Below header

ଏବେ ବି ବଞ୍ଚିଛି ମାନବିକତା: ମାତ୍ର ୨୮ ଟଙ୍କା ଫେରାଇବାକୁ ଆମେରିକାରୁ ଭାରତ ଆସିଲେ ଏହି ବ୍ୟକ୍ତି

ବର୍ତ୍ତମାନର ଲୋଭୀ ଦୁନିଆରେ ଲୋକମାନେ ଅନ୍ୟର ଟଙ୍କା ଓ ଧନ ସମ୍ପତ୍ତି ନେବାକୁ ଯେମିତି ଚାହିଁ ବସିଛନ୍ତି। ଏହି ଟଙ୍କା ପାଇଁ ପରିବାର ଭିତରେ ବି ଫାଟ ସୃଷ୍ଟି ହେଉଛି। କିନ୍ତୁ ଏବେ ବି ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ସଚ୍ଚୋଟ ଓ ନିଷ୍ଠାପର ଭାବେ ଜୀବନ ଜୀଉଁଛନ୍ତି। ଅନ୍ୟର ଟଙ୍କାଟେକୁ ବି ସେମାନେ ନିଜ ପାଖରେ ରଖିବାକୁ ଚାହୁଁ ନାହାନ୍ତି। ସେଭଳି ଜଣେ ବ୍ୟକ୍ତିତ୍ୱ ଏବେ ଚର୍ଚ୍ଚାରେ ଅଛନ୍ତି। ଏହି ବ୍ୟକ୍ତି ଜଣକ ମାତ୍ର ୨୮ ଟଙ୍କା ଫେରାଇବାକୁ ସୁଦୂର ଆମେରିକାରୁ ଭାରତ ଆସିଛନ୍ତି।

ଏଭଳି ରୋଚକ ମାମଲା ସାମ୍ନାକୁ ଆସିଛି ହରିୟାଣାରୁ। ଟଙ୍କା ଫେରାଇଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ହରିୟାଣାରେ ପ୍ରଥମ ନୌସେନା ସାହସିକତା ପୁରସ୍କାରରେ ସମ୍ମାନିତ ହୋଇଥିବା ନୌସେନା କମାଣ୍ଡର ବିଏସ୍‌ ଉପ୍ପଲ। ଅବସର ପରେ ଉପ୍ପଲ ପୁଅ ସହ ଆମେରିକାରେ ରହୁଛନ୍ତି। ଏଣୁ ସେ ଆଉ ହରିୟାଣା ଆସିପାରିନଥିଲେ। କିନ୍ତୁ ଏହି ୨୮ ଟଙ୍କାର ଋଣ ସୁଝିବାକୁ ଏବେ ଉପ୍ପଲ ସ୍ୱତନ୍ତ୍ର ଭାବେ ହରିୟାଣା ଆସିଛନ୍ତି।

repay

ସିଏସ୍‌ ଉପ୍ପଲ ଦୀର୍ଘ ବର୍ଷ ପରେ ହରିୟାଣାର ହିସାର ସ୍ଥିତ ଦିଲ୍ଲୀ ବାଲା ହଲଓ୍ଵାଇଙ୍କ ନିକଟରେ ପହଞ୍ଚି ଦୋକାନ ମାଲିକ ବିନୟ ବଂସଲଙ୍କୁ ଭେଟିଥିଲେ। ସେ କହିଥିଲେ ଯେ ତୁମ ଦାଦା ଶମ୍ଭୁ ଦୟା ବଂସଲଙ୍କ ଠାରୁ ମୁଁ ୧୯୫୪ ମସିହାରେ ୨୮ ଟଙ୍କାର ଦହି ଲସିରେ ପେଡ଼ା ମିଶାଇ ପିଇଥିଲି। କିନ୍ତୁ ସେତେବେଳେ ତାଙ୍କୁ ପଇସା ଦେଇପାରିନଥିଲି। ପରେ ହଠାତ୍‌ ମୋ ପୋଷ୍ଟିଂ ନୌସେନାରେ ହୋଇଥିଲା। ଏଣୁ ମୋତେ ସହର ଛାଡ଼ି ଯିବାକୁ ପଡ଼ିଥିଲା। ଏଣୁ ତାଙ୍କ ୨୮ ଟଙ୍କା ଫେରାଇବାକୁ ଏବେ ମୁଁ ଆସିଛି। ଏଥିସହ ଉପ୍ପଲ କହିଛନ୍ତି, ଦଶମ ପାସ୍‌ କରିବା ପରେ ମୁଁ ମୋ ସ୍କୁଲକୁ ବି ଆଉ ଆସିନଥିଲି। ଏଣୁ ୨୮ ଟଙ୍କା ଫେରାଇବା ବାହାନାରେ ଏବେ ମୁଁ ମୋ ସ୍କୁଲକୁ ବି ଆଉ ଥରେ ଦେଖିବାକୁ ଭାରତ ଆସିଛି।

ଦୋକାନ ମାଲିକ ବିନୟଙ୍କୁ ବିଏସ୍‌ ଉପ୍ପଲ ସୁଧ ସହ ୧୦ ହଜାର ଟଙ୍କା ଦେଇଥିଲେ। କିନ୍ତୁ ବିନୟ ଏହି ଅର୍ଥ ନେବାକୁ ମନା କରିଦେଇଥିଲେ। ଉପ୍ପଲ କହିଥିଲେ, ‘ମୋ ମୁଣ୍ଡ ଉପରେ ତୁମ ଦୋକାନର ଋଣ ଅଛି। ଏହାକୁ ସୁଝିବାକୁ ଦୟା କର। ତୁମେ ଏହି ଅର୍ଥ ଗ୍ରହଣ କର। ମୁଁ ଖାସ୍‌ କରି ଏହି କାମ ପାଇଁ ଆମେରିକାରୁ ଏଠାକୁ ଆସିଛି’। ଉପ୍ପଲଙ୍କର ଏହି ନିବେଦନ ପରେ ବିନୟ ଟଙ୍କା ନେଇଥିବା ଜଣାଯାଇଛି। ଏହା ପରେ ଉପ୍ପଲ ନିଜ ସ୍କୁଲ ଯାଇଥିଲେ ମଧ୍ୟ ସ୍କୁଲ ବନ୍ଦ ଥିବାର ସେ ନିରାଶ ହୋଇ ଫେରିଯାଇଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.