ଇଟାଲି: ମାଉଣ୍ଟ ଏଟନା ଆଗ୍ନେୟଗିରିରୁ ୨ ସପ୍ତାହ ହେବ ଉଦ୍‌ଗୀରଣ ହେଉଛି ଲାଭା, ଅଦ୍ଭୁତ ଦୃଶ୍ୟ ଦେଖିବାକୁ ଆସୁଛନ୍ତି ଲୋକେ, ମହାକାଶରୁ ଫଟୋ ପଠାଇଲା ଉପଗ୍ରହ

ଇଟାଲିର ମାଉଣ୍ଟ ଏଟନା ଆଗ୍ନେୟଗିରି ବିସ୍ଫୋରଣ ପାଇଁ ଖ୍ୟାତ। ଗତ ସପ୍ତାହରେ ପୁଣିଥରେ ଏଠାରେ ବିସ୍ଫୋରଣ ଘଟିଛି। ଅତି ସକ୍ରିୟ ଆଗ୍ନେୟଗିରିରେ ହୋଇଥିବା ଏହି ବିସ୍ଫୋରଣର କିଛି ଅସାଧାରଣ ଫଟୋକୁ ୟୁରୋପୀୟ ଅନ୍ତରୀକ୍ଷ ଏଜେନ୍ସି ଉପଗ୍ରହ ମହାକାଶରୁ ପଠାଇଛି। ଏଥିରୁ ଜଣାପଡ଼ିଛି, ମାଉଣ୍ଟ ଏଟନା ଆଗ୍ନେୟଗିରି ଗତ ୨ ସପ୍ତାହ ହେବ ଉଦ୍‌ଗୀରଣ ହେଉଛି। ଗୋଟିଏ ସପ୍ତାହରେ ଏଠାରେ ୪ ଥର ବିସ୍ଫୋରଣ ଘଟିଛି।

ବିସ୍ଫୋରଣରେ ଆଗ୍ନେୟଗିରିରୁ ବାହାରୁଥିବା ଲାଭା ଦୂର ଦୂର ପର୍ଯ୍ୟନ୍ତ ବ୍ୟାପିଯାଇଛି। ୟୁରୋପର ସବୁଠାରୁ ବଡ଼ ଆଗ୍ନେୟଗିରିରୁ ବାହାରୁଥିବା ଲାଭାକୁ ଦେଖିବା ପାଇଁ ଦୂର ଦୂରାନ୍ତରୁ ଲୋକେ ଆସୁଛନ୍ତି। ଯଦିଓ ସବୁଥର ଭଳି ଏଥର ମଧ୍ୟ ଏହି ବିସ୍ଫୋରଣ ଆଖାପାଖ ସହର ପାଇଁ କୌଣସି ବିପଦ ଆଣିନି। କାରଣ, ଏହି ବିସ୍ଫୋରଣର ଶକ୍ତି ବହୁତ କମ୍‌। ଏହି ଲାଭା ୩ରୁ ୪ କିଲୋମିଟର ପର୍ଯ୍ୟନ୍ତ ତଳକୁ ଖସୁଛି। ଶିଖରରୁ ଆସୁଥିବା ଏହି ଲାଭା ଆଗକୁ ବହୁନି।

ସିସଲୀର ମାଉଣ୍ଟ ଏଟନା ପର୍ବତ ୟୁରୋପର ସବୁଠାରୁ ପୁରୁଣା ତଥା ବଡ଼ ସକ୍ରିୟ ଆଗ୍ନେୟଗିରି। ଏହା ପାଖାପାଖି ୭ ଲକ୍ଷ ବର୍ଷ ହେବ ସକ୍ରିୟ ରହିଛି। ପ୍ରତ୍ୟେକ ବର୍ଷ ଏହି ଆଗ୍ନେୟଗିରି ୧୦ ଲକ୍ଷ ଟନ୍‌ରୁ ଅଧିକ ଲାଭା ଏବଂ ୭ ମିଲିୟନ ଟନ କାର୍ବନ ଡାଇଅକ୍ସାଇଡ୍‌, ପାଣି ଓ ସଲ୍‌ଫର ଡାଇଅକ୍ସାଇଡ୍‌ ସୃଷ୍ଟି କରିଥାଏ। ସବୁଠୁ ଆଶ୍ଚର୍ଯ୍ୟର କଥା, ଏହି ଲାଭାକୁ ଦେଖିବା ପାଇଁ ସାରା ବିଶ୍ୱର ଲୋକେ ଆସିଥାଆନ୍ତି। କାହିଁକି ନା, ଏହା ରାତିର ଘନ ଅନ୍ଧାରରେ ଚମକିଥାଏ। କପର୍‌ନିକ୍ସ ସେଣ୍ଟିନଲ୍‌-୨ ମିଶନ ଏଟନାର ତାଜା ବିସ୍ଫୋରଣକୁ ଟ୍ରାକ୍‌ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.