୫ ଭଉଣୀ ଓ ଗୋଟେ ଭାଇର ଭାଗ୍ୟ ବଦଳାଇଦେଲେ କିସ୍‌ ପ୍ରତିଷ୍ଠାତା, ଏବେ ଆଉ ଅନାଥ ନୁହେଁ ଏ ୬ ଜଣ

ପିଲାମାନଙ୍କ ଚଳଣି ପାଇଁ ଆସନ୍ତା ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ପ୍ରତ୍ୟେକ ମାସ ୧୦ ହଜାର ଟଙ୍କା ତାଙ୍କ ଜେଜେ ବାପାଙ୍କୁ ପଠାଇବେ । ଏହା ସହ ଆସନ୍ତା ଶିକ୍ଷା ବର୍ଷରେ ପିଲାମାନଙ୍କୁ କିସ୍‌ରେ ପାଠ ପଢିବା ପାଇଁ ନିବେଦନ କରିଛନ୍ତି ।

ବଣାଇ (କେନ୍ୟୁଜ) : ମାଆ ତୁ ତ ଚାଲି ଯାଇଥିଲୁ । ଏବେ ବାପା ବି ଚାଲିଗଲେ ଆରପାରିକୁ । ତୁ କହ ମାଆ, ଆମେ ୬ ଭାଇ ଭଉଣୀ ଏତେ ବଡ ଦୁନିଆରେ କେମିତି ବଞ୍ଚିବୁ ? ଖାଇବୁ କଣ ରହିବୁ କେମିତି, କିଏ ଆମ ଦୁଃଖ କଥା ବୁଝିବ। ଘର ପିଣ୍ଡାରେ ବସି ନିଜ ଭାଗ୍ୟ ଆଉ ଭବିଷ୍ୟତ କଥା ଚିନ୍ତା କରୁଛନ୍ତି ଏହି କୁନି କୁନି ୬ ଭାଇ ଭଉଣୀ । ଦିନ ଥିଲା ଆଠ ଜଣ ସଦସ୍ୟଙ୍କୁ ନେଇ ଖୁସିରେ କଟୁଥିଲା ପରିବାର । ଛଅ ଭାଇ ଭଉଣୀ ଓ ବାପା ମାଆଙ୍କୁ ନେଇ ଚଳୁଥିଲା ସୁନାର ସଂସାର । କିନ୍ତୁ ହଠାତ୍ ଏହି ପରିବାର ଉପରେ ଗ୍ରହଣ ଲାଗିଗଲା । ଦେହ ଅସୁସ୍ଥ ହେବାରୁ ଛଅ ଛୁଆଙ୍କୁ ଦୁଇ ବର୍ଷ ପୂର୍ବେ ଛାଡି ଆରପାରିକୁ ଚାଲି ଯାଇଥିଲା ମାଆ । ଯେମିତି ସେମିତି ବାପା ପିଲା ୬ ଜଣଙ୍କୁ ବଡ କରୁଥିଲେ । କିନ୍ତୁ ବୋଧହୁଏ ଭାଗ୍ୟ କିଛି ଅଲଗା ଚାହୁଁଥିଲା ସେଥିପାଇଁ ତ ୧୫ ଦିନ ତଳେ ବାପା ବି ଏ ଛୁଆ ୬ ଜଣଙ୍କୁ ଛାଡି ଚାଲିଗଲେ ପରପାରିକୁ । ଆଉ ଦୁଃଖ ସାଗରରେ ଲୁହ ଗଡାଇବାକୁ ରହିଗଲେ ଏହି ୬ ଭାଇ ଭଉଣୀ ।

ଏଭଳି ଏକ ଦୁଃଖଦ ଓ ଅଭାବନୀୟ ଘଟଣା ଏ ଚିତ୍ର ହେଉଛି ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ବ୍ଲକର ଟାଙ୍କଯୋଡ଼ା ଗାଁର । ଟାଙ୍କଯୋଡ଼ା ଗାଁର ଦଶରଥ ମୁଣ୍ଡା ଓ ସ୍ତ୍ରୀ ସଞ୍ଜୁ ମୁଣ୍ଡା। ଦଶରଥ କୁଲି ମଜୁରୀ କାମ କରି ଚଳାଉଥିଲେ। ଧୀରେ ଧୀରେ ସଂସାର ବଢ଼ିଲା ପାଞ୍ଚ ଝିଅ ଗୋଟିଏ ପୁଅ । ସାନ ଝିଅ ଯେତେବେଳେ ଛୋଟ ଥିଲା ମା କ୍ଷୀର ଖାଉଥିଲା ସେତେବେଳେ ସ୍ତ୍ରୀ ସଞ୍ଜୁଙ୍କର ଦେହ ଅସୁସ୍ଥ ହେଲା ଯାହାପରେ ଆରପାରିକୁ ଚାଲିଗଲେ। ଆଉ ମୁଣ୍ଡରେ ବୋଝ ପଡିଲା ବାପା ଦଶରଥଙ୍କର । କୁଲି ମଜୁରୀ କରି ଘର ପ୍ରତିପୋଷଣ କରୁଥିଲେ କିନ୍ତୁ ସେଥିରେ ବି ଭଗବାନ ଆଉ କିଛି ଲେଖିଥିଲେ। ଗତ ଅକ୍ଟୋବର ୨୧ ତାରିଖରେ ଗାଡି ଦୁର୍ଘଟଣାରେ ବାପା ଦଶରଥଙ୍କର ମୃତ୍ୟୁ ହେଲା । ଏବେ ବୋଝ ପଡିଲା ଜେଜେ ବାପା ନବୀନ ମୁଣ୍ଡାଙ୍କ ଉପରେ । କାରଣ ବଡ ନାତୁଣୀ ଲିପି ଓ ତା ତଳ ଜୁପି ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି ।, ତୃତୀୟ ସିପି ଷଷ୍ଠ, ପଞ୍ଚମ ସନ୍ତାନ ଟିକି ପଞ୍ଚମରେ ପଢୁଥିବା ବେଳେ ସବା ସାନ ମିକି ପଢୁଛି ପ୍ରଥମ ଶେଣୀରେ । ଏକମାତ୍ର ନାତି ଆୟୁଷ ମୁଣ୍ଡା ତୃତୀୟ ଶ୍ରେଣୀରେ ପାଠ ପଢୁଛି । ବାପା ମା ଛେଉଣ୍ଡ ହେଲା ପରେ ବଡ ବାପା ଏବେ ଦେଖାରଖା କରୁଛନ୍ତି କିନ୍ତୁ ଛଅ ଛୁଆଙ୍କୁ ଚଳାଇବା ଗୋଟିଏ ଗରିବ ପରିବାର ପକ୍ଷରେ ସମ୍ଭବ ନୁହେଁ । ସମସ୍ତେ ଏବେ ଚିନ୍ତାରେ କେମିତି ଛୁଆମାନେ ଚଳିବେ । କହୁଛନ୍ତି କେମିତି ଖାଇବୁ କେମିତି ପଢ଼ିବୁ ।

ଯେଉଁ ମାଟି ଘର ଅଛି ସେଥିରେ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖାଯାଏ, ତା ସହିତ ବର୍ଷା ପାଣି ଘରେ ପଡ଼େ। ଆଜି ପର୍ଯ୍ୟନ୍ତ ମିଳି ପାରିଲାନି ଖଣ୍ଡେ ଘର । କେହି କେହି ସହୃଦୟ ବ୍ୟକ୍ତି କିଛି ସାହଯ୍ୟ କଲେ ଛୁଆମାନଙ୍କ ଭବିଷ୍ୟତ ଗଢି ଉଠିବ ବୋଲି ଗଣମାଧ୍ୟମରେ ଖବର ପାଇଥିଲା । ଏକଥା ନଜରକୁ ଆସିଥିଲା କିଟ୍‌ ଓ କିସ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କର । ଯାହା ବିଷୟରେ ଶୁଣିଲା ପରେ ଡ. ସାମନ୍ତ ଏକଦମ୍ ବିଚଳିତ ହୋଇପଡିଥିଲେ । ତାଙ୍କ ମନକୁ ଭାରି ଆଘାତ ଲାଗିଥିଲା । ତେଣୁ ସେ ସଙ୍ଗେ ସଙ୍ଗେ ବଡ ଝିଅ ଲିପି ମୁଣ୍ଡାଙ୍କୁ ଏକ ଚିଠି ଲେଖିଲେ । ଯେଉଁ ଚିଠିରେ ସେ ସ୍ପଷ୍ଟ ଉଲ୍ଲେଖ ରହିଛି କି ବାପା ମା ଉଭୟ ନଥିବା ନେଇ ସେ ମର୍ମାହତ । ତେଣୁ ପିଲାମାନଙ୍କ ଚଳଣି ପାଇଁ ଆସନ୍ତା ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ପ୍ରତ୍ୟେକ ମାସ ୧୦ ହଜାର ଟଙ୍କା ତାଙ୍କ ଜେଜେ ବାପାଙ୍କୁ ପଠାଇବେ । ଏହା ସହ ଆସନ୍ତା ଶିକ୍ଷା ବର୍ଷରେ ପିଲାମାନଙ୍କୁ କିସ୍‌ରେ ପାଠ ପଢିବା ପାଇଁ ନିବେଦନ କରିଛନ୍ତି । ଏହି ଚିଠି ତାଙ୍କ ଘରେ ପାଇଲା ପରେ ତାଙ୍କ ଜେଜେ ବାପା ଘର ପରିବାର ସହ ଗାଁରେ ଭାରି ଖୁସି ହୋଇଛନ୍ତି । ଡ. ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସରପଞ୍ଚ ସୁନ୍ଦରଗଡ଼ ଜିଲ୍ଲା ସଭାପତି ଏ ଖବର ପାଇ ଡ. ଅଚ୍ୟୁତ ସାମନ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଦେବା ସହିତ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି ଭଗବାନଙ୍କ ନିକଟରେ । ଏମିତି ଯଦି ଜଣକୁ ଆଉ ଜଣେ ସାହାଯ୍ୟ କରନ୍ତେ ତେବେ ଏ ଦୁନିଆରେ ଆଉ କେହି ଦୁଃଖୀ ରହନ୍ତେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.