ପାଞ୍ଚ ଥର ହୋଇସାରିଛି ପୃଥିବୀର ସାମୂହିକ ବିନାଶ! ପୁଣି ଆଶଙ୍କା କଲେ ବୈଜ୍ଞାନିକ
ଆଜକୁ ୨୬୦ ମିଲିୟନ୍ ଅର୍ଥାତ୍ ପାଖାପାଖି ୨୬ କୋଟି ବର୍ଷ ପୂର୍ବେ ପୃଥିବୀକୁ ସାମୂହିକ ବିନାଶ ଭୋଗିବାକୁ ପଡ଼ିଥିଲା। ସେହି ସମୟରେ ପୃଥିବୀ ଜୀବଜନ୍ତୁବିହୀନ ହୋଇଯାଇଥିଲା। ଏହାସହିତ ଭୂଗର୍ଭିକ ଏବଂ ବାହ୍ୟ କାରଣରୁ ମଧ୍ୟ ପୃଥିବୀରେ ସାମୂହିକ ବିନାଶ ବଢ଼ିଯାଇଥିଲା। ଏକ ନୂଆ ଅଧ୍ୟୟନରେ ବୈଜ୍ଞାନିକମାନେ ଏହା ଦାବି କରିଛନ୍ତି।
ଅସନ୍ତୁଳିତ ପରିବେଶ ଅଟେ ପ୍ରମୁଖ କାରଣ
ଆମେରିକାର ନ୍ୟୁୟର୍କ ୟୁନିଭର୍ସିଟି ପ୍ରଫେସର ମିଶେଲ ରେମ୍ପିନୋ କହିଛନ୍ତି, ସାମୂହିକ ବିନାଶର କାରଣଗୁଡ଼ିକୁ ଯାଞ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ, ଏ ପଯ୍ୟର୍ନ୍ତ ପୃଥିବୀରେ ଅନେକ ଥର ସାମୂହିକ ବିନାଶ ଘଟିସାରିଛି। ପୂର୍ବକ୍ଷେତ୍ରରେ ହୋଇଥିବା ରିସର୍ଚ୍ଚରୁ ଜଣାପଡ଼ିଥିଲା, ସମସ୍ତ ଘଟଣା ପରିବେଶ ସମ୍ବନ୍ଧୀୟ ଅସନ୍ତୁଳନ କାରଣ ଯୋଗୁ ଘଟିଛି। ସେ ସମୟରେ ଅଧିକ ପରିମାଣରେ ବନ୍ୟା ଏବଂ ଜ୍ୱଳାମୁଖୀ ବିସ୍ଫୋରଣ ଘଟଣା ଘଟିଛି। ଏହାଦ୍ୱାରା ଲକ୍ଷ ଲକ୍ଷ କିଲୋମିଟର ପଯ୍ୟର୍ନ୍ତ ପୃଥିବୀରେ ଲାଭା ଖେଳିଯାଇଥିଲା। ଆଉ ଏହି କାରଣରୁ ପୃଥିବୀ ଜୀବଜନ୍ତୁବିହୀନ ହୋଇଯାଇଥିଲା।
ଏହାପୂର୍ବରୁ ବୈଜ୍ଞାନିକମାନେ ଅନୁମାନ କରିଥିଲେ କି, ଏ ପଯ୍ୟର୍ନ୍ତ ପାଞ୍ଚ ଥର ସାମୂହିକ ବିନାଶ ଘଟଣା ଘଟିସାରିଛି, ଯେଉଁ କାରଣରୁ ବଡ଼ ସଂଖ୍ୟାରେ ଅନେକ ଜୀବଙ୍କ ପ୍ରଜାତି ଲୋପ ପାଇଯାଇଛନ୍ତି। ଭୂବୈଜ୍ଞାନିକମାନେ ସାମୂହିକ ବିନାଶର ଏହି ଅବଧିଗୁଡ଼ିକୁ ୫ ଭାଗରେ ବିଭକ୍ତ କରିଛନ୍ତି। ସେଗୁଡ଼ିକ ହେଲା, ୪୪.୩ କୋଟି ବର୍ଷ ପୂର୍ବ, ୩୭ କୋଟି ବର୍ଷ ପୂର୍ବ, ୨୫.୨ କୋଟି ବର୍ଷ ପୂର୍ବ, ୨୦.୧ କୋଟି ବର୍ଷ ପୂର୍ବ ଏବଂ ୬.୬ କୋଟି ବର୍ଷ ପୂର୍ବ।
ଏହାସହ ପଢ଼ନ୍ତୁ: ସମୁଦ୍ର ପାଣିରେ ନୀଳ ରଙ୍ଗର ଚମକ! ହୋଇପାରେ ଘାତକ!
ପୁଣିଥରେ ହୋଇପାରେ ବିନାଶ
ବୈଜ୍ଞାନିକମାନଙ୍କ କହିବା ହେଲା, ଆଜି ବି ଅନେକ ଜୀବଙ୍କ ପ୍ରଜାତି ବିଲୁପ୍ତ ହେବାର ଶେଷ ସୀମାରେ ଅଛନ୍ତି। ପୃଥିବୀର ତାପମାତ୍ରା ମଧ୍ୟ ଲଗାତାର ବଢ଼ିବାରେ ଲାଗିଛି। ଯଦି ଏହି ପ୍ରକ୍ରିୟା ଜାରି ରୁହେ, ତା’ହେଲେ ହୁଏତ ଆମକୁ ପୁଣିଥରେ ସାମୂହିକ ବିନାଶର ସାକ୍ଷୀ ରହିବାକୁ ପଡ଼ିପାରେ।