ଯେତେବେଳେ ଦିଲ୍ଲୀରେ ଉଡୁଥିଲା ସ୍ୱାଧୀନ ଭାରତର ପ୍ରଥମ ତ୍ରିରଙ୍ଗା ସେତେବେଳେ ମହାତ୍ମା ଗାନ୍ଧୀ କେଉଁଠି ଥିଲେ ? କରୁଥିଲେ କଣ ?

କୋଲକାତା ବେଲିଆଘାଟାର ଗାନ୍ଧୀ ଭବନ । ଏଠାକାର ଇତିହାସ ଏବଂ ତା ସହିତ ମହାତ୍ମାଙ୍କ ସମ୍ପର୍କ ବିଷୟରେ ଅନେକ ଜାଣି ନଥିବେ । ଆସନ୍ତୁ ଆଜି ଜାଣିବା ସେହି ଅଭୁଲା ଅକୁହା କଥା ।

କୋଲକାତା (କେନ୍ୟୁଜ୍‌) : ୧୯୪୭ ମସିହା ଅଗଷ୍ଟ ୧୫ । ଭାରତ ମାଟିରେ ଉଡ଼ିଲା ତ୍ରିରଙ୍ଗା । ଦେଶକୁ ମିଳିଲା ବହୁ ପ୍ରତୀକ୍ଷିତ ସ୍ଵାଧୀନତା । ତତ୍କାଳୀନ ନେତା ଓ ସ୍ୱାଧୀନତା ସଂଗ୍ରାମୀମାନେ ଆନନ୍ଦରେ ଆତ୍ମହରା ହୋଇ ପଡୁଥିଲେ । ହେଲେ ସେତେବେଳେ ସାମ୍ପ୍ରଦୟିକ ଆଶାନ୍ତିକୁ ରୋକିବା ପାଇଁ କୋଲକାତା ସ୍ଥିତ ବେଲିଆଘାଟ ଠାରେ ମୁସଲମାନ ବହୁଳ ଅଞ୍ଚଳରେ ରହି ଜାତିର ପିତା ମହାତ୍ମା ଗାନ୍ଧୀ ଅନଶନରେ ବସିଥିଲେ। ଦେଶ ଭାଗ ହେଉଥିଲା ଭାରତ ପାକିସ୍ତାନ ଭାବରେ । ହେଲେ ବିଖଣ୍ଡିତ ଭାରତ ଗାନ୍ଧିଜୀଙ୍କ ଲକ୍ଷ୍ୟ ନ ଥିଲା। ସେହି ସମୟରେ ହିନ୍ଦୁ ମୁସଲିମ ସଂଘର୍ଷ ତାଙ୍କୁ ଅତ୍ୟନ୍ତ ମର୍ମାହତ କରିଥିଲା । ତେଣୁ ଅନଶନର ପଥ ବାଛି ନେଇଥିଲେ। ଦେଶ ସ୍ଵାଧୀନ ହେବାର ତିନି ଦିନ ପୂର୍ବରୁ ଅର୍ଥାତ୍ ୧୯୪୭ ମସିହା ଅଗଷ୍ଟ ୧୨ ତାରିଖ ରାତ୍ରୀରେ ଗାନ୍ଧିଜୀ କୋଲକାତାର ବେଲିଆଘାଟାରେ ଥିବା ହାଇଦରୀ ମଞ୍ଜିଲକୁ ନିଜ ରହଣି ସ୍ଥାନ ଭାବେ ବାଛି ନେଇ ଥିଲେ। ସେହି ସ୍ଥାନ ପରବର୍ତ୍ତୀ ପର୍ଯ୍ୟାୟରେ ଗାନ୍ଧୀ ଭବନ ଭାବେ ପରିଚିତି ଲାଭ କରିଛି ।

ଅହିଂସା ଆନ୍ଦୋଳନର ପ୍ରବର୍ତ୍ତକ । ଶାନ୍ତିପୂର୍ଣ୍ଣ ପ୍ରତିବାଦରେ ସଚେତନତା ଏବଂ ସମାଧାନର ସୂତ୍ର ଖୋଜିଥିବା ସେଇ ମହା ମନୀଷି ମହାତ୍ମା ଗାନ୍ଧୀଙ୍କର ଆଜି ହେଉଛି ଜୟନ୍ତୀ । ତାଙ୍କ ସହ ଘଟିଥିବା ଅନେକ ଘଟଣା ଏବେବି ଅଜଣା ହୋଇ ରହିଛି । କୋଲକାତା ବେଲିଆଘାଟାର ଗାନ୍ଧୀ ଭବନ, ଯାହା ଏକ ପୂଣ୍ୟ ଭୂମି ଠାରୁ କମ୍ ନୁହେଁ । ଏଠାକାର ଇତିହାସ ଏବଂ ତା ସହିତ ମହାତ୍ମାଙ୍କ ସମ୍ପର୍କ ବିଷୟରେ ଅନେକ ଜାଣି ନଥିବେ । ଆସନ୍ତୁ ଆଜି ଜାଣିବା ସେହି ଅଭୁଲା ଅକୁହା କଥା ।

GANDHI BHAVAN-2

ଗାନ୍ଧିଜୀ ବେଲିଆଘାଟା ନିକଟସ୍ଥ ଏକ ପଡ଼ିଆରେ ସଭା କରି ଶାନ୍ତି ବଜାୟ ରଖିବା ପାଇଁ ଦେଶବାସୀଙ୍କୁ ଆହ୍ବାନ ଦେଇଥିଲେ। ସେହି ସମୟରେ ସେ ଦେଶବାସୀ ଓ ଜନନେତା ମାନଙ୍କୁ ପରାମର୍ଶ ଦେଇଥିଲେ ଆତ୍ମବିଭୋର ନ ହୋଇ ଆତ୍ମଚିନ୍ତନ ପ୍ରତି ଗୁରୁତ୍ବ ଦେବାକୁ ।

ସ୍ୱାଧୀନତା ପ୍ରାପ୍ତି ପୂର୍ବ ଓ ପରେ ୨୭ ଦିନ ଧରି ଗାନ୍ଧିଜୀ ବେଲେଘାଟାର ସେହି ଘରେ ରହି ବାର୍ତ୍ତା ଦେବାକୁ ଚାହିଁ ଥିଲେ । ତାଙ୍କ ଭାବଧାରା ଓ ଅହିଂସା ଧର୍ମର ପରିପନ୍ଥୀ ଥିଲା ସେତେବେଳର ପରିସ୍ଥିତି । ତେବେ ତାଙ୍କର ପ୍ରଚେଷ୍ଟା ସଫଳ ହୋଇଥିଲା । କୋଲକାତାରେ ଉଭୟ ହିନ୍ଦୁ ଓ ମୁସଲମାନ ମିଶି ସ୍ୱାଧୀନତାର ପ୍ରଥମ ରାତିକୁ ପାଳନ କରିଥିଲେ ଅତ୍ୟନ୍ତ ଉଲ୍ଲାସର ସହ । ତେବେ ବାପୁ କିନ୍ତୁ ଭୁଲି ଯାଇଥିଲେ କିଭଳି ଘରେ କେଉଁ ପରିସ୍ଥିତିରେ ରହୁଛନ୍ତି । ଘରଟି ପରିତ୍ୟକ୍ତ ଅବସ୍ଥାରେ ଥିଲା । ଭଙ୍ଗା ଘରକୁ ଅତ୍ୟନ୍ତ ଅପରିଚ୍ଛନ ଓ ଅସ୍ୱାସ୍ଥ୍ୟକର ପରିବେଶ । ଗୋଟିଏ ମାତ୍ର ଶୌଚାଳୟରେ ଗାନ୍ଧିଜୀଙ୍କ ସମେତ ଶତାଧିକ ବ୍ୟକ୍ତି ଶୌଚ କର୍ମ କରୁଥିଲେ। ଚର୍ଚ୍ଚା ହୁଏ ଅଗଷ୍ଟ ୧୫ ତାରିଖରେ ରାଜଗୋପାଳାଚାରୀଙ୍କ ସମେତ ବହୁ ନେତା ଗାନ୍ଧିଜୀଙ୍କୁ ହାଇଦାରୀ ମଞ୍ଜିଲର ଏହି ଘରେ ସାକ୍ଷାତ କରି ପରାମର୍ଶ ନେବାକୁ ଆସିଥିଲେ। ଦେଶ ବନ୍ଧୁ ଚିତ୍ତରଞ୍ଜନ ଦାସଙ୍କ ଠାରୁ ଆରମ୍ଭ କରି ଆଶୁତୋଷ ମୁଖାର୍ଜୀଙ୍କ ପର୍ଯ୍ୟନ୍ତ ବହୁ ଜନ ନାୟକ ଏହି ଘରକୁ ଆସିଛନ୍ତି।

ମହାତ୍ମା ଗାନ୍ଧୀ ଏହି ଘର ଛାଡ଼ି ଯିବା ପରେ ଏହା ପାଲଟି ଯାଇଛି ଏକ ସ୍ମାରକୀ । ସେହି ଘର ନୂତନ ରୂପ ନେଇଛି। ଗାନ୍ଧୀ ସଂଗ୍ରହାଳୟ ସ୍ଥାପନ ହୋଇଛି। ତାଙ୍କ ବ୍ୟବହୃତ ସାମଗ୍ରୀ, ପୁସ୍ତକ ଆଦି ସଂରକ୍ଷିତ ରହିଛି। ଏହା ସହିତ ସତ୍ୟାଗ୍ରହର ବହୁବିଧ ତଥ୍ୟ ଏଠାରେ ଉପସ୍ଥାପନ କରା ଯାଇଛି। ଯାହାକି ଗାନ୍ଧିବାଦର ଏକ ସ୍ବତନ୍ତ୍ର ସ୍ମୃତି ହୋଇ ରହିଛି ।

ତେବେ ଖାଲି ମୁକସାକ୍ଷୀ ହୋଇ ରହିଥିବା ଗାନ୍ଧୀ ଭବନକୁ ଆସୁଥିବା ଲୋକଙ୍କ ଆକାଂକ୍ଷା ପୂରଣ ହୋଇ ପାରୁନାହିଁ । ଏଠାରେ ଗାନ୍ଧୀଙ୍କ ଜୀବନ ଦର୍ଶନ ଉପରେ ଆଧାରିତ ଲାଇଟ୍ ଆଣ୍ଡ ସାଉଣ୍ଡ ବ୍ୟବସ୍ଥା କେବଳ ପରିକଳ୍ପନାରେ ହିଁ ରହିଯାଇଛି । ଏହା ସହିତ ଉପଯୁକ୍ତ ଭିତ୍ତିଭୂମିର ଯଥେଷ୍ଟ ଅଭାବ ରହିଛି। ସେଥିପ୍ରତି ପଶ୍ଚିମବଙ୍ଗ ସରକାର ଗୁରୁତ୍ଵ ଦେବାକୁ ଦାବି ହେଉଛିା

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.