ରଙ୍ଗତୂଳୀ ସାହାଯ୍ୟରେ ଆଙ୍କୁଛନ୍ତି ବାସ୍ତବ ପ୍ରତିଛବି, ସରକାରୀ ସାହାଯ୍ୟ ମିଳିଲେ ଆହୁରି ଆଗକୁ ବଢିପାରିବେ ସ୍ୱର୍ଣ୍ଣଲତା

ସ୍ୱର୍ଣ୍ଣଙ୍କ ହାତ ସ୍ପର୍ଶରେ ଜୀବନ୍ତ ହୋଇ ଉଠୁଛି ନିର୍ଜୀବ ବସ୍ତୁ । ତାଙ୍କ ରଙ୍ଗତୂଳୀରେ ଯେପରି ଯାଦୁ ଲୁଚି ରହିଛି । ଆଙ୍କୁଛନ୍ତି ମହାପୁରୁଷଙ୍କ ଅବିକଳ ଚିତ୍ର । ତାଙ୍କ ରଙ୍ଗତୂଳୀର ସ୍ପର୍ଶରେ ମହାପୁରୁଷ ମଧ୍ୟ ଜୀବନ୍ତ ଲାଗୁଛନ୍ତି ।

କେନ୍ୟୁଜ୍‌(ବ୍ୟୁରୋ): ସ୍ୱର୍ଣ୍ଣଙ୍କ ହାତ ସ୍ପର୍ଶରେ ଜୀବନ୍ତ ହୋଇ ଉଠୁଛି ନିର୍ଜୀବ ବସ୍ତୁ । ସତେ ଯେପରି କଥା କହୁଛି ତାଙ୍କ ହାତ ତିଆରି କଳାକୃତି । ତାଙ୍କ ରଙ୍ଗତୂଳୀରେ ଯେପରି ଯାଦୁ ଲୁଚି ରହିଛି । ରଙ୍ଗତୂଳୀ ସାହାଯ୍ୟରେ ଆଙ୍କୁଛନ୍ତି ବାସ୍ତବ ପ୍ରତିଛବି । ସୂକ୍ଷ୍ମ ଜିନିଷଠୁ ଆରମ୍ଭ କରି ବିଶ୍ୱନିଅନ୍ତାଙ୍କ ପର୍ଯ୍ୟନ୍ତ ଚିତ୍ର ଆଙ୍କୁଛନ୍ତି ସ୍ୱର୍ଣ୍ଣ । କେବଳ ଯେ ଜଗନ୍ନାଥଙ୍କ ଛବି ଆଙ୍କୁଛନ୍ତି ତାହା ନୁହେଁ ମହାପୁରୁଷଙ୍କ ଅବିକଳ ଚିତ୍ର ଆଙ୍କୁଛନ୍ତି । ତାଙ୍କ ରଙ୍ଗତୂଳୀର ସ୍ପର୍ଶରେ ମହାପୁରୁଷ ମଧ୍ୟ ଜୀବନ୍ତ ଲାଗୁଛନ୍ତି । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ବାଦିଲୋ ଗାଁର ଲକ୍ଷ୍ମୀଧର ଜେନାଙ୍କ ସାନଝିଅ ସ୍ୱର୍ଣ୍ଣଲତା ଜେନା ଏଭଳି ପ୍ରତିଭାର ଅଧିକାରୀ ।

ରଙ୍ଗତୂଳୀର ଯାଦୁରେ ଘରକୁ ଜଗନ୍ନାଥମୟ ପରିବେଶରେ ପରିଣତ କରି ଦେଇଛନ୍ତି ସ୍ୱର୍ଣ୍ଣ । ଘରର କାନ୍ଥ, କୁଲା, ଗ୍ୟାସ ସିଲିଣ୍ଡର ଉପରେ ଆଙ୍କିଛନ୍ତି ଜଗନ୍ନାଥଙ୍କ ସୁନ୍ଦର ଚିତ୍ର । ସୂକ୍ଷ୍ମରୁ ସୂକ୍ଷ୍ମ ଜିନିଷରେ ଜଗନ୍ନାଥଙ୍କ ଛବି ଆଙ୍କି ପାରୁଛନ୍ତି । ଏପରିକି କଇଁଛ ଦେହରେ, ଗଛର ଗଣ୍ଡି, ଗଛର ପତ୍ର ଓ ବିଭିନ୍ନ ଫଳ ଉପରେ ଆଙ୍କୁଛନ୍ତି ଆଖି ଲାଖି ଗଲାପରି ରଙ୍ଗୀନ ଚିତ୍ର । ଦେଖନ୍ତୁ କଦଳୀ ପତ୍ରରେ କିପରି ମନଲୋଭା ଜଗା, ବଳିଆ ଓ ସୁଭଦ୍ରାଙ୍କ ଛବି ଶୋଭା ପାଉଛି । ପେନସିଲ ଆର୍ଟ ମାଧ୍ୟମରେ ମହାପୁରୁଷଙ୍କ ଛବି କରିପାରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କଠୁ ମହାତ୍ମାଗାନ୍ଧୀ, ଆମ୍ବେଦକର ଏମିତି କେତେ ମହାପୁରୁଷଙ୍କ ଚିତ୍ର । ଯିଏ ବି ଦେଖିବ ତାର ମନ ଏହି ଚିତ୍ର ଉପରେ ଲାଖିଯିବ ।

ସ୍ୱର୍ଣ୍ଣଲତା କେବଳ ଜଣେ ଚିତ୍ରକର ନୁହଁନ୍ତି ଖୁବ୍‌ ସୁନ୍ଦର ବାଳୁକା କଳା ମଧ୍ୟ କରିପାରନ୍ତି । ସୁନ୍ଦର ଆକର୍ଷଣୀୟ ଚିତ୍ରକରି ସମସ୍ତଙ୍କ ମନ କିଣି ପାରୁଛନ୍ତି । ଆର୍ଟ କଲେଜରେ ପାଠପଢି ଏହି କ୍ଷେତ୍ରରେ ଆଗକୁ ଯିବା ତାଙ୍କ ଇଚ୍ଛା ରହିଛି । ଅର୍ଥାଭାବ ଯୋଗୁଁ ତାଙ୍କ ଇଚ୍ଛାକୁ ମାରିବାକୁ ବାଧ୍ୟ ହେଉଛନ୍ତି । ବାପା ଜଣେ କ୍ଷୁଦ୍ର ଚାଷୀ । ସେଥିରେ ଯାହା ରୋଜଗାର ହୁଏ ବହୁ କଷ୍ଟରେ ପରିବାର ଚଳେ । ଏପରି ପରିସ୍ଥିତିରେ ଝିଅକୁ ପାଠ ପଢାଇବେ କିପରି । ବହୁ କଷ୍ଟରେ +୨ ପର୍ଯ୍ୟନ୍ତ ପାଠ ପଢିଛନ୍ତି ସ୍ୱର୍ଣ୍ଣଲତା । ଆଗକୁ ପଢିବାକୁ ଇଚ୍ଛା ଥିଲେବି ପରିସ୍ଥିତି ତାଙ୍କୁ ଘରେ ବସି ରହିବାକୁ ବାଧ୍ୟ କରୁଛି । ସ୍ୱର୍ଣ୍ଣଲତାଙ୍କୁ ସରକାରୀ ପ୍ରୋତ୍ସାହନ ମିଳିଳେ କଳା କ୍ଷେତ୍ରରେ ଆହୁରି ଆଗକୁ ବଢି ପାରିବେ ବୋଲି ସ୍ୱର୍ଣ୍ଣଲତା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.