ପୃଥିବୀର ସୁରକ୍ଷା କବଚକୁ ରଖନ୍ତୁ ସୁରକ୍ଷିତ, ନଚେତ ମାଡି ଆସିବ ମହାବିପଦ

ପ୍ରତିବର୍ଷ ସେପ୍ଟେମ୍ବର ମାସ ୧୬ ତାରିଖକୁ “ବିଶ୍ୱ ଓଜୋନ ଦିବସ” ଭାବରେ ପାଳନ କରାଯାଇଥାଏ । ଲୋକଙ୍କ ମଧ୍ୟରେ ଓଜୋନ ସ୍ତରକୁ ନେଇ ସଚେତନତା ସୃଷ୍ଟି କରିବା ହିଁ ଏହି ଦିବସ ପାଳନର ମୂଳ ଲକ୍ଷ । ଓଜନ ସ୍ତର ଓଜନ ଅଣୁ ମାନଙ୍କର ଏକ ସ୍ତର ଯାହା ବାୟୁମଣ୍ଡଳ ଠାରୁ ୧୦ ରୁ ୫୦ କିଲୋମିଟର ଦୂରତା ମଧ୍ୟରେ ଛାୟୀ ହୋଇରହିଥାଏ । ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମି ଦାଉରୁ ପୃଥିବୀକୁ ସୁରକ୍ଷା ଦେଇଥାଏ ଏହି ସ୍ତର । ଯଦି ଓଜନ ସ୍ତର ନଥାନ୍ତା ତେବେ ପୃଥିବୀ ପୃଷ୍ଠରେ ଜୀବଜଗତ ତିଷ୍ଠିବା ଏକ ପ୍ରକାର ଅସମ୍ଭବ ହୋଇପଡ଼ନ୍ତା । ମଣିଷଙ୍କ ଠାରୁ ଆରମ୍ଭ କରି, ଜୀବଜନ୍ତୁ, ଗଛଲତା ସମସ୍ତଙ୍କ ପାଇଁ ଖୁବ ହାନିକାରକ ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମି । କହିରଖିବା ଉଚିତ ହେବକି ଏହି ଅତିବାଇଗଣୀ ରଶ୍ମି କ୍ୟାନ୍ସର କଣିକା ସୃଷ୍ଟି କରିପାରେ । ତେଣୁ ସୂର୍ଯ୍ୟଙ୍କ ଏହି ରଶ୍ମି ଦାଉରୁ ଆମ ବାୟୁମଣ୍ଡଳକୁ ସୁରକ୍ଷା ଦେବା ପାଇଁ ଏହି ଓଜନ ସ୍ତରର ସଂରକ୍ଷଣ କରିବା ନିହାତି ଜରୁରୀ । ନଚେତ ପୃଥିବୀ ଯେ ଦିନେ ଜୀବଶୂନ୍ୟ ହୋଇଯିବ ଏଥିରେ କୌଣସି ସନ୍ଦେହ ନାହିଁ ।

ozone day

କଣ ରହିଛି ଚଳିତ ବର୍ଷର ଥିମ:

ଚଳିତ ବର୍ଷ ଏହି ଓଜୋନ ଦିବସର ଥିମ “ଓଜନ ଫର ଲାଇଫ” ରଖାଯାଇଛି । ଅର୍ଥାତ ପୃଥିବୀ ପୃଷ୍ଠରେ ଜୀବସତ୍ତା ବଂଚିବା ପାଇଁ ଓଜୋନ
ସ୍ତର ନିହାତି ରହିବା ଆବଶ୍ୟକ । ଆଉ ଚଳିତ ବର୍ଷ ବିଶ୍ୱ ଓଜନ ସ୍ତର ସଂରକ୍ଷଣର ୩୫ ବର୍ଷ ପାଳନ କରିବ ବୋଲି ଜଣାଯାଇଛି | ୧୯୮୭
ମସିହା ସେପ୍ଟେମ୍ବର ୧୬ ତାରିଖ କାନାଡ଼ାର ମଣ୍ଟ୍ରିଲ ସହର ଠାରେ ବିଶ୍ୱର ୩୩ ରାଷ୍ଟ୍ର ଓଜନ ସ୍ତରର ସଂରକ୍ଷଣ ନେଇ ଏକ ଚୁକ୍ତି ସ୍ୱାକ୍ଷରିତ କରିଥିଲେ । ଯାହାକୁ “ମଣ୍ଟ୍ରିଲ ପ୍ରଟୋକଲ” ଭାବରେ ଜଣାଯାଏ । ୨୦୫୦ ମସିହା ସୁଦ୍ଧା ଓଜନ ସ୍ତରକୁ କ୍ଷତି ପହଞ୍ଚାଉଥିବା ଗ୍ୟାସ ଗୁଡିକରେ ନିୟନ୍ତ୍ରଣ ଆଣିବା ହିଁ ଏହି ଚୁକ୍ତି ସ୍ଵାକ୍ଷରର ମୂଳ ଲକ୍ଷ ଥିଲା । ୧୯୯୪ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ସେପ୍ଟେମ୍ବର ୧୬ ତାରିଖକୁ ଓଜନ ଦିବସ ପାଳନ କରିବା ନେଇ ନିଷ୍ପତ୍ତି ହୋଇଥିବା ବେଳେ ୧୯୯୫ରୁ ପାଳନ ହୋଇଆସୁଛି ।

ତିନୋଟି ଅକ୍ସିଜେନ ଅଣୁକୁ ନେଇ ହିଁ ଓଜୋନ ସ୍ତର ସୃଷ୍ଟି ହୋଇଥାଏ । ବାୟୁମଣ୍ଡଳରେ ମହଜୂତ ଥିବା ନାଇଟ୍ରୋଜେନ ଅକ୍ସାଇଡ ଓ ହାଇଡ୍ରୋକାର୍ବନ ସୂର୍ଯ୍ୟଙ୍କ ରଶ୍ମି ସହ ପ୍ରତିକ୍ରିୟା କରିବା ଫଳରେ ଓଜୋନ କଣିକା ମାନଙ୍କର ନିର୍ମାଣ ହୋଇଥାଏ । ଏହାବାଦ ଯାନବାହାନ ଓ କଳକାରଖାନା ଆଦିରୁ ନିର୍ଗତ ହେଉଥିବା କାର୍ବନ ମନୋକ୍ସାଇଡ ତଥା ଅନ୍ୟ ଗ୍ୟାସ ଗୁଡିକର ରାସାୟନିକ କ୍ରିୟା ଓଜୋନ କଣିକା ମାତ୍ରାକୁ ବୃଦ୍ଧି କରିଥାଏ । କିନ୍ତୁ ଖୁସିର କଥା ହେଉଛି, ବିଶ୍ଵବ୍ୟାପୀ ଜାରି ହୋଇଥିବା ଲକଡାଉନ କାରଣରୁ ପ୍ରଦୂଷଣ ହାର ୩୫ ପ୍ରତିଶତ ପର୍ଯ୍ୟନ୍ତ କମିଥିବା ବେଳେ ନାଇଟ୍ରୋଜେନ ଆକ୍ସାଇଡ ୬୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି । ଏହା ବାଦ କାର୍ବନ ନିଷ୍କାସନ ବି ୧.୫ରୁ ୨ ପ୍ରତିଶତ ପର୍ଯ୍ୟନ୍ତ କମିଯାଇଛି । ଏହି ସ୍ଥିତି ଯଦି ଜାରି ରହେ ତେବେ ପରିସ୍ଥିତି ସୁଧୁରିବା ସହ ଆମ ରକ୍ଷା କବଚ ଓଜୋନ ସ୍ତର ବି ସୁରକ୍ଷିତ ରହିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.