୩୦ ବର୍ଷ ଧରି ପଲିଥିନ ଢଙ୍କା ଝାଟିମାଟି କୁଡିଆରେ ବିତୁଛି ଜୀବନ, ଆବାସ ଯୋଜନା ପାଲଟିଛି ସାତ ସପନ

କାକଟପୁର ବ୍ଲକର ଅବଦାନ ପଞ୍ଚାୟତର ତେଲିକୁଦ ଗାଁର ପୁନେଇ ବେୱା । ବୟସ ଆସି ୮୦ ଛୁଇଁଲାଣି । ପରିବାର କହିଲେ ଝିଅ ଜ୍ଵାଇଁ ସହିତ ତିନିଜଣ ନାତୁଣୀଙ୍କୁ ନେଇ ଅଭାବି ପରିବାର । ଆଜିକୁ ୩୦ ବର୍ଷ ହେବ ସେହି ଚାଳ ଛପର କୁଡିଆ ଘରେ ଏମାନଙ୍କ କଟୁଛି ଜୀବନ ।

କାକଟପୁର(କେନ୍ୟୁଜ୍‌): କାକଟପୁର ବ୍ଲକର ଅବଦାନ ପଞ୍ଚାୟତର ତେଲିକୁଦ ଗାଁର ପୁନେଇ ବେୱା । ବୟସ ଆସି ୮୦ ଛୁଇଁଲାଣି । ପରିବାର କହିଲେ ଝିଅ ଜ୍ଵାଇଁ ସହିତ ତିନିଜଣ ନାତୁଣୀଙ୍କୁ ନେଇ ଅଭାବି ପରିବାର । ପୁନେଇ ମାଉସୀଙ୍କ ପୁଅଟିଏ ଥିଲା ସେ ଆଜିକୁ ୩୦ ବର୍ଷ ହେବ କୁଆଡେ ଯାଇଛି ଯେ ଯାଇଛି ତାପରେ ସାନ ଝିଅକୁ ଘରେ ରଖିଛନ୍ତି । ଜ୍ଵାଇଁ ମଇଁଷି ପାଳନ୍ତି । ଦିନ ସାରା ମଇଁଷି ନେଇ ଚରାଇ ବୁଲାଇ ଯେଉଁ କ୍ଷୀର ଦେଇଥାନ୍ତି ସେହିଥିରୁ ଛଅ ପ୍ରାଣୀ କୁଟୁମ୍ବ କଷ୍ଟେ ମଷ୍ଟେ ଚଳିଯାନ୍ତି । କିନ୍ତୁ ଆଜିକୁ ୩୦ ବର୍ଷ ହେବ ସେହି ଚାଳ ଛପର କୁଡିଆ ଘରେ ଏମାନଙ୍କ କଟୁଛି ଜୀବନ ।

ଭାଙ୍ଗି ଯାଇଥିବା ଝାଟିମାଟି କୁଡିଆ ଉପରେ ପଲିଥିନ ଖଣ୍ଡେ ଘୋଡାଇ ସେହିଥିରେ ରୋଷେଇ ବାସ କରିବା ସହ ସପରିବାର ମୁଣ୍ଡ ଗୁଞ୍ଜୁଛନ୍ତି । ଆଉ ଖଣ୍ଡେ ଚାଳଛପର ଘରେ ଅଧା ଘରେ ଗୁହାଳ ତ ଆଉ ଅଧା ଘରେ ମଣିଷ ଚଳୁଛନ୍ତି । ପକ୍କ ଘର ଖଣ୍ଡେ ପାଇଁ ଅନେକ ନେତା,ବାବୁ ଙ୍କୁ ଗୁହାରି କରି କରି ନିରାଶ ହେଲେଣି ପୁନେଇ ମାଉସୀ । ବୟସର ଅପରାହ୍ନରେ ପହଞ୍ଚିବା ପରେ ସରକାରୀ ଘର ପାଇବା ଆଶା ଛାଡି ସାରିଲେଣି । ବାକି ଜୀବନଟା ଏମିତି କଟେଇ ଦେବେ ବୋଲି ଅଭିମାନ ଭରା କଣ୍ଠରେ କୁହନ୍ତି ପୁନେଇ ମାଉସୀ ।

ସେହିଭଳି ଦୀର୍ଘ ୨୦ ବର୍ଷ ହେବ ଘର ଖଣ୍ଡକୁ ଅନାଇ ଅନାଇ ନିରାଶ ହେବା ପରେ ନିଜ ଭାଗ୍ୟକୁ ଆଦରି ଭଙ୍ଗା କୁଡିଆ ଉପରେ ପଲିଥିନ ଢାଙ୍କି ଭଙ୍ଗା ମନ ନେଇ ଜୀବନ ବିତାଉଥିବା ଆଉ ଜଣେ ପରିବାର ହେଲେ ଅସ୍ତରଙ୍ଗ ବ୍ଲକର ଛୁରିଅନା ପଞ୍ଚାୟତର ସେବତୀ ସେଠୀଙ୍କ ପରିବାର । ପରିବାର କହିଲେ ସ୍ବାମୀ,ଝିଅଙ୍କ ସହ ତିନିପ୍ରାଣି କୁଟୁମ୍ବ, ସେବତୀଙ୍କ ରୋଜଗାର କହିଲେ ଗୁହାଳେ ବନ୍ଧା ହୋଇଥିବା ଗୋଟିଏ ଗାଈ । ଦିନକୁ ଦୁଇ ବେଳା ଗାଈ ଦେଉଥିବା କେଇ ଲିଟର କ୍ଷୀର, ସେହି କ୍ଷୀରକୁ ବିକ୍ରି କରି ଯାହା ଦୁଇ ପଇସା ହୁଏ ସେହିଥିରେ ଗାଈ ଚଳେ ଆଉ ତା ସହିତ ସେବତୀଙ୍କ ପରିବାର ମଧ୍ୟ ଚାଲିଥାଏ । ସରକାରଙ୍କ ଟଙ୍କିକିଆ ଚାଉଳ ଗଣ୍ଡାକ ହାଣ୍ଡିରେ ଫୁଟିଗଲେ ଆଉ ବାଡି ବଗିଚାରେ ଶାଗ,ପରିବା ଗଣ୍ଡାକ ହୋଇଗଲେ କଷ୍ଟେ ମଷ୍ଟେ ତିନିପ୍ରାଣୀ କୁଟୁମ୍ବ ଚଳି ଯାଇଥାଏ ।

ଅଭାବି ପରିବାରକୁ ମୁଣ୍ଡ ଗୁଞ୍ଜିବା ପାଇଁ ସରକାରୀ ପକ୍କା ଘର ଖଣ୍ଡିକ ପାଇଁ ନେତା ମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି । ହେଲେ ନିର୍ବାଚନ ପରେ ନିର୍ବାଚନ ଆଉ ସମୟ ପରେ ସମୟ ଗଡିଚାଲିଛି ସିନା ସେବତୀଙ୍କ ମୁଣ୍ଡ ଉପରେ ରହିଥିବା ନୂଆଣିଆ ଚାଳ ଛପର ଉପରେ ପଲିଥିନ ଢଙ୍କା ଝାଟି ମାଟିର କୁଡିଆର ଚିତ୍ର ଯେମିତି କୁ ସେମିତି ହୋଇ ରହିଛି । ନିର୍ବାଚନ ସମୟରେ କେତେ ନେତା କେତେ ଲୋକ ଘରକୁ ଆସିଥାନ୍ତି ଭୋଟ ମାଗିବା ପାଇଁ ,କିନ୍ତୁ ଘର ଖଣ୍ଡେ ପାଇବା କଥା ଗୁହାରି କରନ୍ତି ସେବତୀ,ସବୁବେଳେ ସମାନ ପ୍ରତିଶୃତି ମିଳେ ସିନା କିନ୍ତୁ ଯେଉଁ ଭଙ୍ଗା କୁଡିଆକୁ ସେହି ପଲିଥିନ ଢଙ୍କା କୁଡିଆ ଘରେ ଜୀବନ କାଟିବାକୁ ପଡୁଛଇ ସେବତୀଙ୍କୁ । ପ୍ରତିଶୃତି ସବୁ ପାଣିର ଗାର ହୋଇଯାଏ । ଏ ଯାଏ ଏମାନଙ୍କ ପାଖରେ କୌଣସି ସରକାରୀ ଯୋଜନା ପହଞ୍ଚି ପାରିନି । ସରକାରୀ ପକ୍କାଘରକୁ ଅନାଇ ଅନାଇ ଦୀର୍ଘ ବର୍ଷ ହେବ ଦୟନିୟ ଜୀବନ ବିତାଉଛନ୍ତି ପୁନେଇ ବେୱା ଆଉ ସେବତୀ ସେଠୀ । କେବେ ସରକାରୀ ଯୋଜନା ତାଙ୍କ ନିକଟରେ ପହଞ୍ଚିବ ଆଉ ସେମାନଙ୍କ ମୁଣ୍ଡ ଉପରେ ପକ୍କାଘର ଖଣ୍ଡିଏ ରହିବ ସେହି ଦିନକୁ ଅନାଇ ରହିଛନ୍ତି ଏହି ଦୁଇ ପରିବାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.