ଗଛରେ ଝୁଲୁଛି ପେନ୍ଥା ପେନ୍ଥା ପଳାସ ଫୁଲ, ଲାଲ ରଙ୍ଗରେ ରଙ୍ଗୀନ ହୋଇଛି ଧରଣୀ ରାଣୀ

ଯୁଆଡ଼େ ଚାହିଁବ ଲାଲ ରଙ୍ଗରେ ରଙ୍ଗୀନ ହୋଇ ସଜାଇ ହୋଇଛି ଧରଣୀ ରାଣୀ । ଗଛରେ ଥିବା ପେନ୍ଥା ପେନ୍ଥା ପଳାସ ଫୁଲ ସମ୍ପୂର୍ଣ୍ଣ ପରିବେଶକୁ ରଙ୍ଗୀନ କରିଦେଉଛି । ଗାଁ ହିଡ଼ ଅବା ଗାଁ ମୁଣ୍ଡ ଜଙ୍ଗଲ ଅବା ପୋଖରୀ ତୁଠ ସବୁଠି ଏବେ ପଳାସ ଫୁଲର ଆସର ।

ସୁବର୍ଣ୍ଣପୁର (କେନ୍ୟୁଜ): ଋତୁରାଜ ବସନ୍ତ ଆଗମନରେ ଚାରି ଆଡ଼େ ଶୋଭା ପାଉଛି ପଳାସ ଫୁଲ । ପ୍ରକୃତି ଓ ପରିବେଶ ମଧ୍ୟରେ ରହିଛି ନିବିଡ ସମ୍ପର୍କ । ପଳାସ ଫୁଲର ରଙ୍ଗର ମାଧୁର୍ଯ୍ୟ ଧରାପୃଷ୍ଠରେ ଭରିଦେଇଛି ସୌନ୍ଦର୍ଯ୍ୟ । ଲାଲ ରଙ୍ଗର ଏହି ପଳାସ ଫୁଲ ସତେ ଯେମିତି ଧରିତ୍ରୀ ରାଣୀର ମଥାର ସିନ୍ଦୁର ହୋଇ ଧରାପୃଷ୍ଠକୁ ଓହ୍ଲାଇଛି । ଲାଲ ଟୁକୁ ଟୁକୁ ଏହି ପଳାସ ଫୁଲର ଅପୂର୍ବ ସୌନ୍ଦର୍ଯ୍ୟର ମନୋରମ ଦୃଶ୍ୟ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଗାଁ, ନଦୀ, ନାଳ, ରାସ୍ତା କଡ଼ ଗୁଡିକରେ ଦେଖିବାକୁ ମିଳୁଛି । ପ୍ରକୃତିର ଏପରି ଅପରୂପ ସୌନ୍ଦର୍ଯ୍ୟ କବି ଓ ଭାବୁକମାନଙ୍କୁ କରିଛି ଆତ୍ମହରା ।

ଯୁଆଡ଼େ ଚାହିଁବ ଲାଲ ରଙ୍ଗରେ ରଙ୍ଗୀନ ହୋଇ ସଜାଇ ହୋଇଛି ଧରଣୀ ରାଣୀ । ଗଛରେ ଥିବା ପେନ୍ଥା ପେନ୍ଥା ପଳାସ ଫୁଲ ସମ୍ପୂର୍ଣ୍ଣ ପରିବେଶକୁ ରଙ୍ଗୀନ କରିଦେଉଛି । ଗାଁ ହିଡ଼ ଅବା ଗାଁ ମୁଣ୍ଡ ଜଙ୍ଗଲ ଅବା ପୋଖରୀ ତୁଠ ସବୁଠି ଏବେ ପଳାସ ଫୁଲର ଆସର । ଧୀର ପବନର ସ୍ପର୍ଶ ସହ ପଳାସ ଫୁଲ ମନକୁ ଦେଉଛି ଆନନ୍ଦ । ଚାରିଆଡ଼େ କୋଇଲିର କୁହୁ କୁହୁ ଶଦ୍ଦ ସାଙ୍ଗକୁ ଏ ଫୁଲ ମନରେ ସୃଷ୍ଟି କରୁଛି ଅପୂର୍ବ ଆନନ୍ଦ । କ୍ଲାନ୍ତ କୃଷକଟିଏ ହେଉ ଅବା ତୃଷାର୍ତ୍ତ ପଥିକ ଟିଏ ହେଉ ପଳାସ ଫୁଲକୁ ଦେଖି କ୍ଷଣିକପାଇଁ ଭୁଲିଯାଏ ସବୁ ଦୁଃଖ ଓ କଷ୍ଟ । ବେଳେ ବେଳେ ସାଧାରଣ ମଣିଷଟିଏ ଏପରି ଅପରୁପ ଦୃଶ୍ୟକୁ ଦେଖି କବି ହୋଇଯାଏ । ପଳାସ ଫୁଲ କେବଳ ଚୈତ୍ରମାସରେ ହିଁ ଦେଖିବାକୁ ମିଳିଥାଏ ବୋଲି ପରିବେଶବିତ୍‌ କହନ୍ତି ।

ବସନ୍ତଋତୁର ସୁନ୍ଦର ପରିବେଶକୁ ବିମୋହିତ କରିଦେଉଛି ପଳାସ ଫୁଲ । ଆକାଶର ଖଣ୍ଡ ଖଣ୍ଡ ଭସା ବାଦଲ ଓ ପୃଥିବୀର ଲାଲ ଲାଲ ପଳାସ ଫୁଲ ସତେ ଯେମିତି ପରସ୍ପରକୁ ଚାହିଁ ରହିଛନ୍ତି ଚାତକ ପରି । ଚାରି ଆଡ଼େ ଏବେ ଖୁସିର ଆସର । ଆଉ ଚୈତ୍ର ମାସରେ ମା’ ମଙ୍ଗଳାଙ୍କ ପୂଜାରେ ଓ ଦଣ୍ଡଯାତ୍ରାରେ ପଳାସ ଫୁଲର ବ୍ୟବହାର କରାଯାଇଥାଏ । ସେହିପରି ପଳାସ ଫୁଲରେ ରହିଛି ଅନେକ ଔଷଧିୟ ଗୁଣ । ପଳାସ ଫୁଲକୁ ବ୍ୟବହାର କରି ଚର୍ମରୋଗ ଭଳି ମାରାତ୍ମକ ରୋଗରୁ ରକ୍ଷା ପାଇଥାନ୍ତି ଲୋକେ । ଏହାର ପତ୍ରକୁ ମଧ୍ୟ ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ । ପ୍ରକୃତିର ଏହି ମନୋରମ ଅପୂର୍ବ ଦୃଶ୍ୟ ସବୁଜିମା କୋଳରେ ବେଶ୍ ଶୋଭା ପାଉଛି । ପ୍ରକୃତି ,ପରିବେଶ ଓ ସାହିତ୍ୟ ସହିତ ପଳାସ ଫୁଲ ଅଙ୍ଗାଙ୍ଗୀ ଭାବେ ଜଡିତ ହୋଇରହିଛି । ପଳାସ ଫୁଲର ବାସ୍ନା ନଥିଲେ ବି ଏହାର ସୌନ୍ଦର୍ଯ୍ୟ ସମସ୍ତଙ୍କୁ କରିଥାଏ ବିମୋହିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.