ମୁଖ୍ୟମନ୍ତ୍ରୀଙ୍କ ପୁଅ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କର୍ଣ୍ଣାଟକର ନୂଆ ସିଏମ୍‌ ବସବରାଜ୍‌ ବୋମ୍ମଇ କିଏ

ବିଏସ୍‌ ୟେଦିୟୁରପ୍ପାଙ୍କ ଇସ୍ତଫା ପରେ ଏବେ ବସବରାଜ୍‌ ବୋମ୍ମଇ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେବେ। ମଙ୍ଗଳବାର ୟେଦିୟୁରପ୍ପା ଇସ୍ତଫା ଦେଇଥିବା ନେଇ ସୂଚନା ଦେଇ ସବୁ ସସ୍‌ପେନ୍ସ ଶେଷ କରିଛନ୍ତି। ଆଜି ବସବରାଜ୍‌ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତେବେ ଆସନ୍ତୁ ଜାଣିବା କିଏ ଏହି ବସବରାଜ୍‌ ବୋମ୍ମଇ, ଯିଏ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ…

ବସବରାଜ ବୋମ୍ମଇ ସାଦର ଲିଙ୍ଗାୟତ ସମୁଦାୟର। ସେ ୨୮ ଜାନୁଆରୀ ୧୯୬୦ରେ ଜନ୍ମଗ୍ରହଣ କରିଛନ୍ତି। ସେ ପୂର୍ବ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦିୟୁରପ୍ପାଙ୍କ ନିକଟତମ ଲୋକ ବୋଲି କୁହାଯାଏ। ଜନତା ପରିବାର ସହ ମଧ୍ୟ ତାଙ୍କର ପୂର୍ବରୁ ସମ୍ପର୍କ ଥିଲା। ତାଙ୍କ ବାପା ଏସ୍‌ଆର ବୋମ୍ମଇ ମଧ୍ୟ କର୍ଣ୍ଣାଟକର ମୁଖ୍ୟ ଭାବେ କାମ କରିସାରିଛନ୍ତି।

୨୦୦୮ ମସିହାରେ ବସବରାଜ ବୋମ୍ମଇ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ। ତା’ ପରଠୁ ସେ ପାର୍ଟିରେ ପଦୋନ୍ନତି ପାଇଚାଲିଥିଲେ। ସେ ପ୍ରଥମେ ରାଜ୍ୟ ସରକାରଙ୍କ ଜନ ସଂସାଧନ ମନ୍ତ୍ରୀ ଥିଲେ। ବୋମ୍ମଇ ନିଜ ରାଜନୈତିକ କ୍ୟାରିୟରର ଆରମ୍ଭ ଜନତା ଦଳ ସହ କରିଥିଲେ।

ପେସାରେ ବୋମ୍ମାଇ ହେଉଛନ୍ତି ଜଣେ ମେକାନିକାଲ ଇଞ୍ଜିନିୟର। ସେ ଟାଟା ସମୂହରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ସେ ଦୁଇ ଥର ଏମ୍‌ଏଲସି ଓ ତିନି ଥର ବିଧାୟକ ରହିଛନ୍ତି। ସେ ୧୯୯୮ ଓ ୨୦୦୪ରେ ଧାରବାଡ଼ ସ୍ଥାନୀୟ ପ୍ରାଧିକରଣ ନିର୍ବାଚନ କ୍ଷେତ୍ରରୁ କର୍ଣ୍ଣାଟକ ବିଧାନପରିଷଦର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ବିଜେପିରେ ଯୋଗ ଦେବା ପୂର୍ବରୁ ବୋମ୍ମଇ ଦେବଗୌଡ଼ା ଓ ରାମକୃଷ୍ଣ ହେଗଡ଼େଙ୍କ ସମେତ ବହୁ ବରିଷ୍ଠ ନେତାଙ୍କ ସହ ବି କାମ କରିଥିଲେ।

ଜନତା ଦଳ(ୟୁନାଇଟେଡ୍‌) ଛାଡ଼ିବା ପରେ ବୋମ୍ମଇ ଫେବ୍ରୁଆରୀ, ୨୦୦୮ରେ ବିଜେପିରେ ସାମିଲ ହୋଇଥିଲେ। ୨୦୦୮ରେ କର୍ଣ୍ଣାଟକରେ ହୋଇଥିବା ନିର୍ବାଚନରେ ସେ ହାବେରୀ ଜିଲ୍ଲାର ଶିଗଗାଁ ନିର୍ବାଚନ କ୍ଷେତ୍ରରୁ କର୍ଣ୍ଣାଟକ ବିଧାନସଭା ପାଇଁ ନିର୍ବାଚିତ ହୋଇଛନ୍ତି। ତେବେ ଆଜି ସେ ରାଜ୍ୟର ମୁଖିଆ ଭାବେ ଶପଥ ଗ୍ରହଣ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.