ମୟୂରଭଞ୍ଜର ନସ୍କୋରିଆ ଶୈବ ପୀଠ, ବାବାଙ୍କ ଦର୍ଶନ ପାଇଁ ଏଠାରେ ଚଢ଼ିବାକୁ ପଡ଼େ ୨୮୦୦ ଫୁଟ୍

ଆଶା ଓ ବିଶ୍ୱାସର ପ୍ରତୀକ ହେଉଛନ୍ତି ବାବା ଭୋଲେନାଥ। ସାରା ଭାରତବର୍ଷରେ ମହାଦେବଙ୍କର ଅଗଣିତ ମନ୍ଦିର ରହିଥିଲେ ବି ମୟୂରଭଞ୍ଜର ଏହି ପୀଠର ମହତ୍ତ୍ୱ କିନ୍ତୁ ସବୁଠୁ ଅଲଗା। ମହାଦେବଙ୍କ ଏହି ପୀଠର ନାଁ ନସ୍କୋରିଆ ଶୈବ ପୀଠ। ଏଠାରେ ପାହାଡ଼ ଉପରେ ବିରାଜମାନ କରିଛନ୍ତି ଦେବ ଦେବ ମହାଦେବ। ଏଣୁ କେହି କେହି ଏହି ପୀଠକୁ ମୟୂରଭଞ୍ଜର କପିଳାସ ବୋଲି ମଧ୍ୟ କୁହନ୍ତି। ଏଠାରେ ଭଗବାନଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଥାଏ। ଦୀର୍ଘ ୨୮୦୦ ଫୁଟ୍‌ ପାହାଡ଼ ଚଢ଼ିବା ପରେ ପଡ଼େ ବାବାଙ୍କ ପୀଠ।

ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକ ଗୋରୁମହିଷାଣୀ ଖଣି ନିକଟସ୍ଥ ନସ୍କୋରିଆ ପାହାଡ ମୟୂରଭଞ୍ଜର କପିଳାସ ଭାବେ ସୁପରିଚିତ। ଏଠାରେ ଯିଏ ଯାହା ବି କାମନା କରେ ତାହା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି। ଏଣୁ ନିଜ ପରିବାରର ତଥା ମନର ସମସ୍ତ ମନୋବାଞ୍ଛା ପୂରଣ କରିବା ପାଇଁ ଏଠାକୁ ଭକ୍ତମାନେ ଧାଇଁ ଆସିଥାନ୍ତି। ଏଠାକୁ ଆସୁଥିବା କୌଣସି ଭକ୍ତ କେବେ ବି ଖାଲି ହାତରେ ଫେରିନାହିଁ। ସମସ୍ତଙ୍କ ସବୁ ଇଚ୍ଛାକୁ ବାବା ଅବିଳମ୍ବେ ପୂରଣ କରିଥାନ୍ତି। ଏହି ପୀଠର ମାହାତ୍ମ୍ୟକୁ ବୁଝି ବହୁ ଦୂରଦୂରାନ୍ତରୁ ଲୋକମାନେ ଏଠାକୁ ଆସିଥାନ୍ତି ବାବାଙ୍କର ଟିକେ ସାନିଧ୍ୟ ପାଇଁ।

baba2

ବର୍ଷକୁ ଦୁଇଥର ମହାଶିବରାତ୍ରି ଓ ପଣା ସଂକ୍ରାନ୍ତି ବାବା ନସ୍କୋରିଆଙ୍କ ପୀଠରେ ବେଶ୍‌ ଧୁମ୍‌ଧାମ୍‌ରେ ପାଳିତ ହୋଇଥାଏ। ଏହି ଦୁଇଟି ପର୍ବ ଏଠାରେ ବହୁ ଜାକଜମକରେ ପାଳିତ ହୁଏ। ଏ ଅବସରରେ ବାବାଙ୍କ ଦର୍ଶନ କରି ଭକ୍ତମାନେ ଆନନ୍ଦିତ ହୋଇଥାନ୍ତି। ଏଥରକ ମହାଶିବରାତ୍ରିରେ ମଧ୍ୟ ପୀଠରେ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥିଲା। ଚଳିତଥର କରୋନା ନିୟମ ପାଳନ କରି ଶ୍ରଦ୍ଧାଳୁମାନେ ଅତି କଷ୍ଟରେ ପାହାଡ଼ ଚଢ଼ି ବାବାଙ୍କୁ ଦର୍ଶନ କରିଥିଲେ। ତେବେ କେବଳ ରାଜ୍ୟ ଭିତରର ନୁହେଁ, ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଶ୍ରଦ୍ଧାଳୁମାନେ ମଧ୍ୟ ଏଠାକୁ ଛୁଟି ଆସିଥିଲେ ବାବାଙ୍କର ଟିକେ ଆଶୀର୍ବାଦ ପାଇବାକୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.