ଆଜି କରଓ୍ଵା ଚୌଥ ବ୍ରତ; ଏହି ଶୁଭ ମୁହୂର୍ତ୍ତରେ କରନ୍ତୁ ସ୍ୱାମୀଙ୍କୁ ପୂଜା, ଜାଣନ୍ତୁ ବିଧି…

ଆଜି କରଓ୍ଵା ଚୌଥ ବ୍ରତ। ସୁହାଗିନୀ ମହିଳାମାନେ ସ୍ୱାମୀଙ୍କ ଦୀର୍ଘ ଆୟୁଷ କାମନା କରି ଏହି ବ୍ରତ ରଖି ଥାଆନ୍ତି। ରାତିରେ ଚନ୍ଦ୍ର ଦେଖିବା ପରେ ବ୍ରତ ଭଙ୍ଗ କରନ୍ତି। ପୂରା ଦିନଯାକ ଉପବାସରେ ରହିବା ପରେ ରାତିରେ ଚନ୍ଦ୍ର ଉଇଁବାକୁ ବ୍ରତଧାରୀମାନେ ଉତ୍ସୁକତାର ସହ ଅପେକ୍ଷା କରି ଥାଆନ୍ତି। ତେବେ ଏହି ଦିନ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଥାଏ ଯେ କରଓ୍ଵା ଚୌଥର ଜହ୍ନ କେଉଁ ସମୟରେ ଉଇଁବ। ହିନ୍ଦୁ କ୍ୟାଲେଣ୍ଡରରେ ଯଦିଓ ଚନ୍ଦ୍ର ଉଦୟର ଏକ ନିଶ୍ଚିତ ସମୟ କୁହାଯାଇଛି, କିନ୍ତୁ ଦେଶର ବିଭିନ୍ନ ସ୍ଥାନରେ ବର୍ଷା, ବାଦଲ ଯୋଗୁ ଅଲଗା ଅଲଗା ସମୟରେ ଚନ୍ଦ୍ର ନଜର ଆସିବ। ଏମିତି ସ୍ଥିତିରେ ଜହ୍ନ ନ ଦେଖି ମଧ୍ୟ ବ୍ରତଧାରୀମାନେ କିଛି ଖାସ୍‌ ଉପାୟ କରି କରଓ୍ଵା ଚୌଥର ବ୍ରତ ଭଙ୍ଗ କରି ପାରିବେ।

କରଓ୍ଵା ଚୌଥ ବ୍ରତରେ ଚନ୍ଦ୍ର ଉଇଁବାର ସମୟ

କାର୍ତ୍ତିକ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପଡ଼ିଥାଏ କରଓ୍ଵା ଚୌଥ ବ୍ରତ। ଏହି ବ୍ରତକୁ ଖୋଲିବା ପାଇଁ ଚନ୍ଦ୍ର ଦର୍ଶନ ବହୁତ ଜରୁରୀ ହୋଇଥାଏ। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ଆଜି ଅକ୍ଟୋବର ୧୩ରେ କରଓ୍ଵା ଚୌଥର ଜହ୍ନ ରାତି ୮ଟା ୧୬ ମିନିଟ୍‌ରେ ଉଇଁବ। ଜହ୍ନ ନଜର ଆସିବା କ୍ଷଣି ବ୍ରତଧାରୀ ମହିଳାମାନେ ଚାଲୁଣୀରେ ଚନ୍ଦ୍ର ଦର୍ଶନ କରିବେ ଏବଂ ଏହାପରେ ନିଜ ସ୍ୱାମୀଙ୍କ ମୁହଁ ଦେଖିବେ। ଏହି ସମୟରେ ଆପଣ ଚନ୍ଦ୍ରଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ। ପୂଜାର୍ଚ୍ଚନା କରି ସ୍ୱାମୀଙ୍କ ଲମ୍ବା ଆୟୁଷ ପାଇଁ ପ୍ରାର୍ଥନା କରନ୍ତୁ। ଶାଶୁ ମା’ଙ୍କ ଆଶୀର୍ବାଦ ନିଅନ୍ତୁ ଏବଂ ଏହାପରେ ସ୍ୱାମୀଙ୍କ ହାତରୁ ପାଣି ପିଇ କରଓ୍ଵା ଚୌଥର ବ୍ରତ ଭାଙ୍ଗନ୍ତୁ।

ଏଥିସହ ଚନ୍ଦ୍ର ଦର୍ଶନ ପୂର୍ବରୁ ସନ୍ଧ୍ୟା ସମୟରେ କରଓ୍ଵା ଚୌଥର ପୂଜା କରନ୍ତୁ। ସନ୍ଧ୍ୟା ୫ଟା ୫୪ ମିନିଟ୍‌ରୁ ୭ଟା ୦୯ ମିନିଟ୍‌ ପର୍ଯ୍ୟନ୍ତ ରହିଛି ଶୁଭ ବେଳା। ଆପଣ ଏହି ସମୟ ଭିତରେ କରଓ୍ଵା ଚୌଥର ପୂଜା କରି ପାରିବେ। ଏହି ଦିନ କରଓ୍ଵା ଚୌଥର ବ୍ରତ କଥା ଶୁଣନ୍ତୁ। ଜ୍ୟୋତିଷଙ୍କ ମୁତାବକ, ଏଥର କରଓ୍ଵା ଚୌଥରେ ଗ୍ରହମାନଙ୍କର ବିଶେଷ ସ୍ଥିତି ରହୁଛି। ୧୩ ବର୍ଷ ପରେ ଏକ ଅଦ୍ଭୁତ ସଂଯୋଗ ମଧ୍ୟ ସୃଷ୍ଟି ହେଉଛି।

ଏହି ସମୟରେ ଗୁରୁ ଦେବ ବୃହସ୍ପତି, ବୁଧ ଏବଂ ଶନି ସ୍ୱଗୃହୀ ଅର୍ଥାତ୍‌ ନିଜ ନିଜ ରାଶିରେ ବିରାଜମାନ କରିବେ, ଯଦ୍ଦ୍ଵାରା ସୁଖ ଓ ସୌଭାଗ୍ୟ ପାଇବାରେ ସହଜ ହେବ। ସୂର୍ଯ୍ୟ ଓ ବୁଧ ମଧ୍ୟ ଏକ ସାଥୀରେ ରହିବେ ଏବଂ ସେମାନଙ୍କ ଉପରେ ଗୁରୁର ପ୍ରଭାବ ବି ରହିବ। ଏହାଦ୍ୱାରା ସ୍ୱାମୀ-ସ୍ତ୍ରୀଙ୍କର ପାରସ୍ପରିକ ସମ୍ବନ୍ଧ ଏବଂ ବିଶ୍ୱାସ ମଜଭୁତ ହେବ। ଶୁକ୍ର ଓ ବୃହସ୍ପତିଙ୍କ ସମ୍ବନ୍ଧ ବି ଏହି ପର୍ବରେ ରହିବ, ଯଦ୍ଦ୍ଵାରା ଆପଣଙ୍କ ପ୍ରାର୍ଥନାର ସୁଫଳ ମିଳିବ। ୧୩ ବର୍ଷ ପରେ ମୀନ ରାଶିର ବୃହସ୍ପତି ଏହି ପର୍ବକୁ ଅଧିକ ସୁଖମୟ କରିବ। ଏହାଦ୍ୱାରା ବୈବାହିକ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.