ସୋନପୁର ଶିଳ୍ପୀଙ୍କ ନିଆରା କଳାଚାତୁରୀ, ଏବେ ବଜାରକୁ ଆସିବ ୧୩ଟି ଭାଷାରେ ମା’ ଲେଖାଥିବା ଶାଢ଼ି

ହସ୍ତତନ୍ତ ଓ ବାନ୍ଧକଳାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାର କାରିଗରଙ୍କ ଜୀବନ ଜୀବିକା। ଏମାନଙ୍କ ହାତର କାଉଁରୀ ସ୍ପର୍ଶରେ ଜୀବନ୍ତ ହୁଏ ବାନ୍ଧକଳା । ସମାଜର ବିଭିନ୍ନ ସଂସ୍କୃତି ପରମ୍ପରା କୁହନ୍ତୁ କି ଗଣିତ, ହସ୍ତତନ୍ତ ଭିତରେ ଜୀବନ୍ତ ହୋଇଉଠେ ସବୁ କଳା । ଏଥିପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ଏଠାକାର ବୁଣାକାର। କେତେବେଳେ ଐଶ୍ଵର୍ଯ୍ୟା ରାୟଙ୍କ ପାଇଁ ଶାଢ଼ି ତିଆରି କରି ତ ଆଉ କେତେବେଳେ ବିଦ୍ୟା ବାଲାନଙ୍କ ପାଇଁ ଶାଢ଼ି ବୁଣି ସବୁବେଳେ କିଛି ନୂଆ କରି ଦେଖାଇବାର ନିଶାରେ ମସଗୁଲ ଥିବା ଏଠାକାର ବୁଣାକାର ଏବେ ପୁଣିଥରେ ତିଆରି କରିଛନ୍ତି ମା’ ଶାଢ଼ି । ପୂର୍ବରୁ ବିଦ୍ୟା ବାଲାନ ଶାଢ଼ି ପାଇଁ ଚର୍ଚ୍ଚାକୁ ଆସିଥିବା ସୋନପୁର ପଟାଭାଡିର ରାଜେଶ ମେହେର ଏବେ ତିଆରି କରିଛନ୍ତି ଏହି ମା’ ଶାଢ଼ି। ମା’କୁ ସମର୍ପିତ ହୋଇଥିବା ଏହି ଶାଢ଼ିର ଦେହ ସାରା ୧୩ ଟି ଭାଷାରେ ଲେଖାଯାଇଛି ମା’। ଯାହାକୁ ଗ୍ରାହକମାନେ ବେଶ ପସନ୍ଦ କରିବେ ବୋଲି ଆଶା ବାନ୍ଧିଛନ୍ତି ରାଜେଶ।

maa saree 2

କିଛି ନୂଆ କରି ଦେଖାଇବା ପାଇଁ ପୁଣିଥରେ ନୂତନ ପରିକଳ୍ପନା କରିଥିଲେ ସୋନପୁରର ରାଜେଶ ମେହେର। ଏଣୁ ମା’ଙ୍କୁ ସମର୍ପିତ କରି ଭିନ୍ନ ଢଙ୍ଗରେ ଶାଢ଼ି ତିଆରି କରିବାକୁ ଯୋଜନା କଲେ। ପ୍ରଥମେ ଗ୍ରାଫ ଓ ପରେ ବାନ୍ଧ କରାଯାଇଥିଲା। ଏହି ଶାଢ଼ିର ବାନ୍ଧ କରିବାକୁ ପ୍ରାୟ ଗୋଟିଏ ମାସ ସମୟ ଲାଗିଥିଲା। ସେହିଭଳି ବାନ୍ଧ ପ୍ରସ୍ତୁତ ପରେ ଶାଢ଼ି ବୁଣିବାକୁ ଗୋଟିଏ ମାସ ସମୟ ନେଇଥିଲେ ବୁଣାକାର। ଏବେ ପ୍ରସ୍ତୁତ ହୋଇସାରିଛି ମା’ ଶାଢ଼ି। ହସ୍ତତନ୍ତର ଏହି ନିଆରା କଳା ଚାତୁରୀ ଏବେ ହୋଇଛି ଦେଖିବା ଭଳି। ନିଜର ସବୁଠୁ ପ୍ରିୟ ମଣିଷ ମା’ ହୁଅନ୍ତୁ କି ଜଗତଜନନୀ ଦେବୀ ମା’ । କାହାକୁ ବି ଏହି ଶାଢ଼ି ଉପହାର ଦିଆଯାଇପାରେ ବୋଲି କହିଛନ୍ତି ବୁଣାକାର। ଅନ୍ଯ ଶାଢ଼ି ଭଳି ବଜାରରେ ଏହି ଶାଢ଼ିକୁ ବେଶ ଆଦୃତି ମିଳିବ ବୋଲି ଆଶା ବାନ୍ଧିଛନ୍ତି ଏହି ଶାଢ଼ିକୁ ପ୍ରସ୍ତୁତ କରିଥିବା ବାନ୍ଧଶିଳ୍ପୀମାନେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.