ସହିଦ ତାଲିକାରେ କଳାହାଣ୍ଡି ମାଟିର ପୁଅ ସୁବାସ ନାୟକ, ଛତିଶଗଡ଼ ବିଜାପୁରରେ ନକ୍ସଲ ଆକ୍ରମଣର ହୋଇଥିଲେ ଶିକାର

ମାଲକାନଗିରି/ଭବାନୀପାଟଣା (କେ ନ୍ୟୁଜ୍‌) : ମାଟି ପାଇଁ ସହିଦ ହୋଇଗଲେ ବୀର ଓଡିଆ ପୁଅ ସୁବାସ ନାୟକ। ନିଜ ସାଥୀଙ୍କୁ ବଞ୍ଚେଇବାକୁ ଯାଇ ପ୍ରାଣର ବଳି ଦେଇଛନ୍ତି ସୁବାସ । ତାଙ୍କ ଘର କଳାହାଣ୍ଡି ଜିଲ୍ଲା କୋକସରାରେ ।

ସୁବାସ ନାୟକଙ୍କ ବାପା ମାଆ ଓଡିଶାର କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ କୋସରାରୁ ଛତିଶଗଡ଼ର ବସାଗୁଡାରେ ଆସି କୁଲି ମଜୁରୀ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ। ହେଲେ ସୁବାସ ପାଠ ପଢି ପୋଲିସ ଚାକିରି କରିଥିଲେ । ଏଥିରେ ପରିବାରର ଖୁସି କହିଲେ ନ ସରେ। କିନ୍ତୁ ଦଇବ ଏହି ଖୁସିକୁ ବେଶି ଦିନ ରଖିଲେ ନାହିଁ । ଦେଶ ଭିତରର ଶତ୍ରୁ ନକ୍ସଲଙ୍କୁ ମୁକାବିଲା କରିବାକୁ ଯାଇ ନିଜ ଜୀବନ ଦେଇ ସହିଦ ହୋଇଯାଇଛନ୍ତି ସୁବାସ। ଏଥିପାଇଁ ଓଡ଼ିଶା ସମେତ ସାରା ଦେଶ ଆଜି ସୁବାସଙ୍କୁ ନେଇ ଗର୍ବିତ।

maoସୂଚନା ଅନୁଯାୟୀ, ଅପ୍ରେଲ ୩ ତାରିଖରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ତରରେମ ଜଙ୍ଗଲରେ ଶତାଧିକ ମାଓବାଦୀ କ୍ୟାମ୍ପ କରିଥିବା ଖବର ପାଇ ପୋଲିସ ଜଙ୍ଗଲକୁ ଯାଇଥିଲେ। ତେବେ ଅପରେସନରୁ ଫେରିବା ସମୟରେ ୭୦୦ରୁ ଅଧିକ ମାଓବାଦୀ ସେମାନଙ୍କୁ ଘେରି ରହିଥିଲେ। ପୋଲିସ ଓ ମାଓବାଦୀ ମଧ୍ୟରେ ଦୀର୍ଘ ୪ଘଣ୍ଟା ଧରି ଗୁଳି ବିନିମୟ ଚାଲିଲା। ଶେଷରେ ୨୨ ସାଥି ଯବାନଙ୍କ ସହ ସହିଦ ହୋଇଗଲେ ସୁବାସ ନାୟକ। ଘରକୁ ଫେରିବା ବିଳମ୍ବ ହେବା କାରଣରୁ ମାଆ ପୁଅ ବିଷୟରେ ବୁଝିବା ପାଇଁ ଥାନାକୁ ଯାଇଥିଲେ। ହେଲେ ସେଠାରେ ମିଳିଲା ପୁଅର ମୃତ୍ୟୁ ଖବର ।

ପରିବାରରେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ସୁବାସ । ସେ ଗଲାପରେ ଘର ଲୋକଙ୍କ ଆଖିରୁ ଲୁହ ଶୁଖିବାର ନାଁ ନେଉନି। ସହିଦ ସୁବାସଙ୍କ କୁନି ପୁଅ ଝିଅ ୩ଟି। ଯୁବ ଅବସ୍ଥାରେ ପୁଅ ସାହାରା ହେବ ବୋଲି ଆଶା କରିଥିବା ପରିବାର ଲୋକ ଏବେ ଭାଙ୍ଗି ପଡ଼ିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.