ବର୍ତ୍ତମାନ ସାରା ବିଶ୍ୱ କରୋନା ସଙ୍କଟ ଦେଇ ଗତି କରୁଛି। ଗୋଟେ ପଟେ କରୋନା ଭାଇରସ ସଂକ୍ରମଣର ଭୟ ଘାରିଥିବା ବେଳେ ଅନ୍ୟପଟେ ପେଟଚିନ୍ତା। କରୋନା ସଂକ୍ରମଣ ଯେପରି ଅଧିକ ନ ବଢ଼ିବ ତାହାକୁ ଦୃଷ୍ଟିରେ ରଖି ଭାରତ ସରକାର ସାରା ଦେଶକୁ ୨୧ ଦିନ ପାଇଁ ଲକଡାଉନ କରିଥିଲେ। ଏହାର ଅବଧି ଏପ୍ରିଲ ୧୪ ରେ ସରିବ। ଇତିମଧ୍ୟରେ ଓଡ଼ିଶା ସରକାର ସଂକ୍ରମଣ ଭୟରେ ରାଜ୍ୟରେ ଲକଡାଉନକୁ ଆଉ ୧୫ ଦିନ ଅର୍ଥାତ ଏପ୍ରିଲ ୩୦ ଯାଏଁ ବଢ଼ାଇଛନ୍ତି।
ଲକଡାଉନ ସମୟରେ ସମସ୍ତଙ୍କ ପାଇଁ ନିୟମ ସମାନ। କେହି ପଦାକୁ ଗୋଡ଼ କାଢ଼ିବେନି ବୋଲି ସରକାର କଡ଼ା ନିୟମ କରିଛନ୍ତି। ଏଥିପାଇଁ ରାସନକାର୍ଡଧାରୀଙ୍କୁ ଆଗୁଆ ଚାଉଳ ଓ ଟଙ୍କା ପ୍ରଦାନ କରାଯାଇଛି। ସେହିପରି ବୟସ୍କ ଲୋକଙ୍କୁ ଆଗୁଆ ୩ମାସର ବାର୍ଦ୍ଧକ୍ୟ ଭତ୍ତା, ପେନସନ ସମେତ ସବୁ ପ୍ରକାରର ଆର୍ଥିକ ସହାୟତା ଯୋଗାଯାଇଛି। ଯାହା ସରକାରଙ୍କର ଗରିବଙ୍କ ପ୍ରତି ଦାୟିତ୍ୱକୁ ବୁଝାଉଛି।
କେବଳ ସେତିକି ନୁହେଁ ଜନଧନ ଆକାଉଣ୍ଟଧାରୀଙ୍କ ଆକାଉଣ୍ଟକୁ ମଧ୍ୟ ସରକାର ସିଧାସଳଖ ଅର୍ଥ ପଠାଉଛନ୍ତି। ଯାହା ଦ୍ୱାରା ସେମାନଙ୍କ ଚଳିବାରେ କୌଣସି ସମସ୍ୟା ହେବ ନାହିଁ।
ସେହିପରି ଥିଲାବାଲା ବା ବ୍ୟାଙ୍କରୁ ବଡ଼ ଆକାରର ଋଣ ନେଇଥିବା ଲୋକଙ୍କ ପାଇଁ ବି ସରକାର ୩ ମାସ ଛାଡ଼ କରିଛନ୍ତି, ଏହି ସମୟ ଭିତରେ ସେମାନେ ଋଣ ଟଙ୍କା ନ ସୁଝି ପରେ ସୁଝିଲେ ତାଙ୍କ ଉପରେ ଆଉ ଅତିରିକ୍ତ ସୁଧହାର ଲାଗିବନାହିଁ ବୋଲି ସରକାର ଘୋଷଣା କରିଛନ୍ତି। ଫଳରେ ତାଙ୍କ ମୁଣ୍ଡରୁ ଏକ ବଡ଼ ବୋଝ ହାଲକା ହୋଇଯାଇଛି କହିଲେ ଚଳେ।
କିନ୍ତୁ ମଧ୍ୟବିତ୍ତ! ଏ ପରିସ୍ଥିତିରେ ମଧ୍ୟବିତ୍ତ ଶ୍ରେଣୀର ଲୋକଟି କିପରି ଚଳିବ? ନା ତା ପାଖେ ଅଛି ପର୍ଯ୍ୟାପ୍ତ ସମ୍ବଳ ନା ସରକାରୀ ସହାୟତା। ଖଟିଲେ ଖାଉଥିବା ଲୋକଟି ଏହି ଲକଡାଉନ ସମୟରେ କେମିତି ନିଜ ପରିବାର ମୁହଁରେ ଦିମୁଠା ଦାନା ଦେବ? ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କର ସବୁବେଳେ ଏହି ସମସ୍ୟା ଗୋଟେ ପଟେ ଅର୍ଥର ଅଭାବ ଓ ଅନ୍ୟପଟେ ପର ପାଖେ ହାତ ପତେଇବାକୁ ଲାଜ, ଏହି କାରଣରୁ ସବୁବେଳେ ମଝିରେ ପେଷି ହୁଏ ସେ। ମାତ୍ର ପାଏନି କୌଣସି ସହାୟତା।
ଓଡ଼ିଶାର ଲୋକମାନେ କିଛିଦିନ ତଳେ ଫନି ମାଡ଼ରେ ସର୍ବସ୍ୱାନ୍ତ ହୋଇ ପଡ଼ିଥିଲେ। ଫନି ଯୋଗୁ ସମସ୍ତେ ପ୍ରଭାବିତ ହୋଇଥିବା ବେଳେ ସରକାରୀ ସହାୟତା କିନ୍ତୁ ପାଇଥିଲେ କେବଳ ଗରିବ ବା ବିପିଏଲ କାର୍ଡଧାରୀ। ସେତେବେଳେ ଯେକୌଣସି ପ୍ରକାରେ ମଧ୍ୟବିତ୍ତ ଶ୍ରେଣୀର ଲୋକଟି ନିଜକୁ ସମ୍ଭାଳିନେଇଥିଲା।
କିନ୍ତୁ ବର୍ତ୍ତମାନର କରୋନା ସ୍ଥିତିରେ କଣ କରିବ ଜଣେ ମିଡ଼ିଲ କ୍ଲାସ ମ୍ୟାନ! ହୋଟେଲ ହେଉ ବା ପାନ ଦୋକାନ କିମ୍ବା କିଛି ସୌଖିନି ସାମଗ୍ରୀର ଦୋକାନ କରିଥିବା ଚଳୁଥିବା କ୍ଷୁଦ୍ର ତଥା ମଧ୍ୟମ ଧରଣର ବ୍ୟବସାୟୀଙ୍କ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ଗାଡ଼ି ଚଳାଇ ପେଟ ପୋଷୁଥିବା ଲୋକ ନିଜ ସମସ୍ତ ସଞ୍ଚିତ ସମ୍ବଳ ଖର୍ଚ୍ଚ କରିସାରିଲାଣି। ଦିନ ମଜୁରିଆ ଭାବେ ଖଟିଲେ ଖାଉଥିବା ବ୍ୟକ୍ତି ଏବେ ବିକଳ ହୋଇ ଖାଦ୍ୟ ମାଗୁଥିବା ଛୁଆଙ୍କ ମୁହଁରେ ଦାନା ଦେଇପାରୁନି। ଏହି ସମସ୍ତ ଘଟଣାକୁ ଦେଖିଲେ ମନକୁ ସ୍ୱତଃ ଆସୁଛି ଧନୀ ନ ହେଲେ ନାହିଁ ଭଗବାନ ଗରିବଟେ କରିଥାନ୍ତେ ହେଲେ!