ଆଜି ଭାଗବତ ଜନ୍ମ : ଓଡ଼ିଆ ଜନଜୀବନର ଆଧ୍ୟାତ୍ମିକ ଓ ନୈତିକତାର ଧାରା

ଏ ପଥ ଅତ୍ୟନ୍ତ-ଦୁର୍ଗମ । ପ୍ରବୃତ୍ତି ମାର୍ଗ ଯାର ନାମ ।। ୧
ମାୟାରେ ତହିଁ ପ୍ରବେଶିଣ । ଯେ ଭବ ଗହନ-ଅରଣ୍ୟ ।। ୨
ସତ୍ତ୍ୱ-ରଜ-ତମର ମତେ । ପୃଥକ ଭାବେ କର୍ମ ଚିନ୍ତେ ।। ୩
ସଂସାର-ଅରଣ୍ୟେ ଭ୍ରମଇଁ । ସୁଖର ଲେଶ ତାର ନାହିଁ ।। ୪
ଯେମନ୍ତେ ବଣିଜାରମାନେ । ଅର୍ଥଅର୍ଜନ ଲୋଭମନେ ।। ୫
ଏ ଯେ ସଂସାର ମହାଘୋର । ଅରଣ୍ୟ ଅତି ଭୟଙ୍କର ।। ୬
ଏଥି ନିବେଶେ ମୂଢ ମନ । ନାନା ଯାତନାର ଯେ ସ୍ଥାନ ।। ୭
ଯେ ବନେ ଷଡ଼ଇନ୍ଦ୍ରି-ଚୋର । ନାନା ଭୋଗରେ ତତପର ।। ୮
ଦେଖ ସଂସାରେ କୁନାୟକ । ବୁଦ୍ଧି-ସାରଥି ଅବିବେକ ।। ୯
ଶୃଗାଳତୁଲ୍ୟ ଦାରାପୁତ୍ର । ସେ ବନେ ଅଛନ୍ତି ନିରତ ।। ୧୦
ଯେ ଯାହା ମତେ ଆକର୍ଷନ୍ତି । ମେଷକୁ ଯେହ୍ନେ ବୃକପନ୍ତି ।। ୧୧
ସେ ବନେ ଲତା ତୃଣ ଗୁଳ୍ମ । ଗହ୍ୱରପ୍ରାୟ କାମ୍ୟକର୍ମ ।। ୧୨
ଦୁର୍ଜନ-ମଶକାଦି ତେଣେ । ପୀଡ଼ନ୍ତି କଠୋର-ଦଂଶନେ ।। ୧୩
ଗନ୍ଧର୍ବପୁ ରପ୍ରାୟ ଦେହେ । ମଣେ ଅସତ୍ୟ ସତ୍ୟପ୍ରାୟେ ।। ୧୪
ନିବାସ ପଶୁ ଯେ ଦ୍ରବିଣ । ତହିଁରେ ହୋଇ ହୃଷ୍ଟମନ ।। ୧୫
କରଇ ତହିଁ ଆତ୍ମବୁଦ୍ଧି । ଏମନ୍ତ ବନେ ସେ ଦୁର୍ବୁଦ୍ଧି ।। ୧୬
ବାତ-ଭ୍ରମିତ ରେଣୁ ଲାଗି । ଚକ୍ଷୁ ହୁଅଇ ଦୁଃଖଭାଗୀ ।। ୧୭
ବିବିଧ-ଘୋରସ୍ୱନ ଲାଗି । କର୍ଣ୍ଣ ହୁଅଇ ଦୁଃଖଭାଗୀ ।। ୧୮
ଉଲ୍ଲ୍ଲୁକଆଦି ଘୋରବାଣୀ । ଆତ୍ମା ଦୁଃଖିତ ତାହା ଶୁଣି ।। ୧୯
କ୍ଷୁଧାପୀଡିତ ଯେବେ ହୋଇ । ନିଷ୍ଫଳ-ବୃକ୍ଷକୁ ଧାମଇଁ ।। ୨୦
କେବେ ବା ମୃଗତୃଷ୍ଣା ଦେଖି । ତୃଷାରେ ଧାମଇଁ ନିରେଖି ।। ୨୧
ନିରାଶ ହୋଇଣ ତହିଁରେ । ଧାମଇଁ ଶୁଷ୍କନଦୀତୀରେ ।। ୨୨
ଅନ୍ୟୋନ୍ୟଭାବକୁ ସେ ବହି । ନିର୍ଦ୍ଧନ-ପ୍ରାଣୀଙ୍କି ମାଗଇ ।। ୨୩
ଦାରା ତନୟ ଅଗ୍ନି ପ୍ରାୟେ । ତହିଁ କ୍ରୀଡ଼ଇ ମାୟାମୋହେ ।। ୨୪
କେବେହେଁ ଶାନ୍ତି ନ ଭଜଇ । ପୁଣି ଉଦ୍ବେଗ-ମନ ହୋଇ ।। ୨୫
ବିବିଧ-ଶୋକ-ଦୁଃଖ ପାଇ । ପରମକ୍ଲେଶକୁ ଲଭଇ ।। ୨୬

ଏସବୁ ପଦ ଭାଗବତର ତ୍ରୟୋଦଶ ଅଧ୍ୟାୟରୁ ଉଦ୍ଧାର ହୋଇଛି । ସାଧାରଣ ଜୀବନ ପାଇଁ ଆବଶ୍ୟକ ହେଉଥିବା ଏହିସବୁ କଥା ଜୀବନର ଗତିପଥ ବଦଳାଇ ଦିଏ । ଆଜି ହେଉଛି ଭାଦ୍ରବ ମାସ ପୂର୍ଣ୍ଣିମା ତିଥି । ଏହି ଦିନଟିକୁ ଭାଗବତ ଜନ୍ମଦିନ ରୂପେ ପାଳନ କରାଯାଏ । ଏହି ଦିନ ଜଗନ୍ନାଥ ଦାସ ଭାଗବତ ଲେଖିବା ଆରମ୍ଭ କରିଥିବା କଥିତ ଅଛି । ଭାଗବତର ଆଧ୍ୟାତ୍ମିକ ଦିଗଟି ଯେତିକି ଗୁରୁତ୍ୱପୂର୍ଣ୍ଣ ତାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା ଓଡ଼ିଆ ଭାଷାର ପ୍ରସାର, ଏକତା ଏବଂ ସଂସ୍କୃତିର ରକ୍ଷା । ସେଥିପାଇଁ ପୂର୍ବ କାଳରେ ପ୍ରତି ଗାଁରେ ରହିଥିଲା ଭାଗବତ ଟୁଙ୍ଗୀ । ପ୍ରତି ସନ୍ଧ୍ୟାରେ ଏହି ଟୁଙ୍ଗୀରେ ଭାଗବତ ପାଠ ହେଉଥିଲା । ଗାଁର ସମସ୍ତ ନରନାରୀ ଏକାଠି ବସି ପଣ୍ଡିତଙ୍କ ଠାରୁ ଭାଗବତ ପାଠ ଶୁଣୁଥିଲେ । ଅନେକ ନୈତିକ ମୂଲ୍ୟବୋଧ ଏବଂ ଦୈନନ୍ଦିନ ଜୀବନ ପାଇଁ ଆବଶ୍ୟକ ଅନେକ କଥା ଏଥିରେ ବର୍ଣ୍ଣନା କରାଯାଇଛି । ତେଣୁ ଓଡ଼ିଆ ଜାତିର ରକ୍ତରେ, ଚଳଣିରେ ସାମିଲ ହୋଇଯାଇଥିଲା ଭାଗବତ । କଥିତ ଅଛି, ଏହି ଦିନ ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ଜଗନ୍ନାଥ ଦାସ ଭାଗବତ ଲେଖିବା ଆରମ୍ଭ କରିଥିଲେ । ସେ ମୃତ୍ୟୁ ଶଯ୍ୟା ହେଉ ଅବା କୌଣସି ବିପଦ ଆପଦ ଭାଗବତ ପାଠ ଓଡ଼ିଆ ଜାତିର ଜୀବନ ଧାରାରେ ଏଭଳି ଭାବେ ସାମିଲ ହୋଇ ଯାଇଛି ।

667

ବ୍ୟାସଦେବ ରଚିତ ସଂସ୍କୃତ ଶ୍ରୀମଦ ଭାଗବତ ଓଡ଼ିଆ ଭାଷାଭାଷୀଙ୍କ ନିକଟରେ ବିଶେଷ ଆଦୃତ ହୋଇପାରିନଥିଲା । ତଥାପି ଶ୍ରୀମନ୍ଦିର ପରିସରରେ ଏହାର ପ୍ରତି ସନ୍ଧ୍ୟାରେ ପାଠ କରାଯାଉଥିଲା । ତେବେ ଏହାକୁ ଜଗନ୍ନାଥ ଦାସ ଓଡ଼ିଆରେ ଲେଖିବା ପରେ ଭାଗବତ ଘରେ ଘରେ ପରିଚିତ ହୋଇଗଲା । ବୋଧହୁଏ ଏମିତି ଓଡ଼ିଆ ଘର ନଥିବ ଯେଉଁଠି ଭାଗବତ ଖଣ୍ଡିଏ ନଥିବ । ଠିକ୍ ଯେମିତି ଦେବତାଙ୍କୁ ମର‌୍ୟ୍ୟାଦା ଓ ସମ୍ମାନ ତଥା ଭକ୍ତି କରାଯାଏ ସେହିଭଳି ଭାଗବତକୁ ପ୍ରତ୍ୟେକ ଦିନ ପୂଜାର୍ଚ୍ଚନା କରାଯିବା ପରେ ତାକୁ ପାଠ କରାଯାଏ ।
କୁହାଯାଏ ଜଗନ୍ନାଥ ଦାସ ଗୋସ୍ଵାମୀ ବଟ ଗଶେଶଙ୍କ ନିକଟରେ ବସି ସଂସ୍କୃତ ଭାଗବତକୁ ଓଡ଼ିଆ ଭାଷାରେ ନବାକ୍ଷରୀ ବୃତ୍ତରେ ରଚନା କରିଥିଲେ । ଏହା ବାରଟି ଖଣ୍ଡରେ ଲେଖା ଯାଇଛି । ପ୍ରତି ଖଣ୍ଡରେ ୧୦ ରୁ ୩୦ଟି ଅଧ୍ୟାୟ ରହିଛି । ପ୍ରତି ଅଧ୍ୟାୟରେ ରହିଛି ୫୦ରୁ ୩୦୦ ଛନ୍ଦ । ଜଗନ୍ନାଥ ଦାସଙ୍କୁ ଶ୍ରୀ ଚୈତନ୍ୟ ଦେବ ଅତିବଡ଼ୀ ଉପାଧି ଦେଇଥିଲେ ।

bahagabat

ଭାଗବତ ପାଠ ଓ ଅନ୍ୟ ପୁରାଣ ଶାସ୍ତ୍ର ଚର୍ଚ୍ଚା ଲୋକଙ୍କର ଚେତନାର ବିକାଶ କରିବା ଜୀବନକୁ ଆନନ୍ଦ ଓ ଶନ୍ତିରେ ଅତିବାହିତ କରିବାର ଅନେକ ବାଟ ବତାଇଥାଏ । ଅବଶ୍ୟ ଏବେ ଆଉ ସେଭଳି ସ୍ଥିତି ନାହିଁ । ଆଧୁନିକତା ନାମର ଆମେ ଆମ ନିଜତ୍ୱକୁ ଭୁଲି ଯାଉଛେ । ସଂସ୍କୃତି ଓ ପରମ୍ପରାଠୁ ଦୂରେଇ ଯାଉଛି । ତଥାପି ଅନେକ ଆଧ୍ୟାମତ୍‌ିକବାଦୀ ତଥା ଦେବ ଉପାସକ ଏବେବି ଭାଗବତା ପାରାୟଣ କରିବା ଠାରୁ ଆରମ୍ଭ କରି ଭାଗବତ ପାଠ କରୁଛନ୍ତି । ହେଲେ ଖାଲି ଭାଗବତ ଶୁଣିଲେ ହେବ ନାହିଁ, ଏହାକୁ ନିଜ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଉପଯୋଗ କଲେ ଏ ଦୁନିଆ ବଦଳିଯିବ । ବର୍ତ୍ତମାନର ଅଶାନ୍ତିକର ପରିବେଶ ଆଉ ରହିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.