ନା କୋର୍ଟ ନା ଜଜ୍‌ ନା ତାରିଖ, ସିଧା ଏନକାଉଣ୍ଟର; ନଅ ଦିନରେ ନ୍ୟାୟ

ଜେଲ ଗଲେନି କି କୋର୍ଟ ଗଲେନି । ଓକିଲ କି ଜଜ୍‌ ରହିଲେନି । କେସ୍‌ ତାରିଖ ବି ପଡ଼ିଲାନି । ସ୍ପଟ୍‌ରେ ହେଲା ସିଧା ଏନକାଉଣ୍ଟର । ଇଏ ହେଉଛି ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ମାମଲାରେ ପୋଲିସ୍‌ର କାର୍ଯ୍ୟାନୁଷ୍ଠାନ । ଗତ ନଭେମ୍ବର ୨୭ ତାରିଖରେ ଘଟିଥିଲା ଏହି ଅଭାବନୀୟ ଘଟଣା । ଆଉ ଆଜି ହେଉଛି ଡିସେମ୍ବର ୬ ତାରିଖ । ଠିକ୍‌ ନଅ ଦିନରେ ନ୍ୟାୟ । ଯାହାକୁ ନେଇ ଏବେ ଖୁସି ସାରା ଦେଶ । ହେଲେ ଚିନ୍ତାରେ ଆଇନ୍‌ ପରାମର୍ଶଦାତା, ବୁଦ୍ଧିଜୀବୀ ଏବଂ ମାନବାଧିକାର କର୍ମୀ । ସେମାନଙ୍କ ମତରେ ଏଭଳି ଭାବେ ପୋଲିସ୍‌ ଆଇନ୍‌କୁ ଯଦି ହାତକୁ ନିଏ ତେବେ କଣ ହେବ ଏ ଦେଶର ଅବସ୍ଥା ? ଆମେ ଟିକିଏ ଯଦି ଭଲ କରି ଚିନ୍ତା କରିବା ତେବେ ବର୍ତ୍ତମାନ ଆମେ କୋଉ ଭଲରେ ଅଛୁ ଯେ ? ପୋଲିସ୍‌ ତ ଅଧିକାଂଶ ସ୍ଥାନରେ ନେତା ଓ ରାଜନୈତିକ ଦଳଙ୍କ ହାତବାରିସି ସାଜିଛି । ତେଣୁ ନ୍ୟାୟ କେଉଁଠି ଅଛି ?
ତେବେ ଆଜିର ଘଟଣା ପରେ ଅନ୍ତତଃ ପୋଲିସ୍‌ ଉପରେ ଅନେକଟା ଭରସା ଫେରି ଆସିଛି ଲୋକଙ୍କର । ଅପରାଧୀଙ୍କୁ ଏନ୍‌କାଉଣ୍ଟର କରି ପୋଲିସ୍‌ ନ୍ୟାୟ ଦେବ । ସିନେମାରେ ଭଲ ପୋଲିସ୍‌ ଭଳି ଲୋକଙ୍କୁ ରକ୍ଷା କରିବ । ମନେ ପଡୁଛି ଅଜୟ ଦେବଗନ୍‌ଙ୍କ ‘ସିଂହମ୍‌’ ଫିଲ୍ମ ଦେଖି ଅନେକ ପୋଲିସ୍‌ ଅଧିକାରୀ ଓ କର୍ମଚାରୀ ତାରିଫ କରିଥିଲେ । ଦେଶ ଓ ଲୋକଙ୍କ ସୁରକ୍ଷା ପାଇଁ ମନେ ମନେ ଶପଥ ନେଇଥିଲେ । ହେଲେ ଅସଲ ଜୀବନରେ ବି ସେମାନଙ୍କ ହାତବନ୍ଧା । ଏମିତି ଆଇନ୍‌ କାନୁନରେ ଓ ମାନବାଧିକାର ନିୟମରେ ।

CASE-2

ହେଲେ ଏସବୁରୁ ଊର୍ଦ୍ଧ୍ୱକୁ ଉଠି ନିଜ କର୍ତ୍ତବ୍ୟ ଅନୁସାରେ କାର୍ଯ୍ୟ କରିବା ଆମ ବ୍ୟବସ୍ଥା ଭିତରେ ସହଜ ନୁହେଁ । କେହି ଜଣେ ଅଧିକାରୀ ଯଦି ନିଜକୁ ଉଚିତ ମାର୍ଗରେ ନେବାକୁ ଚାହିଁବ ତେବେ ତା ଆଗରେ ଉପର ଅଫିସର୍‌ ପ୍ରତିବନ୍ଧକ ହୋଇ ଠିଆ ହେବେ । ଆହୁରି ଅନେକ ସମସ୍ୟାର ସାମନା କରିବାକୁ ପଡ଼ିବ ତାଙ୍କୁ ।
ଏଠାକାର ନିୟମ ହେଉଛି, ତୁମେ ଦୁର୍ନୀତି କରିବାକୁ ବାଧ୍ୟ । ଆଉ ଯଦି ନକରି ପାରୁଛ, ତୁମକୁ ଏଥିଲାଗି ବିବେକ ବାଧା ଦେଉଛି, ତେବେ ସବୁ ଦେଖି ଶୁଣି ଚୁପ୍‌ ରୁହ । ସିନେମା ଷ୍ଟାଇଲ୍‌ରେ ‘ସିଂହମ୍‌’ ଭଳି ହେଲେ କେଉଁ ଅପନ୍ତରା ଜାଗାକୁ ତୁମର ବଦଳି ହୋଇଯିବ । ନଚେତ ଏମିତି କେସ୍‌ରେ ଫସିବ ଯେ ଅଖା ଧୋଉ ଥିବ ଗୁଣ ଗାଉଥିବ । ହେଲେ ଏହା ହେଉଛି ଏକଦମ୍‌ ସତ କଥା କି ଯଦି ପୋଲିସ୍‌ ଚାହିଁବ ତେବେ ସମାଜରେ ଘଟୁଥିବା ଏଭଳି ଅପରାଧ ସବୁ ଅନେକାଂଶରେ କମିଯିବ ଏବଂ ଅପରାଧୀ ମଧ୍ୟ ସାବାଡ୍‌ ହୋଇଯିବେ । ଯେଉଁଦିନ ପୋଲିସ୍‌ ଉପରେ ସାଧାରଣ ଲୋକଙ୍କର ପୂରା ଭରସା ଆସିଯିବ ସେଦିନ ସେମାନେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କୁ ସାହାଯ୍ୟ କରିବେ । ଆଉ ସେହି ସମୟ ଦେଶରେ ରାମରାଜ୍ୟ ଆଣିବ । ହେଲେ ଏହା ପଛରେ ଯଦି କୌଣସି ରାଜନୀତି ଥାଏ ତେବେ ସାଂଘାତିକ ।
ଏମିତି ଆଶା କରିବା କଣ ସ୍ୱପ୍ନ ସହ ସମାନ ? ନା ସ୍ୱପ୍ନ ନୁହେଁ, ଯେଉଁଦିନ ପୋଲିସ୍‌ ପାଲଟିବ ସାଧାରଣ ମଣିଷ ଓ ସାଧାରଣ ମଣିଷ ହୋଇଯିବେ ପୋଲିସ୍‌ ସେ ଦିନ ସବୁ କିଛି ବଦଳିଯିବ ।

Leave A Reply

Your email address will not be published.