ଆଜିଠୁ ଶାରଦୀୟ ନବରାତ୍ରି…ଜାଣନ୍ତୁ ୯ ଦିନ ପର୍ଯ୍ୟନ୍ତ କ’ଣ କରିବେ ଓ କ’ଣ ନ କରିବେ

ଶାରଦୀୟ ନବରାତ୍ରି ଆଜିଠୁ ଆରମ୍ଭ ହୋଇଛି। ଏହି ୯ ଦିବସୀୟ ମହାପର୍ବ ୫ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ୯ ଦିନ ପର୍ଯ୍ୟନ୍ତ ମନ୍ଦିର ଓ ଘରେ ମା’ଙ୍କ ଉପାସନା ହେବ ଏବଂ ସମସ୍ତେ ଘଟ ସ୍ଥାପନା କରିବେ। ଘଟ ସ୍ଥାପନା ସହିତ ମାତା ରାଣୀଙ୍କର ପୂଜା ବିଧି ବିଧାନର ସହ କରାଯିବ। ହିନ୍ଦୁ ଧର୍ମରେ ଦେବୀ ମା’ଙ୍କ ଉପାସନାର ବିଶେଷ ମହତ୍ତ୍ୱ ରହିଛି। ନବରାତ୍ରିର ୯ ଦିନ ମା’ଙ୍କ ଭକ୍ତମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏଥିପାଇଁ ଧର୍ମ, ପୁରାଣରେ ଦେବୀ ମା’ଙ୍କ ପୂଜା ପାଇଁ କିଛି ନିୟମ ପ୍ରଚଳିତ ରହିଛି, ଯାହାକୁ ପାଳନ କରିବା ଦ୍ୱାରା ମାତା ରାଣୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ତା’ ଛଡ଼ା ନବରାତ୍ରିରେ ଏମିତି ବି କିଛି କାର୍ଯ୍ୟ ରହିଛି, ଯାହାକୁ ଆମେ କରିବା ଉଚିତ୍‌ ଏବଂ ଆଉ କିଛି କାମ ଅଛି, ଯାହାକୁ କରିବା ଅନୁଚିତ୍‌। ଆସନ୍ତୁ ଜାଣିବା, ଏହା ବିଷୟରେ…

ନବରାତ୍ରିରେ କ’ଣ କରିବେ

-ନବରାତ୍ରିର ୯ ଦିନ ପର୍ଯ୍ୟନ୍ତ ପ୍ରତିଦିନ ସକାଳୁ ଉଠି ଗାଧାନ୍ତୁ। ଏହାପରେ ପୂଜା ସ୍ଥାନ ଏବଂ ଘରକୁ ସଫାସୁତରା କରନ୍ତୁ।

-ମନ୍ଦିର ସଫା କରି ଗଙ୍ଗାଜଳରେ ଶୁଦ୍ଧ କରନ୍ତୁ। ଏହାପରେ ବିଧି ବିଧାନର ସହ ପୂଜା କରନ୍ତୁ।

-ଦେବୀ ମା’ଙ୍କୁ ଲାଲ୍‌ ରଙ୍ଗ ବହୁତ ପସନ୍ଦ। ଏଥିପାଇଁ ନବରାତ୍ରିର ୯ ଦିନରେ ଦେବୀ ମା’ଙ୍କୁ ଲାଲ୍‌ ରଙ୍ଗର ଫୁଲ ଅର୍ପଣ କରନ୍ତୁ।

-ନବରାତ୍ରିର ୯ ଦିନ ପର୍ଯ୍ୟନ୍ତ ମାତାଙ୍କୁ ଲାଲ୍‌ ଓଢ଼ଣୀ ଚଢ଼ାନ୍ତୁ ଏବଂ ଏଥି ସହିତ ଲାଲ୍‌ ରଙ୍ଗର ଚୁଡ଼ି ଅର୍ପଣ କରନ୍ତୁ।

-ଏହି ୯ ଦିନ ମାତାଙ୍କୁ ଅଲଗା ଅଲଗା ରୂପରେ ପୂଜା କରନ୍ତୁ ଏବଂ ତାଙ୍କ ମନପସନ୍ଦର ଭୋଗ ଲଗାନ୍ତୁ।

-ନବରାତ୍ରିର ୯ ଦିନ ପର୍ଯ୍ୟନ୍ତ ଯେଉଁଠି ଆପଣ ଅଖଣ୍ଡ ଜ୍ୟୋତି ଜଳାଉଛନ୍ତି, ଏହା ସାମ୍ନାରେ ଦୁର୍ଗା ସପ୍ତଶତୀ ଏବଂ ଦୁର୍ଗା ଚାଳିଶା ପାଠ କରନ୍ତୁ। ଏହାଦ୍ୱାରା ମାତା ରାଣୀ ଖୁସି ହେବେ।

-ନବରାତ୍ରି ଦିନଗୁଡ଼ିକରେ ଘରେ କଳସ ସ୍ଥାପନା ସହିତ ଅଖଣ୍ଡ ଜ୍ୟୋତି ନିଶ୍ଚୟ ପ୍ରଜ୍ଜ୍ୱଳନ କରନ୍ତୁ।

-ପୂଜାର୍ଚ୍ଚନା ପରେ ଦୁର୍ଗା ଚାଳିଶା, ଦୁର୍ଗା ସପ୍ତଶତୀ ଏବଂ ଦେବୀ ଭାଗବତ ପୁରାଣ ପାଠ କରନ୍ତୁ।

-ହୋଇପାରିବ ଯଦି ୯ ଦିନ ପର୍ଯ୍ୟନ୍ତ ନବରାତ୍ରିର ବ୍ରତ ରଖନ୍ତୁ। ବ୍ରତରେ ଆପଣ ଫଳ ଆହାର କରି ପାରିବେ। ନଚେତ୍‌ ଥରେ ମାତ୍ର ଭୋଜନ କରି ପାରିବେ। ଯେଉଁ ଲୋକମାନେ ୯ ଦିନର ବ୍ରତ କରି ପାରିବେ ନାହିଁ, ସେମାନେ ପ୍ରଥମ ଦିନ ଏବଂ ଅଷ୍ଟମୀ ଦିନ ଉପବାସ କରନ୍ତୁ।

-ନବରାତ୍ରିରେ ସାତ୍ତ୍ୱିକ ଭୋଜନ ଏବଂ ବ୍ରହ୍ମଚାର୍ଯ୍ୟର ନିୟମ ପାଳନ କରନ୍ତୁ।

ନବରାତ୍ରିରେ କ’ଣ କରିବେ ନାହିଁ

-ନବରାତ୍ରିରେ ପିଆଜ, ରସୁଣ ଖାଦ୍ୟ ସେବନ କରନ୍ତୁ ନାହିଁ। ମାଂସ, ମଦ୍ୟପାନଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ।

-ନବରାତ୍ରି ଦିନ କେଶ ଓ ନଖ କାଟନ୍ତୁ ନାହିଁ।

-ଚମଡ଼ା ତିଆରି ଜିନିଷ ବ୍ୟବହାର କରନ୍ତୁ ନାହିଁ।

-ପ୍ରତିଦିନ ସଫା କପଡ଼ା ପିନ୍ଧନ୍ତୁ।

-ଯେଉଁ ଲୋକ ବ୍ରତ କରୁଛନ୍ତି, ସେମାନେ ତଳେ ଶୁଅନ୍ତୁ। କାହିଁକି ନା, ମାନ୍ୟତା ମୁତାବକ, ବ୍ରତଧାରୀ ଲୋକେ ସପ, ମଶିଣା କିମ୍ବା ଶେଯରେ ଶୋଇବା ଉଚିତ୍‌ ନୁହେଁ।

You might also like