Below header

ମୋର ସାତଟି ଆଙ୍ଗୁଳି, ଅପରେସନ୍‌ ପାଇଁ ମୋତେ ସାହାଯ୍ୟ କର

ଶୈଶବରୁ ଦାଉ ସାଧିଲା ଦଇବ। ଏବେ ଖାଲି ସାହାଯ୍ୟକୁ ଭରସା। କାହିଁକିନା ଯିଏ ତାକୁ ସାହାଯ୍ୟ କରୁଥିଲେ ତାଙ୍କୁବି ଛଡାଇନେଲେ ବିଧାତା। କେନ୍ଦୁଝର ଜିଲ୍ଲା ଘଟଗାଁ ବାଲିଯୋଡି ଗ୍ରାମରେ ମାମୁଁ ଘରେ ରୁହେ ଜମ୍ବୋବତୀ। ଜମ୍ବୋବତୀ ଜୀବନରେ ଦୁଃଖ ଯେମିତି ଲଦି ପଡିଛି। ଦୁର୍ଭାଗ୍ୟ ସହ ଅଭାବ ଏବେ ଭାରି ପଡିଛି ତାକୁ। ଜନ୍ମପରେ ମା ଆର ପାରିକୁ ଚାଲିଗଲା ଆଉ ବାପା ଆଣି ଛାଡି ଦେଇଗଲେ ମାମୁଁ ଘରେ। ମାମୁଁ ଘରେ ବଢୁଥିବା ଏହି କୁନି ଝିଅ ଏକ ବର୍ଷ ବୟସରେ ଖେଳୁଥିବା ବେଳେ ଅସାବଧାନତାରୁ ପଡିଆରେ ପଡିଥିବା ନିଆଁ ଅଙ୍ଗାରକୁ ହାତରେ ଧରି ପକାଇଥିଲା । ଆଉ ଦୁଇହାତ ପୋଡି ହୋଇଗଲା।

ଘଟଗାଁ ସ୍ୱାସ୍ଥକେନ୍ଦ୍ରରେ ଚିକିତ୍ସା ପରେ ଘା ସିନା ଶୁଖିଗଲା କିନ୍ତୁ ଆଙ୍ଗୁଠି ସବୁ ଯୋଡି ହୋଇଗଲା । କୁନି ବୟସରେ ଏଭଳି ଅବସ୍ଥା ଦେଖି ମାମୁଁ ଘର ପରିବାରରେ ଦୁଃଖର ଛାୟା ଖେଳିଗଲା। ସେପଟେ ମାମୁଁଙ୍କର ବିଶେଷ କିଛି ରୋଜଗାର ନଥିବା ବେଳେ ଚାଷ ବାଷ କରି ପରିବାର ପ୍ରତି ପୋଷଣ କରୁଥିଲେ । ତଥାପି ପାଖରେ ଥିବା କିଛି ଜମିବାଡି ବିକି ଯାହା କିଛି ପଇସା ପାଇଲେ ଭାଣେଜୀକୁ ନେଇ ଭୁବନେଶ୍ୱର ଏକ ମେଡିକାଲରେ ଚିକିତ୍ସା କରାଇଲେ । ତେବେ ପାଖରେ ଯେତିକି ଅର୍ଥ ଥିଲା ଗୋଟିଏ ଅପରେସନ ଦ୍ୱାରା ତିନିଟି ଆଙ୍ଗୁଠି ଅଲଗା କରାଯାଇ ପାରିଲା । କିନ୍ତୁ ଦିତୀୟ ଅପରେସନ କରିବା ପୂର୍ବରୁ ମାମୁଁ ଚାଲିଗଲେ ଆରପାରିକୁ। ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ମାମୁଁ ସୁଶାନ୍ତ ଖଣ୍ଡା । ସୁଶାନ୍ତ ଆରପାରିକୁ ଚାଲିଯିବା ପରେ ପୂରା ପରିବାର ଭାଙ୍ଗି ପଡିଲେ। କାହିଁକିନା ସୁଶାନ୍ତ ହିଁ ଥିଲେ ପରିବାର ଚଳାଇବାର ଏକମାତ୍ର ମାଧ୍ୟମ।

ଏବେ ଜମ୍ବୋବତୀଙ୍କ ମାମୁଁ ଘରେ ଆଈ ଓ ମାଉସୀ ରହୁଛନ୍ତି । କେହିବି ରୋଜଗାରକ୍ଷମ ନୁହନ୍ତି । ଦୁଇ ଓଳି ଦୁଇ ମୁଠା ଖାଇବାକୁ ପାଉନଥିବା ବେଳେ ଏକ ମାତ୍ର ରୋଜଗାରିଆ ପୁଅକୁ ହରାଇ ଜମ୍ବୋବତୀଙ୍କ ଆଈର ଆଖିରୁ ଲୁହ ସୁଖୁନି । ସେପଟେ ବଢିଲା ଝିଅ ଘରେ ଥିବା ବେଳେ ବାହାଘର ପାଇଁ ପାଖରେ ପଇସା ମଧ୍ୟ ନାହିଁ । ଏତେ ସବୁ ବୋଝ ଉଠାଇବା ଆଈଙ୍କ ପାଖରେ ସମ୍ଭବ ହେଉନି । ସେପଟେ ନାତୁଣୀର ଏଭଳି ଅବସ୍ଥା, ଚିକିତ୍ସା କରାନଗଲେ ନାତୁଣୀର ଭବିଷ୍ୟତ ଅନ୍ଧାର । ଆଶା ଥିଲା ନାତୁଣୀକୁ ପାଠ ପଢାଇ ବଡ ମଣିଷ କରିବେ, ହେଲେ ଏ ସବୁ ସ୍ୱପ୍ନ ଏବେ ମଉଳି ଯାଇଛି ।

ସବୁ ବେଳେ ଅନ୍ୟଙ୍କ ଉପରେ ନିର୍ଭର ଯମ୍ବୋବତୀ ନିଜେ ହାତରେ ଖାଇବି ପାରୁନି । ଯମ୍ବୋବତୀର ସବୁକାମ ଆଈ ହିଁ କରିଥାନ୍ତି । ଆର୍ଥିକ ଅନଟନରେ ପରିବାର ଚଳିବା କଷ୍ଟକର ହେଉଥିବା ବେଳେ ବିଧବା ଆଈ ଏବେ ଯମ୍ବୋବତୀର ଚିକିତ୍ସା କରିବା ପାଇଁ ଅସମର୍ଥ । ତେବେ ଏ ସମସ୍ୟା ବିଷୟରେ ଜାଣିବା ପରେ ଆମେ ପହଚିଁ ଥିଲୁ ବାଲଯୋଡି ଗ୍ରାମରେ। ଯମ୍ବୋବତୀଙ୍କ ଏଭଳି ସମସ୍ୟା ବିଷୟରେ ଘଟଗାଁ ବିଡିଓଙ୍କୁ ଅବଗତ କରାଇଥିଲୁ ତେବେ ଏ ଘଟଣା ବିଷୟରେ ଆମଠୁ ଜାଣିବା ପରେ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି ବିଡିଓ।

ପାପୁଲିର ସାତଟି ଆଙ୍ଗୁଠି ଲାଗି ରହିଥିବା କାରଣରୁ ଖାଇ ପାରୁ ନାହିଁ କି ଲେଖି ପାରୁନାହିଁ ଯମ୍ବୋବତୀ ତେବେ ଉଚିତ ସହୟତା ମିଳି ପାରିଲେ ତାର ଯନ୍ତ୍ରଣା ଦୂର ହୋଇପାରିବା ସହ ଭବିଶ୍ୟତ ସୁନ୍ଦର ହୋଇପାରିବ ବୋଲି ଆମେ ଆଶା କରୁଛୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.