କରୋନରେ ପୀଡିତ ହୋଇ ହସପିଟାଲରେ ଆଡମିଟ୍ ହୋଇଥିଲେ ମନ୍ତ୍ରୀ, ଏବେ କିନ୍ତୁ ୱାର୍ଡରେ ମାରୁଛନ୍ତି ପୋଛା: ଫଟୋ ଭାଇରଲ

ଦେଶରେ କରୋନା ଭୟଙ୍କର ରୂପ ଧାରଣ କରିଛି। ଗରିବ ଠାରୁ ଆରମ୍ଭ କରି ଧନୀ ସମସ୍ତଙ୍କୁ ନିଜ କବ୍ଜାରେ କରିସାରିଛି ଏହି ମହାମାରୀ। ଏହା ମଧ୍ୟରେ ମିଜୋରାମ ସରକାରରେ ଥିବା ଜଣେ ମନ୍ତ୍ରୀଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଶକ୍ତି ମନ୍ତ୍ରୀ ଜଣକ ଏହି ଫଟୋରେ ଏକ ପୋଛା ସାହାଯ୍ୟରେ ଡାକ୍ତରଖାନା ସଫା କରୁଥିବା ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ମିଜୋରାମର ଶକ୍ତି ମନ୍ତ୍ରୀ ଥିବା ଆର ଲାଲଜୀରଲୈନା କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କ ସହିତ ତାଙ୍କ ପୁଅ ଏବଂ ପତ୍ନୀ ମଧ୍ୟ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଜୋରମ ମେଡିକାଲ କଲେଜର ଚଟାଣ ସଫା କରୁଥିବାର ଫଟୋ ତାଙ୍କର ଏବେ ଭାଇରଲ ହେଉଛି ।

ତେବେ ଏକ ଇଣ୍ଟରଭ୍ଯୁରେ ସେ କହିଛନ୍ତି ଯେ, ସେ ଏହା କୌଣସି ଡାକ୍ତର ବା ନର୍ସଙ୍କୁ ଶିକ୍ଷା ଦେବାପାଇଁ କରିନାହାନ୍ତି । ସେ ସମାଜକୁ କିଛି ଭଲ ବାର୍ତ୍ତା ଦେବା ପାଇଁ ଏହା କରିଛନ୍ତି । ଏଥିରୁ ସମସ୍ତେ ଶଖିବାର ଅଛି ବୋଲି ସେ କହିଛନ୍ତି । ତାଙ୍କ ପାଇଁ ଏଇ କାମ କିଛି ନୂଆ ନୁହେଁ ବୋଲି ସେ କହିଛନ୍ତି । ସମୟ ମିଳିଲେ ସେ ନିଜେ ଘର ସଫା କରିବା ସହିତ ଜିନିଷପତ୍ର ଦାୟିତ୍ୱର ସହ ସଜାଇ ରଖିଥାନ୍ତି ବୋଲି କହିଛନ୍ତି ।

ଭାଇରଲ ଫଟୋରେ ନଜର ଆସିଥିବା ଶକ୍ତି ମନ୍ତ୍ରୀଙ୍କ କହିବା ମୁତାବକ, କିଏ ତାଙ୍କ ଫଟୋ ନେଇଛି, ତାହା ତାଙ୍କୁ ଜଣାନଥିଲା। ତଳେ ଚଟାଣରେ ଅପରିଷ୍କାର ହୋଇଥିଲା। ସେ ଏହାକୁ ସଫେଇ ପାଇଁ ୱାର୍ଡ ବଏକୁ ଡାକିଥିଲେ କିନ୍ତୁ ସେ ହୁଏତ ଆଉ କେଉଁ କାମରେ ବ୍ଯସ୍ତ ଥିବାରୁ ତରନ୍ତ ଆସିପାରିନଥିଲେ। ଏଥିପାଇଁ ନିଜେ ଚଟାଣରେ ପୋଛା ଲଗାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.