ମହିଳାଙ୍କ କଣ୍ଠରେ ହରି କଥା, ଢେଙ୍କାନାଳରେ ଦେଖିବାକୁ ମିଳିଛି ଏକ ନିଆରା ହରିବଂଶ ପାରାୟଣ

ହରି ନାମରେ କମ୍ପୁଛି ସାରା ପରିବେଶ। କିଏ ଭଗବାନଙ୍କ ନାମ ଭଜୁଛି ତ ଆଉ କିଏ ସଂକୀର୍ତ୍ତନରେ ନିଜକୁ ମଜାଇ ରଖିଛି। ଈଶ୍ୱର ପ୍ରେମରେ ସମସ୍ତେ ନିଜକୁ ହଜାଇ ଦେଇଛନ୍ତି। ଭକ୍ତି ଭାବନରେ ଦୁଲୁକୁଛି ପୂରା ପରିବେଶ। ଖାସ କଥା ହେଉଛି କେବଳ ମହିଳାମାନେ ହିଁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। କିଛି ମହିଳା ରାଧା କୃଷ୍ଣ ବେଶରେ ସଜେଇ ହୋଇଥିବା ବେଳେ ଆଉ କିଛି ଅସୁରୁଣୀ ବେଶରେ ନିଜକୁ ସଜାଇଛନ୍ତି। ଏଭଳି ଆଧ୍ୟାତ୍ମିକ ପରିବେଶ ଆସର ଜମିଛି ଢେଙ୍କାନାଳରେ। ଆପଣ ଦେଖୁଥିବା ଏହି ଦୃଶ୍ୟ ହେଉଛି ହରିବଂଶ ପାରାୟଣର।
ଏଠାରେ ଆୟୋଜିତ ହରିବଂଶରେ କୃଷ୍ଣ ଜନ୍ମ, ପୁତନା ବଧ, ରାଧା କୃଷ୍ଣ ରାସଲୀଳା ପ୍ରମୁଖ ବିଷୟକୁ ଅତି ନିଖୁଣ ଭାବେ ଉପସ୍ଥାପନ କରିଥିଲେ ମହିଳା ମାନେ। ରଙ୍ଗ ବେରଙ୍ଗର ପୋଷାକ ପରିଧାନ କରି ମହିଳାମାନେ ଖୁବ ସୁନ୍ଦର ଭାବେ ହରି କଥାକୁ ଲୋକଙ୍କ ସାମ୍ନାରେ ରଖିଛନ୍ତି। ପ୍ରତ୍ୟେକ ଦିନ ଶତାଧିକ ମହିଳା ଓ ଯୁବତୀ ଲଉଡ଼ି ଖେଳ ସହ ପୌରାଣିକ କଥାବସ୍ତୁକୁ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ସମ୍ମୁଖରେ ଉପସ୍ଥାପନ କରୁଛନ୍ତି l
ଢେଙ୍କାନାଳ ଜିଲ୍ଲା ଭୁବନର କଂସାରୀ ସାହିରେ ଅନୁଷ୍ଠିତ ହୋଇଛି ୫ମ ବାର୍ଷିକ ସାପ୍ତାହିକ ହରିବଂଶ ପାରାୟଣ। ଏ ଅବସରରେ ପ୍ରତ୍ୟେକ ଦିନ ହରିବଂଶ ପୁରାଣ ପାଠ ସାଙ୍ଗକୁ ସୂର୍ଯ୍ୟ ପୂଜା, ଗୋପୂଜା, ଷୋଡଶ ଉପଚାର ପୂଜା ପ୍ରଭୃତି ସମସ୍ତ ନୀତିକାନ୍ତି ପାଳନ କରାଯାଉଛି। ଏଥିସହ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ୪ ଧୂପ ମଧ୍ୟ କରାଯାଉଛି। ପୁରାଣ ଶୁଣିବା ସହ ଓ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲାଗୁଛି ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ l