କାର୍ତ୍ତିକ ମାସର ଶେଷ ୫ ଦିନ ପାଳନ କରାଯାଏ ପଞ୍ଚୁକ ପର୍ବ, ଜାଣନ୍ତୁ କ’ଣ ରହିଛି ଏହାର ମାହାତ୍ମ୍ୟ

କାର୍ତ୍ତିକ ମାସର ଶେଷ ପାଞ୍ଚଦିନ (କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ)କୁ ପବିତ୍ର ପଞ୍ଚୁକ ଭାବେ ପାଳନ କରାଯାଏ । ଏହା ମହାପଞ୍ଚୁକ, ବକପଞ୍ଚୁକ, ଭୀଷ୍ମପଞ୍ଚୁକ ଏବଂ ବିଷ୍ଣୁ ପଞ୍ଚୁକ ଭାବେ ଜଣାଶୁଣା । ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ୍ୟ କରିପାରନ୍ତି ନାହିଁ, ସେମାନେ ଏହି ପାଞ୍ଚଦିନ ହବିଷ୍ୟ ପାଳନ କରିଥାନ୍ତି। ସେହିଭଳି ଅନେକ ହବିଷ୍ୟାଳି ଅଳାଁ ନବମୀ, ରାଧାପାଦ ଦର୍ଶନ ଠାରୁ ସାତ ଦିନ ହବିଷ୍ୟ କରିଥାନ୍ତି। ଏହି ପାଞ୍ଚଦିନ ହିନ୍ଦୁମାନେ ଆମିଷ ପରିତ୍ୟାଗ କରି ଶୁଦ୍ଧ, ସାତ୍ତ୍ୱିକ ଖାଦ୍ୟ ଭୋଜନ କରିଥାନ୍ତି। ଏହି ପଞ୍ଚୁକରେ ବକମାନେ ମଧ୍ୟ ଆମିଷ ଭୋଜନରୁ ନିବୃତ୍ତ ରୁହନ୍ତି ବୋଲି ମାନ୍ୟତା ରହିଛି। ତେଣୁ ଏହାକୁ ‘ବକ ପଞ୍ଚୁକ’ କୁହାଯାଏ।

panchukକାର୍ତ୍ତିକ ମାସର ଶେଷ ୫ ଦିନ ଅର୍ଥାତ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଅତ୍ୟନ୍ତ ପବିତ୍ର ଦିବସ ହୋଇଥାଏ। ଏହି ୫ ଦିନରେ ୩୩କୋଟି ଦେବା-ଦେବୀ ମନୁଷ୍ୟଙ୍କ ସନ୍ନିକଟ ହୋଇଥାନ୍ତି। ଏହି ପାଞ୍ଚ ଦିନରେ ମହାପ୍ରଭୁ ପ୍ରଥମ ଦିନରେ ଠିଆକିଆ ବେଶ, ଦ୍ୱିତୀୟ ଦିନରେ ବାଙ୍କଚୂଡ ବେଶ, ତୃତୀୟ ଦିନରେ ତିବିକ୍ରମ ବେଶ, ଚତୁର୍ଥ ଦିନରେ ଲକ୍ଷ୍ମୀ ନୃସିଂହ ବେଶ ଏବଂ ପଞ୍ଚମ ଦିନ ବା ଶେଷ ଦିନରେ ରତ୍ନ ସିଂହାସନରେ ସୁନା ବେଶ ବା ରାଜରାଜେଶ୍ୱର ବେଶରେ ଦର୍ଶନ ଦେଇଥାନ୍ତି। ଏହି ସମୟରେ ତୁଳସୀପତ୍ର ଚଢାଇ ଭଗବାନ ବିଷ୍ଣୁଙ୍କ ପୂଜା କରିବା ଦ୍ୱାରା ସମସ୍ତ ଦେବତା ପ୍ରସନ୍ନ ହୋଇ ବର ପ୍ରଦାନ କରିଥାନ୍ତି। ଏହି ସମୟରେ ପ୍ରତ୍ୟେକ ଦିନ ଗୀତାର ଗୋଟିଏ ଗୋଟିଏ ଶ୍ଳୋକ ପାଠ କଲେ ମନୁଷ୍ୟ ଜୀବନ ମୁକ୍ତି ପାଇଥାଏ।

jagaଏହି ପାଞ୍ଚ ଦିନକୁ ଭୀଷ୍ମ ପଞ୍ଚୁକ କୁହାଯିବାର ପୌରାଣିକ ରହସ୍ୟ ହେଉଛି – ବାଣ ଶଯ୍ୟା ଉପରେ ଶାୟିତ ପିତାମହ ଭୀଷ୍ମ ରାଜଧର୍ମ, ମୋକ୍ଷଧର୍ମ, ଦାନଧର୍ମ ବର୍ଣ୍ଣନା କରିଥିଲେ, ଯାହାକୁ ପାଣ୍ଡବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶୁଣିଥିଲେ I ଏଥିରେ ପ୍ରସନ୍ନ ହୋଇ ଶ୍ରୀବାସୁଦେବ କହିଲେ ଆପଣ ଧନ୍ୟ ପିତାମହ I ଆପଣ କାର୍ତ୍ତିକ ଏକାଦଶୀ ଦିନ ଜଳର ଯାଚନା କରିଛନ୍ତି। ଏହାପରେ ପିତାମହ ପାଣି ମାଗିବାରୁ ଅର୍ଜୁନ ବାଣ ସାହାଯ୍ୟରେ ଭୂମି କ୍ଷେପଣ କରି ଜଳ ପ୍ରଦାନ କରିଥିଲେ। ଏଥିସହ ଏହି ୫ ଦିନରେ ଯିଏ ଆପଣଙ୍କୁ ଜଳ ଅର୍ଘ୍ୟ ପ୍ରଦାନ କରିବେ ସେ ଆପଣଙ୍କୁ ତୁପ୍ତ କରିପାରିବେ। ଏହି କାରଣରୁ ସେବେଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ୫ ଦିନ ଭୀଷ୍ମ ପଞ୍ଚୁକ ଭାବେ ମଧ୍ୟ ପାଳନ କରାଯାଇଥାଏ। ଅନେକ ବ୍ୟକ୍ତି ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ଏହି ବ୍ରତ ପାଳନ କରିଥାନ୍ତି।

danaga-bhashaଏହି ମାସରେ ଆମିଷ ନ ଖାଇବାର ଧର୍ମ ସମ୍ମତ କାରଣ ଅଛି I ଏହି ମାସରେ ମାଛମାନଙ୍କୁ ରୋଗ ହୋଇଥାଏ । ତେଣୁ ଆମ ଧର୍ମ ଧାରଣା, ଅନ୍ଧବିଶ୍ୱାସ ନୁହେଁ- ବିଜ୍ଞାନ, ଆଧ୍ୟାତ୍ମିକତା ଆଧାରିତ I ସେହିଭଳି ପ୍ରାତଃ ସ୍ନାନ ଶରୀର ପକ୍ଷେ ହିତକର ହୋଇଥାଏ। ଏହି କାରଣରୁ କାର୍ତ୍ତିକ ମାସ ସାରା ପ୍ରାତଃ ସ୍ନାନ କରି ଲୋକମାନେ ବ୍ରତ ପାଳନ କରିଥାନ୍ତି। ଯେଉଁମାନେ ମାସ ସାରା କରିପାରନ୍ତି ନାହିଁ ସେମାନେ ଏହି ୫ ଦିନ ବ୍ରତ ପାଳନ କରିଥାନ୍ତି। ସେମାନେ ମୋକ୍ଷ ଲାଭ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.