Below header

ସାଇବର ଅପରାଧ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ସାଇବର ଅପରାଧ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ପୋଲିସ ନୂଆ ଜ୍ଞାନ କୌଶଳ ବ୍ୟବହାର କରୁ । ସାଇବର ଅପରାଧୀଙ୍କୁ ଧରିବାକୁ ନୂଆ ତରିକା ଆପଣାଯାଉ । ପୋଲିସ ଓ ତଦନ୍ତକାରୀ ସଂସ୍ଥା ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ମୁକାବିଲା କରିବାକୁ କହିଛନ୍ତି ହାଇକୋର୍ଟ । ବିଭିନ୍ନ ଦେଶରେ ପୃଥକ ପୃଥକ ବୈଷୟିକ ଓ ସାଇବର ଆଇନଗତ ବ୍ୟବସ୍ଥା ଥିବାରୁ ତଦନ୍ତ ପାଇଁ ଅନେକାଂଶରେ ଜଟିଳ ପରିସ୍ଥିତି ସୃଷ୍ଟି ହେଉଛି। ହେଲେ ଏହାର ଫାଇଦା ନେଇ ପାରିବେ ନାହିଁ ସାଇବର ଅପରାଧୀ। ପୂର୍ବତନ ପରିବହନ କମିଶନର ମଧୁସୂଦନ ପାଢୀଙ୍କ ଇମେଲ ହ୍ୟାକ୍‌ ସମ୍ପର୍କିତ ଏକ ମାମଲାର ଶୁଣାଣି ବେଳେ ଏଭଳି ମତ ରଖିଛନ୍ତି ହାଇକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ।

ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ ଇଣ୍ଟରନେଟ କ୍ରାଇମ କମ୍ପ୍ଲେକ୍ସ ରିପୋର୍ଟ ଅନୁଯାୟୀ ସାଇବର ଅପରାଧର ପ୍ରମୁଖ ୨୦ଟି ଦେଶ ମଧ୍ୟରେ ଭାରତର ସ୍ଥାନ ତୃତୀୟରେ ରହିଛି। ଓଡିଶାରେ ୨୦୧୮ ମସିହାରେ ୮୪୩ଟି ସାଇବର ମାମଲା ରୁଜୁ ହୋଇଛି। ପୂର୍ବତନ ପରିବହନ କମିଶନର ମଧୁସୂଦନ ପାଢୀଙ୍କର ଇମେଲ ଆଇଡି ହ୍ୟାକ୍‌ ହୋଇଥିବା ୨୦୧୭ ସେପଟେମ୍ବର ୧୧ ତାରିଖରେ କ୍ରାଇମବ୍ରାଞ୍ଚ ନିକଟରେ ଅଭିଯୋଗ ହୋଇଥିଲା । କ୍ରାଇମବ୍ରାଞ୍ଚରେ ଏ ସଂକ୍ରାନ୍ତରେ ଭାରତୀୟ ଦଣ୍ଡବିଧି ଆଇନର ୪୬୫,୪୬୯ ଓ ଆଇଟି ଆକ୍ଟର ଧାରା ୬୬ ଅନୁଯାୟୀ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା।

ଏହି ମାମଲାର ଅଭିଯୁକ୍ତ କମଳାକାନ୍ତ ତ୍ରିପାଠୀ ସିଆରପିସିର ଧାରା ୧୬୧ ଅନୁଯାୟୀ ୨୦୧୮ମାର୍ଚ୍ଚ ୫ରେ କ୍ରାଇମବ୍ରାଞ୍ଚରେ ହାଜର ହୋଇଥିଲେ । ସେହି ମାସ ୧୭ ତାରିଖରେ ତାଙ୍କର ତିନୋଟି ଲାପଟପ ଜବତ ହୋଇଥିଲା। ପରେ ତଦନ୍ତକାରୀ ସଂସ୍ଥା ଲାପଟପ ଗୁଡିକୁ ତାଙ୍କ ଜିମାରେ ଦେଇଥିଲା । ଗତ ମେ ୨୦ ତାରିଖରେ ଲାପଟପ ଗୁଡିକୁ ଦାଖଲ କରିବା ପାଇଁ କ୍ରାଇମବ୍ରାଞ୍ଚ ନୋଟିସ ଜାରି କରିଥିଲା। ଏଭଳି ନୋଟିସକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କମଳାକାନ୍ତ ତ୍ରିପାଠୀ। ହେଲେ ତାଙ୍କ ଆବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି ହାଇକୋର୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.