ଖାଲି ସମୟରେ ୫୫୨ ମିନିଟ ଶୋଇବାକୁ ପସନ୍ଦ କରନ୍ତି ଭାରତୀୟ ! NSO କଲା ପ୍ରଥମ ଟାଇମ ୟୁଜ ସର୍ଭେ

ଛୁଟିଦିନ କିମ୍ବା କୌଣସି ଖାଲି ସମୟରେ ଅଧିକରୁ ଅଧିକ ଭାରତୀୟ ଶୋଇବାକୁ ପସନ୍ଦ କରିଥାନ୍ତି। ଅର୍ଥାତ ନିଜ ନିଦ ପୂରା କରିବାକୁ ସେମାନଙ୍କୁ ଭଲ ଲାଗିଥାଏ। ଏହି କଥା ଏକ ସର୍ଭେରୁ ସାମ୍ନାକୁ ଆସିଛି। ଭାରତରେ ଏମିତି ପ୍ରଥମ ସର୍ଭେ ହୋଇଛି, ଯେଉଁଥିରେ ଏହା ଜାଣିବାକୁ ଚେଷ୍ଟା କରାଯାଇଥିଲା କି, ସାଧାରଣତଃ ଭାରତୀୟମାନେ ନିଜ ଦିନ କେମିତି କାଟିଥାନ୍ତି। ଏହି ସର୍ଭେରେ ଏହା ବି ଅନୁଧ୍ୟାନ କରାଯାଇଥିଲା କି, ଗ୍ରାମୀଣ ଏବଂ ସହରୀ ଲୋକ କେଉଁ କେଉଁ କାମରେ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି।
୨୦୧୯ ଜାନୁଆରୀ ଏବଂ ଡିସେମ୍ବର ମଧ୍ୟରେ National Statistics Office (NSO) ଏହି ଟାଇମ ୟୁଜ ସର୍ଭେ କରିଥିଲା। NSO ଏହି ସର୍ଭେ ୫୯୪୭ ଗାଁ ଏବଂ ୩୯୯୮ ସହରର ମୋଟ ୧୩୮,୭୯୯ ଘରେ କରିଥିଲା। ଅଣ୍ଡାମାନ ଓ ନିକୋବର ଗାଁକୁ ଛାଡ଼ି ପୂରା ଦେଶରେ ଏହି ସର୍ଭେ କରାଯାଇଥିଲା। ଲୋକ ବେତନ ଏବଂ ବିନା ବେତନ କାମକୁ କେତେ ସମୟ ଦେଉଛନ୍ତି, ତାହା ଏହି ସର୍ଭେରେ ନିର୍ଦ୍ଧାରିତ ହୋଇଥିଲା।
ସର୍ଭେ ମୁତାବକ, ପାଖାପାଖି ପ୍ରତ୍ୟେକ ଭାରତୀୟ ନିଜ ଖାଲି ସମୟକୁ ୫୫୨ ମିନିଟ ଅର୍ଥାତ ୯.୨ ଘଣ୍ଟା ଶୋଇକି ବିତାନ୍ତି। ଗ୍ରାମୀଣ ଅଞ୍ଚଳରେ ପୁରୁଷମାନେ ଖାଲି ସମୟରେ ୫୫୪ ମିନିଟ ଶୋଉଥିବା ବେଳେ ମହିଳାମାନେ ୫୫୭ ମିନିଟ ଶୋଇଥାନ୍ତି। କିନ୍ତୁ ସହରରେ ଏହି ଅନୁପାତ କମ ଥିବା ଜଣାପଡିଛି। ସହରର ପୁରୁଷମାନେ ଖାଲି ସମୟରେ ୫୩୪ ଏବଂ ମହିଳାମାନେ ୫୫୨ ମିନିଟ ଶୋଇକି ବିତାନ୍ତି।