ଚୈତ୍ର ମାସର ଦ୍ୱିତୀୟ ମଙ୍ଗଳବାରରେ ମା ମଙ୍ଗଳାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ମାନସିକ ପୂର୍ଣ୍ଣ ପାଇଁ ଆସିଛନ୍ତି ଅନେକ ଭକ୍ତ

କାକଟପୁରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ମଙ୍ଗଳା | ସବୁ ପର୍ବ ମାନଙ୍କ ମଧ୍ୟରୁ ଚୈତ୍ର ମାସର ଝାମୁଜାତ୍ରା ହେଉଛି ମା’ ମଙ୍ଗଳାଙ୍କ ପ୍ରସିଦ୍ଧ ଯାତ୍ରା | ଏହି ମାସର ପ୍ରତେକ ମଙ୍ଗଳବାର ଦିନ ରାଜ୍ଯର ବିିଭିନ୍ନ ସ୍ଥାନରୁ ଲକ୍ଷାଧିକ ଶ୍ରଦ୍ଧାଳୁ ମା ମଙ୍ଗଳାଙ୍କ ପୀଠକୁ ଆସିଥାନ୍ତି ଏବଂ ମା’ ଙ୍କୁ ଦର୍ଶନ କରି ଆଶିଷ ଲାଭ କରିଥାନ୍ତି | ଏହିଦିନକୁ ପ୍ରତେକ ସଧବା ମହିଳାମାନେ ଶ୍ରଦ୍ଧା ଓ ଭକ୍ତିର ସହକାରେ ପାଳନ କରିଥାନ୍ତି | ବିଶ୍ଵାସ ରହିଛି ମା’ ଙ୍କ ଏହି ବ୍ରତ ଉପାସନା କରିଲେ ପରିବାରର ମଙ୍ଗଳ ହେବା ସହ ନିସନ୍ତାନଙ୍କୁ ସନ୍ତାନ ପ୍ରାପ୍ତ ହୋଇଥାଏ | ସେଥିପାଇଁ ରାଜ୍ଯର ପ୍ରତେକ ହିନ୍ଦୁ ପରିବାରର ମହିଳାମାନେ ଏହି ଚୈତ୍ର ମାସ ମଙ୍ଗଳବାର ଓଷାକୁ ଭକ୍ତି ଓ ନିଷ୍ଠା ସହକାରେ ପାଳନ କରିଥାନ୍ତି |

ପ୍ରତିବର୍ଷ ଚୈତ୍ରମାସରେ ମା’ ମଙ୍ଗଳାଙ୍କ ଝାମୁଜାତ୍ରା ଅନୁଷ୍ଠିତ ହୋଇଥାଏ । କେହି କେହି ଏହାକୁ ଚୈତ୍ର ମଙ୍ଗଳବାର ଓଷା କହିଥିବା ବେଳେ କେହି କେହି ଏହାକୁ ମା ମଙ୍ଗଳାଙ୍କ ପ୍ରସିଦ୍ଧ ପନ୍ଥେଇ ପୂଜା ଅବା ବାଟ ଓଷା କହିଥାନ୍ତି ଯାହା ମାଆଙ୍କ ନିକଟରେ ଝାମୁଯାତ୍ରା ରୂପେ ପାଳନ କରାଯାଏ। ମା’ ମଙ୍ଗଳାଙ୍କ ଉପରେ ଶ୍ରଦ୍ଧାଳୁ ମାନଙ୍କର ରହିଛି ଅଗାଢ ବିଶ୍ୱାସ | ବିପଦ ସମୟରେ ମା’ ମଙ୍ଗଳାଙ୍କ ଶରଣ ପଶିଲେ ମା ମହା ବିପଦରୁ ଉଧାର କରିଥାନ୍ତି ବୋଲି ଭକ୍ତ ମାନଙ୍କର ବିଶ୍ଵାସ ରହିଛି |

ଏହି ଚୈତ୍ରମାସର ପ୍ରତ୍ୟେକ ମଙ୍ଗଳବାର ଦିନ ମହିଳା ଶ୍ରଦ୍ଧାଳୁ ମାନେ ଗାଁ ଦାଣ୍ଡରେ ମଙ୍ଗଳାଙ୍କ ସ୍ୱରୂପଭାବରେ ପନ୍ଥେଇ ପୂଜା କରିଥାନ୍ତି | ଏହି ପନ୍ଥେଇକୁ ମାଟି ଉପରେ ପ୍ରସ୍ତୁତ କରିଥାନ୍ତି | ଯାଉଥିବା ବାଟରେ ଏହାକୁ ତିଆରି କରାଯାଉଥିବାରୁ ଏହାକୁ ବାଟ ଓଷା ବୋଲି ମଧ୍ୟକୁହାଯାଏ। ମାଟିରେ ନିର୍ମିତ୍ତ ଏହି ପନ୍ଥେଇ ପୂଜାରେ ଗୁଆ ନଡିଆ ଥୋଇ ବିିଭିନ୍ନ ଫୁଲ ସଜାଇ ସେଥିରେ ଧୂପ ,ଦୀପ ,ସିନ୍ଦୁର, ଚନ୍ଦନ ଦେଇ ମା ମଙ୍ଗଳାଙ୍କୁ ଆବାହନ କରିଥାନ୍ତି | ପନ୍ଥେଇ ସଜେଇ ସାରି ପାଖରେ ବିର୍ଭିଣ୍ଣ ସୁସ୍‌ାଦୁ ଦ୍ରବ୍ଯକୁ ପ୍ରସାଦ ଭାବରେ ଭୋଗ ଲଗାଇଥାନ୍ତି |

ଏହାପରେ ମଙ୍ଗଳାଙ୍କ ପୁରାଣ ପାଠ କରିଥାନ୍ତି | ପୁରାଣ ପାଠ କରିସାରିବା ପରେ ପନ୍ଥେଇ ଉପରେ ପଣା ଅର୍ପଣ କରି ଦୂବ,ଫୁଲ ଦେଇ ବନ୍ଦାପନା କରି ଧୂପ ଦୀପ ଦ୍‌ାରା ଆଳତି କରିଥାନ୍ତି | ଏହାପରେ ମହିଳା ଶ୍ରଦ୍ଧାଳୁ ମାନେ ମୁଣ୍ଡିଆ ମାରି ମାଙ୍କ କୃପାଭିକ୍ଷା କରିଥାନ୍ତି | ଏହି ପନ୍ଥେଇ ପୂଜା କରି ଯାହା ମାନସିକ କରାଯାଇଥାଏ ତାହାକୁ ମା’ ମଙ୍ଗଳା ପୁରଣ କରିଥାନ୍ତି ବୋଲି ବିଶ୍ଵାସ ରହିଛି | ଏହି ପରମ୍ପରା କାହିଁ କେଉଁ ଆବାହମାନ କାଳରୁ ଚାଲିଆସିଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.