ନୂଆ ବର୍ଷରେ ୮୭୪ କାର୍ରେ ଲୋକେ ଲଗାଇ ଦେଲେ ନିଆଁ! ପ୍ରତିବର୍ଷ ପାଳନ ହୋଇଥାଏ ଏହି ଅଜବ ପରମ୍ପରା; ଜାଣନ୍ତୁ ଅସଲ କାରଣ
ନୂଆ ବର୍ଷକୁ ନିଆରା ସ୍ୱାଗତ। ଫ୍ରାନ୍ସରେ ଲୋକେ ଅଜବ ଢଙ୍ଗରେ ୨୦୨୧କୁ ବିଦାୟ ଦେଇ ନୂତନ ବର୍ଷ ୨୦୨୨କୁ ସ୍ୱାଗତ କରିଛନ୍ତି। ଏଠାରେ ବର୍ଷ ୨୦୨୧ର ଶେଷ ଦିନ ଅର୍ଥାତ୍ ୩୧ ଡିସେମ୍ବରରେ ପାଖାପାଖି ୮୭୪ଟି ଗାଡିରେ ନିଆଁ ଲଗାଇ ଦିଆଯାଇଥିଲା। ବାସ୍ତବରେ, ଏହି ଦେଶର ଏହା ଏକ ଅଦ୍ଭୁତ ପରମ୍ପରା ରହି ଆସିଛି। ପ୍ରତିବର୍ଷ ଏହି ଦେଶରେ ଖରାପ ହୋଇ ପଡ଼ିଥିବା ତଥା ଦୁର୍ଘଟଣାଗ୍ରସ୍ତ କାରଗୁଡ଼ିକରେ ନିଆଁ ଲଗାଇ ଦିଆଯାଇଥାଏ। ଯଦିଓ କରୋନା ଭାଇରସ୍ ଯୋଗୁ ଗତ ବର୍ଷ ଫ୍ରାନ୍ସରେ କୋଭିଡ୍ ପ୍ରତିବନ୍ଧକ ଲାଗିଥିଲା, ଯେଉଁ କାରଣରୁ ଏଥର ଜଳୁଥିବା ଯାନ ସଂଖ୍ୟା ବହୁତ କମ୍ ରହିଥିଲା। ପ୍ରତିବନ୍ଧକ ଯୋଗୁ ଏହି ସଂଖ୍ୟା ପୂର୍ବ ବର୍ଷ ତୁଳନାରେ କମି ଯାଇଛି। ଫ୍ରାନ୍ସର ଇଣ୍ଟେରିୟର ମନ୍ତ୍ରୀ ଗେରାଲ୍ଡ ଡାର୍ମିନିନ୍ ଏହି ସୂଚନା ଦେଇଛନ୍ତି।
ବହୁ ସଂଖ୍ୟକ ଲୋକଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା
ମନ୍ତ୍ରଣାଳୟ ଏକ ପ୍ରେସ ବିବୃତ୍ତି ଜାରି କରି କହିଛି ଯେ ୨୦୧୯ରେ ମୋଟ ୧,୩୧୬ କାରରେ ନିଆଁ ଲଗାଯାଇଥିଲା। ପୂର୍ବ ବର୍ଷ ତୁଳନାରେ ୨୦୨୧ରେ ପୋଲିସ ଅଧିକ ସଂଖ୍ୟକ ଲୋକଙ୍କୁ କାରରେ ନିଆଁ ଲଗାଯିବାକୁ ନେଇ ପଚରାଉଚରା କରିଥିଲା। ପୂର୍ବ-ଉତ୍ତର ଫ୍ରାନ୍ସର ଷ୍ଟ୍ରାସବର୍ଗରେ ଗାଡ଼ିଗୁଡ଼ିକୁ ଜଳାଯିବା ପରେ ୩୧ ଜଣଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା।
କହି ରଖୁଛୁ କି, ଫ୍ରାନ୍ସରେ ବର୍ତ୍ତମାନ କରୋନା ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଠାରେ କରୋନା ବୃଦ୍ଧି ସତ୍ତ୍ୱେ କାରଗୁଡ଼ିକୁ ଜଳାଇବାର ପରମ୍ପରା ବନ୍ଦ ହୋଇ ନ ଥିଲା। ଏହି ଦେଶରେ ଦୈନିକ ୨ ଲକ୍ଷରୁ ଅଧିକ କରୋନା ମାମଲା ପଞ୍ଜୀକୃତ ହେଉଛି। ଶନିବାର ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୨,୧୯,୧୯୬ ମାମଲା ପଞ୍ଜୀକୃତ ହୋଇଥିଲା। ଅଧିକାରୀମାନେ କହିଛନ୍ତି କି, ମଧ୍ୟ ଫ୍ରାନ୍ସର ୟୋନ ବିଭାଗରେ କରୋନା ପ୍ରତିବନ୍ଧକ ସତ୍ତ୍ୱେ ପାଖାପାଖି ୧,୫୦୦ ଲୋକଙ୍କ ସହ ପାର୍ଟିର ଆୟୋଜନ ହୋଇଥିଲା। ଅଧିକାରୀମାନଙ୍କ କହିବା ହେଲା, ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଫୋର୍ସ ଚେଷ୍ଟା କରିଥିଲେ।