ମକର ସଂକ୍ରାନ୍ତି ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି: ଆଜିଠୁ ମହାଲକ୍ଷ୍ମୀଙ୍କ ହାତରନ୍ଧା ଖାଇବେ ମହାପ୍ରଭୁ

ଆଜି ପବିତ୍ର ମକର ସଂକ୍ରାନ୍ତି । ସବୁଠି ଉତ୍ସବର ମାହୋଲ। ସେପଟେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି । ପରମ୍ପରା ଅନୁଯାୟୀ ଗତକାଲି ବାପଘରୁ ଶ୍ରୀମନ୍ଦିର ଲେଉଟିଛନ୍ତି ମା ଲକ୍ଷ୍ମୀ ଠାକୁରାଣୀ । ସାଙ୍ଗରେ ଆଣିଛନ୍ତି ମକର ଚାଉଳ ।

ପୁରୀ/ଆଠଗଡ଼/ ବେଗୁନିଆ (କେନ୍ୟୁଜ): ଆଜି ପବିତ୍ର ମକର ସଂକ୍ରାନ୍ତି । ସବୁଠି ଉତ୍ସବର ମାହୋଲ। ସେପଟେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି । ପରମ୍ପରା ଅନୁଯାୟୀ ଗତକାଲି ବାପଘରୁ ଶ୍ରୀମନ୍ଦିର ଲେଉଟିଛନ୍ତି ମା ଲକ୍ଷ୍ମୀ ଠାକୁରାଣୀ । ସାଙ୍ଗରେ ଆଣିଛନ୍ତି ମକର ଚାଉଳ। ମଧ୍ଯାନ୍ନ ଧୂପରେ ଲାଗି ହେବ ମକରଚାଉଳ ପ୍ରସାଦ। ଖାଲି ଶ୍ରୀମନ୍ଦିର ନୁହେଁ ପରମ୍ପରା ଅନୁଯାୟୀ ବିଭିନ୍ନ ମଠବାଡି ଓ ପୁରପଲ୍ଲୀରେ ପାଳିତ ହେଉଛି ବନ୍ଧୁତ୍ୱର ପର୍ବ ମକର ସଂକ୍ରାନ୍ତି।

ଆଜିଠାରୁ ସୂର୍ଯ୍ୟଦେବଙ୍କର ଆରମ୍ଭ ହୋଇଥାଏ ଉତ୍ତରାୟଣ ଗତି:

ତେବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରା ମଧ୍ୟରେ ମକରସଂକ୍ରାନ୍ତି ଏକ ପ୍ରମୁଖ ଯାତ୍ରା । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆଜିଠାରୁ ସୂର୍ଯ୍ୟଦେବଙ୍କର ଆରମ୍ଭ ହୋଇଥାଏ ଉତ୍ତରାୟଣ ଗତି । ଏହି ଉତ୍ତରାୟଣ ସମୟରେ ଧିରେ ଧିରେ ଗରମ ଅନୁଭୁତ ହୋଇଥାଏ । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରା ମଧ୍ୟରେ ମକର ସଂକ୍ରାନ୍ତି ଏକ ପ୍ରମୂଖ ପର୍ବ ହୋଇଥିବା ବେଳେ ଶ୍ରୀମନ୍ଦିରରେ ପାଳିତ ହେବ ମକରବେଢା । ଏହି ଅବସରରେ ବିଭିନ୍ନ ସୁଗନ୍ଧିତ ପୁଷ୍ପ, ତୁଳସୀରେ ମାଳଚୂଳ ସହ ଛଅମୁର୍ତ୍ତୀ ଅଳଙ୍କାରରେ ବିଭୁଷିତ ହୋଇ ମକର ଚୌରାସୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନିତୀ ନିର୍ଘଣ୍ଟ ଅନୁସାରେ କରାଯାଇଛି ।

ଗତକାଲି ରାତିରୁ ଆଲାମଚଣ୍ଡୀ ମନ୍ଦିର ପକ୍ଷରୁ ସ୍ୱତନ୍ତ୍ର ମକର ଚାଉଳ ଭୋଗ ପାଇଁ ଶ୍ରୀମନ୍ଦିରକୁ ମକରତାଡ ଯୋଗାଇ ଦିଆଯାଇଛି । ଆଜି ଅବକାଶ ନିତି ପରେ ମହାପ୍ରଭୁ ମକରବେଶ ବା ମକର ଚୌରାଶୀ ବେଶରେ ମଇଲମ ହୋଇଛନ୍ତି। ସେପଟେ ଚୁନରା ସେବାୟତଙ୍କ ପକ୍ଷରୁ ଅଁଳା ବେଢା ଉପରେ ଗେରୁ ରଙ୍ଗରେ ରାମାନନ୍ଦି ଚିତ୍ତା ଅଙ୍କନ ସହ ନିଳଚକ୍ର ମାଜଣା ହୋଇଛି।

ଓଡିଆଙ୍କ ଘରେ ଘରେ ଆଜି ସୁସ୍ୱାଦୁ ମକର ଚାଉଳ ପ୍ରସ୍ତୁତି:

ସେପଟେ ପ୍ରତିଟି ଓଡିଆଙ୍କ ଘରେ ଘରେ ଆଜି ସୁସ୍ୱାଦୁ ମକର ଚାଉଳ ପ୍ରସ୍ତୁତ କରି ତାକୁ ଭୋଗ କରିବା ପରେ ବନ୍ଧୁ ପରିଜନଙ୍କୁ ବଣ୍ଟନ କରାଯିବାର ପରମ୍ପରା ରହିଛି। ଅନ୍ୟପଟେ ଶ୍ରୀମନ୍ଦିରରେ ଧନୁ ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଥିବା ପହିଲି ଭୋଗ ମକର ସଂକ୍ରାନ୍ତି ଦିନ ଠାରୁ ହିଁ ବନ୍ଦ ହୋଇଥାଏ । କାରଣ ମା ଲକ୍ଷ୍ନୀ ଠାକୁରାଣୀ ଧନୁ ସଂକ୍ରାନ୍ତି ଠାରୁ ନିଜ ବାପଘରକୁ ଯାଇଥିବାରୁ ମା ବିମଳା ନିଜ ପୁତ୍ରପାଇଁ ବଡି ଭୋରରୁ ପହିଲି ଭୋଗ ପ୍ରସ୍ତୁତ କରୁଥିଲେ । ଆଉ ଏବେ ଲକ୍ଷ୍ନୀ ସାଆନ୍ତାଣୀ ଗତକାଲି ବାପଘରୁ ପ୍ରତ୍ୟାବର୍ତନ କରିଥିବାରୁ ଆଜିଠାରୁ ମହାପ୍ରଭୁ ମା ଲକ୍ଷ୍ନୀଙ୍କ ହାତରନ୍ଧା ଖାଇବାର ବିଧି ରହିଛି । ସେପଟେ ଖାଲି ଶ୍ରୀମନ୍ଦିର ନୁହେଁ ମଠବାଡିରୁ ଆରମ୍ଭ କରି ପୁରପଲ୍ଲୀରେ ମକରଚାଉଳ ଭୋଗ କରି ସ୍ନେହ ଓ ବନ୍ଧୁତ୍ୱର ପର୍ବ ପାଳନ କରାଯାଉଛି।

ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠ ବେଶ ଚଳଚଞ୍ଚଳ: 

ସେହିପରି ଆଜି ମକର ସଂକ୍ରାନ୍ତି ଅବସରରେ ଆଠଗଡର ଅନ୍ୟତମ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠ ବେଶ ଚଳଚଞ୍ଚଳ । ଧାର୍ମିକ ବିଶ୍ବାସ ରହିଛି ଆଜିର ଦିନରେ ଧବଳେଶ୍ଵରଙ୍କୁ ଦର୍ଶନ କରିବା ସହ ତାଙ୍କ ପାଖରେ ମକରଚାଉଳ ଲାଗି କଲେ କୋଟି ଜନ୍ମର ପୂର୍ଣ୍ଣ୍ୟ ଫଳ ମିଳିଥାଏ । ପ୍ରତିବର୍ଷ ଭଳି ଚଳିତ ବର୍ଷ ଏହି ପୀଠରେ ହଜାର ହଜାର ଶ୍ରଦ୍ଧାଳୁମାନଙ୍କ ସମାଗମ ହୋଇଛି। ପୂଜକ ସମିତି ପକ୍ଷରୁ ରାତ୍ର ୪ଟା ରୁ ଦ୍ଵାର ଫିଟାଯାଇ ୧୦୮ ପାବତ୍ର ସୁବାସିତ ଜଳରେ ବାବାଙ୍କୁ ସ୍ନାନ କରାଯାଇ ଅଗୁରୁ , ଚନ୍ଦନ ଆଦି ଲାଗି କରିବା ସହ ସମସ୍ତ ନିତିକାନ୍ତି କରିବା ପରେ ସାଧାରଣ ଦର୍ଶନ ପାଇଁ ଦ୍ଵାର ଫିଟା ଯାଇଥିଲା। ପ୍ରବଳ ଭକ୍ତ ସମାଗମକୁ ଆଖି ଆଗରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କଂକ୍ରିଟ ସେତୁ ଠାରୁ ବାବା ଧବଳେଶ୍ବର ମନ୍ଦିର ପର୍ୟ୍ୟନ୍ତ ସମସ୍ତ ବ୍ୟବସ୍ଥା କରାଯାଇଛି।

ମକର ସଂକ୍ରାନ୍ତି ପାଇଁ ବେଶ୍ ଚଳଚଞ୍ଚଳ ହଟ୍ଟକେଶ୍ଵର ମହାଦେବଙ୍କ ପୀଠ:

ଏପଟେ ପବିତ୍ର ମକର ସଂକ୍ରାନ୍ତି ପାଇଁ ବେଶ୍ ଚଳଚଞ୍ଚଳ ବେଗୁନିଆ ବ୍ଲକର ଅଟ୍ରି । ଏଠିକାର ପ୍ରସିଦ୍ଧ ଠାକୁର ବାବା ହଟ୍ଟକେଶ୍ଵର ମହାଦେବଙ୍କ ନିକଟରେ ଲାଗିଛି ଭକ୍ତଙ୍କ ଲମ୍ବା ଲାଇନ୍ । ହାତରେ ଭୋଗ ନଡିଆ ସହିତ ଦୀପ ଧରି ଦର୍ଶନ କରୁଛନ୍ତି ଏକାଦଶ ରୁଦ୍ର ବାବା ହଟ୍ଟକେଶ୍ଵର ମହାଦେବଙ୍କୁ । ଏଥିସହିତ ଏଠିକାର ମୁଖ୍ୟ ଆକର୍ଷଣ ହେଉଛି ପୁଅ ପାଇଁ ଗୁଆଟିଏ । ବିଶ୍ବାସ ରହିଛି ଯେଉଁ ଦମ୍ପତି ଦୀର୍ଘ ଦିନ ଧରି ନିଃସନ୍ତାନ ଥାଆନ୍ତି ସେମାନେ ଏହି ମକର ସଂକ୍ରାନ୍ତି ଦିନ ବାବା ହଟ୍ଟକେଶ୍ଵର ମହାଦେବଙ୍କ ନିକଟରେ ସଂକଳ୍ପ କରି ନିକଟସ୍ଥ ଉଷ୍ମପ୍ରସ୍ରବଣ ଠାରେ ଅବସ୍ଥିତ ମାନସିକ କୁଣ୍ଡରୁ ଗୁଆ ଖୋଜି ସେବନ କଲେ ସେମାନଙ୍କର ବର୍ଷକ ମଧ୍ୟରେ ସନ୍ତାନ ଲାଭ କରନ୍ତି । ଆଉ ସେଇଥି ପାଇଁ ଏହି ମକର ସଂକ୍ରାନ୍ତି ଦିନ ଦୂରଦୂରାନ୍ତରୁ ଦୌଡି ଆସିଥାନ୍ତି ଅନେକ ନିଃସନ୍ତାନ ଦମ୍ପତି । ଏଥିସହିତ ଏଠାକାର ଆଉ ଏକ ଆକର୍ଷଣ ହେଉଛି ଉଷୁମ ପାଣି ମଜ୍ଜା ।

ବର୍ଷର ପ୍ରଥମ ଫସଲ ମକର ସଂକ୍ରାନ୍ତିରେ ହି ଅମଳ କରାଯାଏ:

ମକର ସଂକ୍ରାନ୍ତିର ପର୍ବ ଭାରତୀୟ ଲୋକଙ୍କର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ଦିନଠାରୁ ଶୀତ ଶେଷ ହେବା ଆରମ୍ଭ ହୁଏ ଏବଂ ଦିନ ବଡ ହେବା ଆରମ୍ଭ କରେ । ବର୍ଷର ପ୍ରଥମ ଫସଲ ମକର ସଂକ୍ରାନ୍ତିରେ ହି ଅମଳ କରାଯାଏ । ସେଥିପାଇଁ ଏହି ପର୍ବର ଏକ ଭିନ୍ନ ମହତ୍ତ୍ୱ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.