କଟକ ଜିଲ୍ଲା ନରସିଂହପୁରର ରହିଛି ମାଆ ବୁଢ଼ୀଦେଇ ଠାକୁରାଣୀ, ଜାଣନ୍ତୁ କଣ ରହିଛି କିମ୍ବଦନ୍ତୀ
କଟକ (କେନ୍ୟୁଜ): କଟକ ଜିଲ୍ଲା ବଡମ୍ବା ବ୍ଲକ ସନ୍ତରାବଳି ପଞ୍ଚାୟତର ପାହାଡ଼ ଉପରେ ରହିଛି ମାଆ ବୁଢ଼ୀଦେଇ ପୀଠ। ଓଡ଼ିଶାର ନିଆରା ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ ଏହା ଏକ। କିମ୍ବଦନ୍ତୀ କହେ ୧୯୨୦ ମସିହାରେ ଏହି ପୀଠ ତିଆରି ହୋଇଥିଲା। ଓଡ଼ିଶାର ପ୍ରାଚୀନ କଳା ଓ ସଂସ୍କୃତିର ଏକ ଅପୂର୍ବ ଦିଗଦର୍ଶନ ଝଲକ ଦେଖିବାକୁ ମିଳିଥାଏ ଏହି ପୀଠରୁ..
ମାଆ ବୁଢ଼ୀଦେଇଙ୍କ ପ୍ରାଚୀନ ପୀଠ ସାନ୍ତରାବଳି ପଞ୍ଚାୟତରେ ଥିବା ପାହାଡ଼ରେ ଅବସ୍ଥିତ। କିମ୍ବଦନ୍ତୀକୁ ଦେଖିଲେ ଏହି ପୀଠ ସମ୍ପର୍କରେ ଅନେକ କଥା ଜାଣିବାକୁ ମିଳେ। ୧୯୨୦ ମସିହାରେ ଢ଼େଙ୍କାନାଳର ରାଜା ଲୋଭର ବଶବର୍ତ୍ତୀ ହୋଇ ବଡ଼ମ୍ବା ରାଜାଙ୍କ ଉପରେ ଆକ୍ରମଣ କରିଥିଲେ। ପରେ ବଡ଼ମ୍ବା ରାଜା କିଛି ଉପାୟ ନପାଇ ମାଆ ଭଟ୍ଟାରିକାଙ୍କ ଶରଣାପନ୍ନ ହୋଇଥିଲେ। ମାଆଙ୍କ କହିବା ଅନୁସାରେ ପାହାଡ଼ର କିଛି ଦୂରରେ ରାଜା ନିଜ ସେନାକୁ ନେଇ ଯାଇଥିଲେ। ମାଆଙ୍କ ପୂଜା କରିବା ସହିତ ଖଲିପତ୍ରରେ ଭୋଗ ବାଢ଼ିଥିଲେ। ଠାକୁରାଣିଙ୍କ କୃପାରେ ଖଲିପତ୍ର ଏତେ ଅଧିକ ହେଲାଯେ ପବନର ସ୍ରୋତରେ ତାହା ଯାଇ ଢ଼େଙ୍କାନାଳର ରାଜାଙ୍କ ଥିବା ସମସ୍ତ ସୈନ୍ୟଙ୍କ ଉପରେ ପଡ଼ିଥିଲା। ଯାହାକୁ ଦେଖି ରାଜା ଡରିଯିବା ସହ ସେଠାରୁ ଛତ୍ର ଭଙ୍ଗ ଦେଇଥିଲେ।
ପରେ ଏହାର ନାମକୁ ବୁଢ଼ୀ ଦେଇ ନାମରେ ନାମିତ କରାଗଲା। ସେବେଠାରୁ ମାଆ ଏଠାରେ ଗ୍ରାମଦେବତୀ ଭାବେ ପୂଜା ପାଉଛନ୍ତି। ବହୁ ଦୂରଦୂରାନ୍ତରୁ ଏଠାକୁ ଲୋକ ଆସି ମାନସିକ ଜାଚିଥାନ୍ତି। ମାନସିକ ପୂର୍ଣ୍ଣ ହେବା ପରେ ଏଠାକୁ ଆସି ଭୋଜି କରିଥାନ୍ତି। ବର୍ଷ ତମାମ ମାଆଙ୍କ ପାଖକୁ ଭକ୍ତ ଛୁଟି ଆସନ୍ତି। ନିଜର ଦଃୁଖ ଜଣାନ୍ତି। ତେବେ କୁହାଯାଉଥିଲା ଯେ ପୂର୍ବେ ଏଠାରେ ଅନେକ ମୂଲ୍ୟବାନ କାଠ ଓ ପ୍ରାକୃତିକ ଜିନିଷରେ ଭରପୂର ଥିଲା। ଅନେକ ବନ୍ୟ ଜନ୍ତୁ ମଧ୍ୟ ବାସ କରୁଥିଲେ। ଏଠାରେ ଗାଈ ଗୋରୁ ଯଦି କାହାର ହଜିଯାଏ ତେବେ ମାଆଙ୍କ ପାଖେ ଗୁହାରୀ ଜଣାଇଥାନ୍ତି। ପରେ ପାଇଯାନ୍ତି।
ତେଣୁ ଏହି ବିଶ୍ୱାସ ନେଇ ଆଜିବି ଏହି ମନ୍ଦିରରେ ଏପାଖେ ବଡ଼ମ୍ବା ରାଜା ଓ ସେଠାରେ ଢ଼େଙ୍କାନାଳ ଲୋକମାନେ ଆସି ପୂଜା କରିଥାନ୍ତି। ଏଠାରେ ଅନେକ ଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥାଏ। ହେଲେ ପୀଠର କିଛି ବି ଉନ୍ନତି ହୋଇପାରୁ ନାହିଁ ବୋଲି ଲୋକମାନଙ୍କ ଅଭିଯୋଗ ରହିଛି। ଏଠାକୁ ଯିବା ଆସିବା କରିବା ପାଇଁ ରାସ୍ତା ଓ ପାଣିର ସୁବିଧା କରିବାକୁ ଲୋକମାନେ ସରକାରଙ୍କୁ ନିବେଦନ କରିଛନ୍ତି।