ୍ ଏମ୍. ନାଗେଶ୍ୱର ରାଓଙ୍କୁ ସିବିଆଇର ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର। ସେହିପରି ରାକେଶ ଅସ୍ଥାନା ମାମଲାର ଯାଞ୍ଚ କରୁଥିବା ତଦନ୍ତକାରୀ ଅଧିକାରୀ ଡିଏସପି ଅଜୟ ବସିଙ୍କୁ ତୁରନ୍ତ ବଦଳି କରାଯାଇଛି । ପୋର୍ଟ ବ୍ଲେୟାରରେ ତାଙ୍କୁ ସିବିଆଇ ଡିଏସପି ନିଯୁକ୍ତି ମିଳିଛି । ତାଙ୍କ ସହ ୯ ଜଣ ଅଫିସରଙ୍କୁ ବଦଳି କରାଯାଇଛି । ଏମ୍. ନାଗେଶ୍ୱର ରାଓ ଓଡ଼ିଶା ଅଗ୍ନିଶମ ବିଭାଗର ପୂର୍ବତନ ମୁଖ୍ୟ ଥିଲେ । ତାଙ୍କ ପୂର୍ବରୁ ୧୯୮୬ ବ୍ୟାଚ୍ ଓଡ଼ିଆ ଆଇପିଏସ୍ ଉମାଶଙ୍କର ମିଶ୍ର ସିବିଆଇ ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ସମ୍ଭାଳିଥିଲେ । ଏବେ ସିବିଆଇ ବନାମ ସିବିଆଇ ଯୁଦ୍ଧ ପରିସ୍ଥିତିରେ ତାଙ୍କୁ ମିଳିଛି ବିଭାଗର ଗୁରୁ ଦାୟିତ୍ୱ ।

ମାମଲା କ’ଣ ?

ସବୁଠୁ ବଡ଼ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଦୁଇ ଜଣ ଟପ୍ ଅଫିସରଙ୍କ ଲଢ଼େଇ ଦେଶରେ ପ୍ରଥମ । ୧୯୮୪ ବ୍ୟାଚ୍ ଗୁଜୁରାଟ କ୍ୟାଡର ଆଇପିଏସ୍ ରାକେଶ ଅସ୍ଥାନା । ମାଂସ ବ୍ୟବସାୟୀ ମୋଇନ୍ କ୍ୟୁରେସୀଙ୍କ ନାଁରେ ଦାୟର ମାମଲାର ତଦନ୍ତ କରୁଥିଲେ । କ୍ୟୁରେସୀଙ୍କୁ ଅର୍ଥ ଅନିୟମିତତା ମାମଲାରେ ଗତବର୍ଷ ଅଗଷ୍ଟ ମାସରେ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତଦନ୍ତ ବେଳେ ଇଡି ସ୍କାନରକୁ ଆସିଥିଲେ ହାଇଦ୍ରାବାଦର ଜଣେ ବ୍ୟବସାୟୀ ସତୀଶ ବାବୁ ସାନା । ୫୦ ଲକ୍ଷ ଟଙ୍କାର କାରବାରା ନେଇ ତାଙ୍କୁ ପଚରାଉଚରା ବେଳେ ସାଂଘାତିକ ତଥ୍ୟ ସାମାନକୁ ଆସିଥିଲା । ଏହି ମାମଲାରେ ଅସ୍ଥାନାଙ୍କୁ ଟାଣିଥିଲେ ସତୀଶ ବାବୁ ସାନା । ବୟାନରେ କହିଥିଲେ ଯେ, ମୋଇନ୍ କ୍ୟୁରେସୀଙ୍କ ମାମଲାର ଦଫାରଫା କରିବାରେ ସେ ସାଜିଥିଲେ ମିଡିଲ ମ୍ୟାନ୍ । କ୍ଲିନଚିଟ୍ ପାଇଁ ୫ କୋଟିର ଡିଲ୍ ହୋଇଥିଲା । ଅଗ୍ରୀମ ହିସାବରେ ରାକେଶ ଅସ୍ଥାନାକୁ ଦେଇଥିଲେ ୩ କୋଟି ଟଙ୍କା  । ସତୀଶଙ୍କ ବୟାନ ଆଧାରରେ ଚଳିତମାସ ୧୫ ତାରିଖରେ ରାକେଶ ଅସ୍ଥାନାଙ୍କ ନାଁରେ ମାମଲା ରୁଜୁ କରିଥିଲା ସିବିଆଇ ।

ଆଲୋକ-ରାକେଶ ମୁହଁମୁହିଁ

କୁହାଯାଉଛି ୨୦୧୭ରୁ ଆଲୋକ ବର୍ମା ଓ ରାକେଶ ଅସ୍ଥାନା ବିବାଦ ମୁଣ୍ଡ ଟେକିଛି । ସେତେବେଳେ ରାକେଶଙ୍କ ପଦୋନ୍ନତିକୁ ନେଇ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନରେ ପ୍ରଶ୍ନ ଉଠାଇଥିଲେ ଆଲୋକ ବର୍ମା । କିନ୍ତୁ ସିଭିସି ଓ ସୁପ୍ରିମକୋର୍ଟ ଅସ୍ଥାନାଙ୍କ କ୍ଲିନଚିଟ ଦେଇଥିଲେ । ୨୦୧୮ ମସିହା ଜୁଲାଇ ମାସରେ ସିଭିସିଙ୍କୁ ଏକ ଚିଠି ଲେଖିଥିଲେ ଆଲୋକ ବର୍ମା । ଜଣାଇଥିଲେ ଯେ, ରାକେଶ ଅସ୍ଥାନା ସିବିଆଇର ନମ୍ବର ଟୁ ଅଫିସର । କିନ୍ତୁ ତାଙ୍କ ବିନା ଉପସ୍ଥିତିରେ ସେ କୌଣସି ବୈଠକ ଡାକି ପାରିବେ ନାହିଁ । ଏହାପରେ ଅସ୍ଥାନା ଅଗଷ୍ଟ ମାସରେ ସିଭିସି ଓ କ୍ୟାବିନେଟ ସଚିବଙ୍କୁ ଆୱୋକ ବର୍ମାଙ୍କ ନାଁରେ ଏକ ଚିଠି ଲେଖିଥିଲେ । ସିବିଆଇ ନିର୍ଦ୍ଦେଶକଙ୍କ ଦୁର୍ନୀତିର କାରନାମା ସମ୍ପର୍କରେ ଚିଠିରେ ଉଲ୍ଲେଖ କରିଥିଲେ ରାକେଶ ଅସ୍ଥାନା । ମୋଇନ୍ କ୍ୟୁରୋସୀ ମାମଲାରେ ୨ କୋଟି ଟଙ୍କାର ଲାଞ୍ଚ ଅଭିଯୋଗ କରିଥିଲେ । ଏହାପରେ ଅକ୍ଟୋବର ୪ ତାରିଖରେ କ୍ୟୁରେସୀ ମାମଲାରେ ସତୀଶ ବାବୁ ସାନା ରାକେଶଙ୍କ ନାଁରେ ଲାଞ୍ଚ ନେବା ଅଭିଯୋଗ ଲଗାଇଥିଲେ । ତାଙ୍କ ବୟାନ ଆଧାରରେ ୧୫ ଅକ୍ଚୋବରରେ ନିଜ ବିଭାଗ ଅଫିସର ରାକେଶ ଅସ୍ଥାନାଙ୍କ ନାଁରେ ମାମଲା ରୁଜୁ କରିଥିଲା ସିବିଆଇ ।

ଲାଗିଲା ରାଜନୀତିର ରଙ୍ଗ

କୁହାଯାଏ ଯେ କ୍ଷମତାରେ ଥିବା ଦଳ ହିଁ ସବୁଦିନେ ସିବିଆଇକୁ ନିଜ ସ୍ବାର୍ଥ ପାଇଁ ବ୍ୟବହାର କରେ । ବର୍ତ୍ତମାନ ଯେଉଁ ସ୍ଥିତି ଉପୁଜିଛି ସେଥିରେ ସିବସିଆଇର ମର୍ଯ୍ୟାଦା ଆହୁରି କ୍ଷୁଣ୍ଣ ହୋଇଛି । ପ୍ରତ୍ୟେକ ବିରୋଧୀ ଦଳ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କଂଗ୍ରେସ କହିଛି, ଏଥିଲାଗି ସମ୍ପୂର୍ଣ୍ଣ ଭାବେ ସରକାର ଦାୟୀ । ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ କହିଛନ୍ତି ‘ଏହା ସିବିଆଇ ନୁହେଁ ‘ବିବିଆଇ’ । ଅର୍ଥାତ୍ ବିଜେପି ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ । ମମତା ଟ୍ବିଟ୍ କରି ଏଭଳି ପରିସ୍ଥିତି ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି।

MAMATA

ବିଚାର ବିଭାଗରେ ପ୍ରଧାନ ବିଚାରପତିଙ୍କ ବିରୋଧରେ ବାହାରିଥିଲେ ଅନ୍ୟ ବିଚାରପତିମାନେ । ଏହି ପ୍ରସଙ୍ଗ ବେଶ୍ କିଛି ଦିନ ଧରି ଚର୍ଚ୍ଚା ଓ ଆଲୋଚନା ସୃଷ୍ଟି କରିଥିଲା । ଏବେ ବିସିସିଆଇରେ ଏହି ବିବାଦ ପ୍ରଶାସନିକ କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ କିଭଳି ଇଗୋ ରହିଛି, କିଭଳି ସମନ୍ବୟର ଅଭାବ ରହିଛି ତାକୁ ଦର୍ଶାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.