Below header

ପାଖରେ ନଥିଲା ଟଙ୍କା, ଝିଅକୁ ବାହାଦେଇ ଏବେ ଜଙ୍ଗଲରେ ରହୁଛନ୍ତି ସ୍ୱାମୀ ସ୍ତ୍ରୀ

ଦୁଇ ଜଣ ମହିଳା ପୁରୁଷ ଘଞ୍ଚ ଜଙ୍ଗଲ ଭିତରେ ଏଣେ ତେଣେ ବୁଲୁ ଥାନ୍ତି l ଯେମିତି କାହାକୁ ଲୁଚୁଛନ୍ତି ସେଭଳି ଲାଗିଲା । ତାଙ୍କ ହାତରେ କାଠ କାଟିବା ଟାଙ୍ଗିଆ ନଥିଲା କି ଜଙ୍ଗଲ ଜାତ ପଦାର୍ଥ ସଂଗ୍ରହ କରିବାର କୌଣସି ସରଞ୍ଜାମ ନଥିଲା l

ଭୁବନେଶ୍ୱର(କେନ୍ୟୁଜ୍‌): ଦୁଇ ଜଣ ମହିଳା ପୁରୁଷ ଘଞ୍ଚ ଜଙ୍ଗଲ ଭିତରେ ଏଣେ ତେଣେ ବୁଲୁ ଥାନ୍ତି l ଯେମିତି କାହାକୁ ଲୁଚୁଛନ୍ତି ସେଭଳି ଲାଗିଲା । ତାଙ୍କ ହାତରେ କାଠ କାଟିବା ଟାଙ୍ଗିଆ ନଥିଲା କି ଜଙ୍ଗଲ ଜାତ ପଦାର୍ଥ ସଂଗ୍ରହ କରିବାର କୌଣସି ସରଞ୍ଜାମ ନଥିଲା l ତେଣୁ ଏମାନେ ଯେ ଆଖପାଖର ଲୋକ ହୋଇଥିବେ ତାକୁ ନେଇ ସନ୍ଦେହ ହେଲା । ଆମେ ଅନେକ ଚିନ୍ତା କରିବା ପରେ ଭାରି ଦ୍ୱନ୍ଦ୍ୱରେ ପଡ଼ିଗଲୁ। କାଳେ ଅପରାଧୀ ହୋଇଥିବେ ତେଣ ଅଳ୍ପ ଡର ବି ମନରେ ଥାଏ l ତଥାପି ସାହସ କରି ଆମେ ସେହି ମହିଳା ଆଉ ପୁରୁଷ ଦୁଇ ଜଣଙ୍କୁ ପାଖକୁ ଡାକିଲୁ l ସେମାନେ ଆସିଲା ପରେ ପଚାରିଲୁ କଣ ହୋଇଛି ଆପଣମାନେ କାହିଁକି ଜଙ୍ଗଲରେ ଏମିତି ବୁଲୁଛନ୍ତି ? ପ୍ରଥମେ ସେମାନେ କିଛି କହିବାକୁ ନାରାଜ ଥିଲେ । ତେବେ ସେମାନଙ୍କ ମୁହଁ ହାବଭାବରୁ ବେଶ୍ କିଛି କହିବାକୁ ଚାହୁଁଥିଲେ। ଯେମିତି ଅନେକ କଥା ତାଙ୍କ ହୃଦୟରେ ରୁନ୍ଧି ହୋଇ ରହିଛି । ଆମେ ପଚାରିବା କିଛି ସମୟ ପରେ ସେହି ପୁରୁଷ ଓ ମହିଳା ଦୁଇ ଜଣ ଲୁହ ଭିଜା ଆଖିରେ କହି ଚାଲିଲେ ସେମାନଙ୍କ ଅଙ୍ଗେନିଭା କାହାଣୀ ।

ଯେଉଁ କଥା ଶୁଣି ଆମ ପାଦ ତଳୁ ମାଟି ଖସି ଗଲା ଭଳି ଲାଗିଲା l ଆପଣମାନେ ବି ସେମାନଙ୍କ ଦୁଃଖ କଥା ଶୁଣିଲେ ନିଶ୍ଚୟ ଦୁଃଖୀ ହେଇଯିବେ । ଆଖି ବାଧ୍ୟ ହେବ ଭିଜି ପାଇଁ l ତେବେ ଘଟଣା କଣ ଟିକେ ନଜର ପକାଇବା l ଏହି ପୁରୁଷ ଓ ମହିଳାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ରଣପୁର ଅଞ୍ଚଳରେ l ସେମାନେ ସ୍ୱାମୀ ସ୍ତ୍ରୀ । ତିନିଟି ଝିଅର ବାପା ମା l ଦିନ ମଜୁରିଆ ଭାବରେ କାମ କରି ପରିବାର ଚଳାଉଥିଲେ । ଅଭାବ ଅନଟନ ଭିତରେ ପରିବାର ତିନି ଝିଅ ବଢିଲେ l ବଡ଼ ଝିଅ ବାହା ହେବା ବୟସରେ ପହଞ୍ଚିଲା ପରେ କୁଆଡୁ କଣ ଧାର କରଜ କରି ବାହା ଦେଲେ ବଡ଼ ଝିଅକୁ l ତଥାପି ସେହି ଦାରିଦ୍ର୍ୟ ଭିତରେ ମୂଲ ଲାଗି ଧାର କରଜ ଟଙ୍କା ଶୁଝିବାକୁ ଚେଷ୍ଟା କରୁଥାନ୍ତି l ତାରି ଭିତରେ ଅନ୍ୟ ଦୁଇ ଝିଅଙ୍କ ବାହା ବୟସ ହୋଇଗଲା । ବାହା ପାଇଁ ପ୍ରସ୍ତାବ ଆସିଲା । ପ୍ରସ୍ତାବ ହାତ ଛଡ଼ା କରିବାକୁ କିଏ ବା ଚାହିଁବ । ତେଣୁ ମନ ଭିତରେ ଅର୍ଥାଭାବର ଡର ଥିଲେ ବି ଝିଅ ବୋଝରୁ ମକ୍ତି ପାଇବେ ବୋଲି ଭାବିଲେ । ତେଣୁ ପୁଣି କରଜ କରି ଉଭୟଙ୍କୁ ବାହା କରି ଦେଲେ । ଫଳରେ ଋଣ ଭାର ତଳେ ପୂରା ଚାପି ହୋଇଗଲେ ଏଇ ମା ବାପା । ପାଖାପାଖି ସାତ ଆଠ ଲକ୍ଷ ଟଙ୍କାର କରଜ l ଜଣେ ଦିନ ମଜୁରିଆ ପାଇଁ ଏହା ଥିଲା ୠଣର ପାହାଡ଼ । ତେବେ ଟଙ୍କା ଧାର ସିନା ଆଣିଲେ ହେଲେ କଥା ଦେଇଥିବା ସମୟରେ ଆଉ ଶୁଝି ପାରିଲେନି । ଏହାପରେ ଆରମ୍ଭ ହୋଇଗଲା ଗାଳିମନ୍ଦ, ଟାହି ଟାପରା ଏବଂ ମାନସିକ ନିର୍ଯାତନା । ଧାର ଦେଇଥିବା ଲୋକେ କେତେ କଥା କହିଲେ । ଡରେଇଲେ ଧମକାଇଲେ । ଦିନ ବିତିଲା ସିନା ନା ଟଙ୍କା ଶୁଝି ପାରିଲେ ନା ଘରେ ଶାନ୍ତିରେ ରହି ପାରିଲେ । ଏପଟେ ଟଙ୍କା ଧାର ଦେଇଥିବା ଲୋକଙ୍କ ଜୁଲମ ବଢ଼ି ଚାଲିଲା । ଯଦିଓ ସମସ୍ତେ ଜାଣିଥିଲେ ଏହି ଦମ୍ପତି ଖରାପ ଲୋକ ନୁହନ୍ତି ତଥାପି ନିଜ ଟଙ୍କା ବୁଡ଼ିଯିବା ଭୟରେ ଏମାନଙ୍କୁ ଗାଳିମନ୍ଦ କରୁଥିଲେ । ତେବେ ଏଇ ସ୍ୱାଭିମାନୀ ଦମ୍ପତିଙ୍କ ପାଇଁ ଯେତେବେଳେ ଅପମାନ ଅସହ୍ୟ ହେଲା । ପ୍ରତିଦିନ ଲୋକେ ଦୁଆର ବାଡ଼େଇ ନାନା କଥା କହିଲେ । ଶେଷରେ ସେମାନେ ଘର ଛାଡ଼ି ଆସି ଜଙ୍ଗଲରେ ଲୁଚିଛନ୍ତି । ଏମିତିକି କିଡନୀ ବିକି ଲୋକଙ୍କ ଟଙ୍କା ଶୁଝିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଯାହା ଅତ୍ୟନ୍ତ ଅମାନବୀୟ ଘଟଣା ।

ଏହି ଦମ୍ପତିଙ୍କ ପରିଚୟ ମଧ୍ୟ ଆମେ ଦେଇ ପାରୁ ନାହୁଁ । କାରଣ ସେମାନେ ତାହା ଚାହୁଁ ନାହାନ୍ତି । ନିଜ ଅଞ୍ଚଳରେ ସେମାନେ ଅପରିଚିତ ହୋଇ ଯାଇଛନ୍ତି । କେବଳ ଏଇ ଧାର କରଜ ଯୋଗୁଁ । କିଛି କମ୍ ଟଙ୍କା ନୁହେଁ ଯେ କେହି ଜଣେ ଆଗେଇ ଆସି ସେମାନଙ୍କୁ ସହାୟତା କରିବ । ଏହାଛଡ଼ା ସେମାନଙ୍କ କଥା ଉପରେ କାହାର ବିଶ୍ୱାସ ବି ଆସି ନପାରେ । କାରଣ ଆଜିକାଲି ଅନେକ ଠକ ଏଭଳି ନାଟକ କରି ଲୋକଙ୍କ ଠାରୁ ଟଙ୍କା ଲୁଟୁଛନ୍ତି । ହେଲେ ଆମେ ହୃଦବୋଧ କରିଛୁ ସେମାନେ ସତ କହୁଛନ୍ତି । ହେଲେ ଡରରେ ସାମନାକୁ ଆସିବାକୁ ଚାହୁଁ ନାହାନ୍ତି । ଅନେକ ଲୋକ କହି ପାରନ୍ତି ଯେ, ନିଜର ସାମର୍ଥ୍ୟ ଦେଖି କାହିଁକି ସେମାନେ ଝିଅ ବାହା କଲେ ନାହିଁ । କରଜ କାହିଁକି କଲେ ବୋଲି । ହେଲେ ପରିସ୍ଥିତି ଅନୁସାରେ ସେମାନେ କିଭଳି ନିଷ୍ପତ୍ତି ନେଇଛନ୍ତି ତାର ଏହା ଏକ ଉଦାହରଣ ହୋଇ ପାରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.