ଏହି କାରଣରୁ ନିଜ ଶାସନ କାଳରେ ମା’ଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତି ଥିବା ମୁଦ୍ରା ପ୍ରଚଳନ କରିଥିଲେ ମୁସଲମାନ ଶାସକ ମହମ୍ମଦ ଘୋରୀ

ଭାରତରେ କାହିଁ କେଉଁ ପୁରାତନ ଯୁଗରୁ ପ୍ରଚଳିତ ହୋଇଆସୁଛି ମୁଦ୍ରା। ଇତିହାସରୁ ଜଣାଯାଏ ଯେ ମୋଗଲ ଶାସକମାନେ ମଧ୍ୟ ତାଙ୍କ ଅମଳରେ ମୁଦ୍ରା ବ୍ୟବହାର କରୁଥିଲେ। ସେତେବେଳେ ମୁଦ୍ରାକୁ ଟଙ୍କା ଭଳି ବ୍ୟବହାର କରାଯାଉଥିଲା। ତେବେ ସବୁଠାରୁ ରୋଚକ କଥା ହେଉଛି ମୁସଲମାନ ଶାସକମାନେ ତାଙ୍କ ମୁଦ୍ରାରେ ଇସ୍‌ଲାମିକ୍‌ ଦେବତାଙ୍କ ଚିତ୍ର ବଦଳରେ ହିନ୍ଦୁ ଦେବାଦେବୀଙ୍କ ଚିତ୍ର ବ୍ୟବହାର କରୁଥିଲେ। ମୁସଲମାନ ଶାସକ ମହମ୍ମଦ ଘୋରୀଙ୍କ ଦ୍ୱାରା ପ୍ରଚଳିତ ମୁଦ୍ରାରେ ମା’ ଲକ୍ଷ୍ମୀଙ୍କର ଫଟୋ ଥିବା ବେଳେ ଆକବରଙ୍କ ମୁଦ୍ରାରେ ରାମସୀତାଙ୍କ ଫଟୋ ରହିଥିଲା। ତେବେ ଆସନ୍ତୁ ଜାଣିବା ଏହା ପଛରେ ଥିବା କାରଣ ସମ୍ପର୍କରେ…

ଦିଲ୍ଲୀର ଐତିହାସିକ ନଳିନୀ ଚୌହାନ୍‌ ଏକ ପ୍ରବନ୍ଧରେ ଲେଖିଥିଲେ ଯେ ଘୋରୀଙ୍କ ଦ୍ୱାରା ପ୍ରଚଳିତ ମୁଦ୍ରାର ଗୋଟିଏ ପାର୍ଶ୍ୱରେ ଲକ୍ଷ୍ମୀଙ୍କ ଚିତ୍ର ଥିବା ବେଳେ ଅନ୍ୟପଟେ ଦେବନାଗରୀରେ ମହମ୍ମଦ ବିନ୍‌ ସାମଙ୍କ ଚିତ୍ର ରହିଛି। ଏହି ମୁଦ୍ରା ଦିଲ୍ଲୀରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ସଂଗ୍ରହାଳୟରେ ସୁରକ୍ଷିତ ରହିଛି। ମୁଦ୍ରାର ଓଜନ ୪.୨ ଗ୍ରାମ୍‌ ଥିବା ଜଣାଯାଇଛି।

ସେ ଲେଖିଛନ୍ତି ଯେ ଦିଲ୍ଲୀରେ ଘୋରୀ ଅମଳର ମୁଦ୍ରାରେ ପୃଥ୍ଵୀରାଜ ସିଂହଙ୍କ ଶାସନବେଳର ହିନ୍ଦୁ ଦେବାଦେବୀଙ୍କ ଫଟୋ ଚିତ୍ର ସହ ଦେବନାଗରୀ ଭାଷାକୁ ରଖାଯାଇଥିଲା। ଦିଲ୍ଲୀରେ ଘୋରୀ ନିଜ ଦବ୍‌ଦବା ଜାହିର କରିବା ପର୍ଯ୍ୟନ୍ତ ପୃଥ୍ଵୀରାଜଙ୍କ ଶାସନ ବେଳେ ଚାଲିଥିବା ମୁଦ୍ରାରେ ଏତେଟା ଆଖିଦୃଶିଆ ପରିବର୍ତ୍ତନ କରିନଥିଲେ। ଏହି କାରଣରୁ ମୁସଲମାନ ଶାସକଙ୍କ ଶାସନ ବେଳେ ମଧ୍ୟ ପ୍ରଚଳିତ ମୁଦ୍ରାରେ ହିନ୍ଦୁ ଦେବାଦେବୀଙ୍କ ଫଟୋ ସମେତ ବୃଷଭ- ଘୋଡ଼ାଚଢ଼ାଳୀଙ୍କ ଫଟୋ ରହିଥିଲା।

ଏହା ପଛର କାରଣ ଦର୍ଶାଇବା ଅବସରରେ ନଳିନୀ ଚୌହାନ୍‌ ଲେଖିଛନ୍ତି କାଳେ ହିନ୍ଦୁ ଲୋକମାନେ ମୁସଲମାନଙ୍କ ପ୍ରଚଳିତ ମୁଦ୍ରା ଗ୍ରହଣ ନ କରିବେ ତାହା ଚିନ୍ତା କରି ଘୋରୀ ନିଜ ମୁଦ୍ରାରେ ହିନ୍ଦୁ ଦେବାଦେବୀଙ୍କ ଫଟୋକୁ ରଖିଥିଲେ। ଘୋରୀ ଲୋକଙ୍କ ବିଶ୍ୱାସ ଜିତିବାକୁ ଏହି ରଣନୀତି ଆପଣାଇଥିଲେ। କିନ୍ତୁ ଧୀରେ ଧୀରେ ସେ ସମସ୍ତ ବ୍ୟବସ୍ଥାକୁ ନିଜ ଅନୁକୂଳ ବଦଳାଇ ଦେଇଥିଲେ।

Image result for akbar coins

କେବଳ ଘୋରୀ ନୁହେଁ ମୋଗଲ ସମ୍ରାଟ ଆକବର ମଧ୍ୟ ଏଭଳି କରିବାକୁ ଚେଷ୍ଟା କରିଥିଲେ। ଆକବର ନିଜ ଶାସନକାଳରେ ସୀତାରାମଙ୍କ ନାଁରେ ଏକ ମୁଦ୍ରା ଜାରି କରିଥିଲେ। ଚାନ୍ଦିରେ ତିଆରି ହୋଇଥିବା ଏହି ମୁଦ୍ରାର ଗୋଟିଏ ପଟେ ରାମସୀତାଙ୍କ ଫଟୋ ଖୋଦେଇ ହୋଇଥିବା ବେଳେ ଅନ୍ୟପଟେ କଲମା ଲେଖାଯାଇଥିଲା। ଆକବର ଏଭଳି କରିବା ପଛର କାରଣ ସାଂପ୍ରଦାୟିକ ସୌହାର୍ଦ୍ଦ୍ୟ ବଢ଼ାଇବା ବୋଲି ଐତିହାସିକ ଇରଫାନ୍‌ ହବିବ୍‌ ବର୍ଣ୍ଣନା କରିଛନ୍ତି।

coin

ଐତିହାସିକଙ୍କ କହିବାନୁସାରେ ଭାରତୀୟଙ୍କ ସହ ସମ୍ପର୍କକୁ ମଜଭୁତ କରିବାକୁ ପୂର୍ବରୁ ଇଣ୍ଡୋ ୟୁନାନୀ ଶାସକଙ୍କ ସମୟରୁ ଏହି ରଣନୀତି ଆପଣାଯାଉଛି। ସେ ବୁଦ୍ଧ, ଶିବ ଓ କୃଷ୍ଣଙ୍କ ଚିତ୍ର ଥିବା ମୁଦ୍ରା ଚଳାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.