ଜଗନ୍ନାଥ ବଲ୍ଳଭରେ ମହାପ୍ରଭୁଙ୍କ ୨୫ ପ୍ରକାର ବେଶ ଦେଖିବେ ଭକ୍ତ

ଶ୍ରୀ ଜଗନ୍ନାଥ ବଲ୍ଳଭ ମଠ ପରିସରରେ ଶୋଭା ପାଇବ ମହାପ୍ରଭୁଙ୍କ ବିଭିନ୍ନ ବେଶ ଶୃଙ୍ଗାର । ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ବୈଶାଖ ମାସ ରୁ ଚୈତ୍ର ମାସ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ୨୫ ପ୍ରକାର ବେଶକୁ ଏକାସାଙ୍ଗରେ ଦର୍ଶନ କରିବାର ସୁଯୋଗ ପାଇବେ ଭକ୍ତ ଶ୍ରଦ୍ଧାଳୁ ।

ପୁରୀ(କେନ୍ୟୁଜ): ଶ୍ରୀ ଜଗନ୍ନାଥ ବଲ୍ଳଭ ମଠ ପରିସରରେ ଶୋଭା ପାଇବ ମହାପ୍ରଭୁଙ୍କ ବିଭିନ୍ନ ବେଶ ଶୃଙ୍ଗାର । ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ବୈଶାଖ ମାସ ରୁ ଚୈତ୍ର ମାସ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ୨୫ ପ୍ରକାର ବେଶକୁ ଏକାସାଙ୍ଗରେ ଦର୍ଶନ କରିବାର ସୁଯୋଗ ପାଇବେ ଭକ୍ତ ଶ୍ରଦ୍ଧାଳୁ । ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପରିକ୍ରମା ପ୍ରକଳ୍ପ ଲୋକାର୍ପ ଉତ୍ସବ ଲାଗି ସଜେଇ ହେଉଛି ଶ୍ରୀକ୍ଷେତ୍ର । ଉତ୍ସବକୁ ଆହୁରି ସୁନ୍ଦର ସରସ କରିବା ଲାଗି ବିଭିନ୍ନ ପ୍ରକାର ଆୟୋଜନ କରାଯାଇଛି । ତେବେ ଭକ୍ତଙ୍କୁ ନୂତନ ଅନୁଭୂତି ଦେବାଲାଗି ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି ନିଆରା ଆୟୋଜନ ।

ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଦୈନଦିନ ନୀତିକାନ୍ତି ସହ ପର୍ବପର୍ବାଣିରେ ଅନୁଷ୍ଠିତ ହେଉଥିବା ବେଶକୁ ଦେଖିବେ ଭକ୍ତ । ଜଗନ୍ନାଥ ବଲ୍ଳଭ ମଠ ପରିସରରେ ମହାପ୍ରଭୁଙ୍କ ସମସ୍ତ ବେଶକୁ ଅତି ଆକାର୍ଷଣୀୟ ଭାବେ ସଜାଯିବା ଲାଗି ଆରମ୍ଭ ହୋଇଛି ପ୍ରସ୍ତୁତି । ଏକ ମାସ ଧରୀ ଏହି ପ୍ରସ୍ତୁତି ଆରମ୍ଭ କରିଛନ୍ତି ମହାପ୍ରଭୁଙ୍କ ବେଶ କାରିଗର । ୨୫ ପ୍ରକାର ବେଶଗୁଡ଼ିକ ମଧ୍ୟରେ ରହିଛି ଅବକାଶ ବେଶ (ତଡ଼ପ ଉତ୍ତରି ବେଶ), ସାଧା ବେଶ, ବଡ଼ସିଂହାର ବେଶ, ଗଜାନନ ବା ହାତୀବେଶ, ରାଜାଧିରାଜ ବେଶ (ସୁନାବେଶ), ବନଭୋଜୀ ବେଶ, କାଳୀୟଦଳନ ବେଶ, ପ୍ରଳମ୍ବାସୁର ବଧ ବେଶ, କୃଷ୍ଣ ବଳରାମ ବେଶ, ବାମନ ବେଶ, ରାଧାଦାମୋଦର ବେଶ, ଲକ୍ଷ୍ମୀନାରାୟଣ ବେଶ (ଠିଆକିଆ), ବାଙ୍କଚୂଡ଼ ବେଶ, ତ୍ରିବିକ୍ରମ ବେଶ (ଡାଳିକିଆ ବେଶ), ଲକ୍ଷ୍ମୀନୃସିଂହ ବେଶ (ଆଡ଼କିଆ ବେଶ), ନାଗାର୍ଜୁନ ବେଶ, ଶ୍ରାଦ୍ଧ ବେଶ, ଘୋଡ଼ଲାଗି ବେଶ, ଜାମାଲାଗି ବେଶ, ନବାଙ୍କ ବେଶ, ପଦ୍ମମୁଖ ବେଶ, ଗଜଉଦ୍ଧାରଣ ବେଶ, ଚାଚେଡ଼ି ବେଶ, ରଘୁନାଥ ବେଶ (ରାମାଭିଷେକ) ବେଶ ଓ ଚନ୍ଦନଲାଗି ବେଶ ।

ସେହିପରି ଜଗନ୍ନାଥବଲ୍ଲଭ ମଠ ପରିସରରେ ଏହି ବେଶ ପ୍ରଦର୍ଶୀତ ହେବ । ସବୁବେଶରେ ଚତୁର୍ଦ୍ଧାମୂର୍ତ୍ତି ବସିବେ । ଏଥିପାଇଁ ୩ ଫୁଟ ଉଚ୍ଚତାର ଜଗନ୍ନାଥ ଓ ବଳରାମଙ୍କ ମୂର୍ତ୍ତି ତିଆରି କରାଯାଇଥିବାବେଳେ ୨.୫ ଫୁଟ ଉଚ୍ଚର ଦେବୀ ସୁଭଦ୍ରାଙ୍କ ମୂର୍ତ୍ତି ରହିଛି । ପ୍ରାୟ ୪ ଫୁଟର ସିଂହାସନ ଉପରେ ଠାକୁରଙ୍କର ଏହି ବେଶ ସବୁ ରହିବ । ମନ୍ଦିରରେ ଯେଉଁଭଳି ଠାକୁରଙ୍କୁ ବିଭିନ୍ନ ବେଶରେ ସଜ୍ଜିତ କରାଯାଏ ସେହିଭଳି ବେଶ କରାଯିବ । ଜରି, ଜମ୍ବୁରା, ସୋଲ, ଅଠା, ବିଭିନ୍ନ ପ୍ରକାର ମାଳି, କାର୍ଡବୋଡ ଆଦିରେ ଅଳଙ୍କାର ଓ ସାଜସଜ୍ଜା ସବୁ ତିଆରି କରାଯାଉଛି । ବେଶ ପ୍ରସ୍ତୁତି ଏବେ ପ୍ରାୟ ଶେଷ ପର୍ଯ୍ୟୟରେ ପହଞ୍ଚିଛି । ଆସନ୍ତା କାଲି ଠାରୁ ଏହାକୁ ସ୍ଥାପନ ଲାଗି ବ୍ୟବସ୍ଥା କରାଯିବ । ଭକ୍ତ ମାନେ ବିଭିନ୍ନ ସମୟରେ ଶ୍ରୀ ମନ୍ଦିର ରେ ମହାପ୍ରଭୁ ଙ୍କ ଏହି ଦୃଲଭ ବେଶ ଦେଖିବାର ସୁଯୋଗ ପାଇନଥିବା ବେଳେ ଏହି ପଦର୍ଶନି ଦ୍ୱାରା ସମସ୍ତ ବେଶ କୁ ଗୋଟିଏ ସ୍ଥାନ ରେ ଦେଖି ଆତ୍ମବିଭୋର ହେବେ ଭକ୍ତ ଶ୍ରଦ୍ଧାଳୁ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.