ପୁରୀ ସାହିଯାତରେ ସମ୍ପନ୍ନ ହୋଇଛି ରାବଣ ବଧ ନୀତି: ଭାଇଚାରା ବନ୍ଧନରେ ବାନ୍ଧି ହୋଇଥିଲେ ହରଚଣ୍ଡୀ ଓ ବାଲିସାହିର ମୂରବୀ
ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିରକୁ ନେଇ ରୁଦ୍ଧିମନ୍ତ ପୁରୀର ସାହିଯାତ। ରାମାବତାରଲୀଳାର ଅଂଶବିଶେଷ ହେଉଛି ସାହିଯାତ । ଶନିବାର ରାତିରେ ରାବଣ ବଧ ନୀତି ଅନୁଷ୍ଠିତ ହୋଇଯାଇଛି। ରଣଭୂମି ପାଲଟିଥିଲା ବାଲିସାହି ଓ ହରଚଣ୍ଡୀ ସାହି। ଶ୍ରୀରାମ ଓ ରାବଣଙ୍କ ସେନା ମଧ୍ୟରେ ହୋଇଥିଲା ଘମାଘୋଟ ଯୁଦ୍ଧ।ଶେଷରେ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ରାବଣ ବଧ ନୀତି ଅନୁଷ୍ଠିତ ହୋଇଯାଇଛି।

ପୁରୀ(କେନ୍ୟୁଜ୍) : ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିରକୁ ନେଇ ରୁଦ୍ଧିମନ୍ତ ପୁରୀର ସାହିଯାତ। ରାମାବତାରଲୀଳାର ଅଂଶବିଶେଷ ହେଉଛି ସାହିଯାତ । ଶନିବାର ରାତିରେ ରାବଣ ବଧ ନୀତି ଅନୁଷ୍ଠିତ ହୋଇଯାଇଛି। ରଣଭୂମି ପାଲଟିଥିଲା ବାଲିସାହି ଓ ହରଚଣ୍ଡୀ ସାହି। ଶ୍ରୀରାମ ଓ ରାବଣଙ୍କ ସେନା ମଧ୍ୟରେ ହୋଇଥିଲା ଘମାଘୋଟ ଯୁଦ୍ଧ।ଶେଷରେ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ରାବଣ ବଧ ନୀତି ଅନୁଷ୍ଠିତ ହୋଇଯାଇଛି।
ସାଂସ୍କୃତିକ ମହାକୁମ୍ଭ ତଥା ଶ୍ରୀକ୍ଷେତ୍ରର ସଂସ୍କୃତି ଓ ପାରମ୍ପରିକ ସମରକଳାର ପ୍ରତୀକ ହେଉଛି ସାହିଯାତ। ମହାପ୍ରଭୁଙ୍କ ଶ୍ରୀରାମ ଲୀଳାର ମହତ୍ତ୍ୱପୂର୍ଣ୍ଣ ଅଂଶ ହେଉଛି ସାହିଯାତ। ବାଲିସାହି ପକ୍ଷରୁ ଏହି ରାବଣ ବଧ ନୀତି ଅନୁଷ୍ଠିତ ହୋଇଛି। ହିଞ୍ଜଳ ଯାଗା ପକ୍ଷରୁ ବଳଭଦ୍ର ମହାସୁଆର ସକାଳେ ରାବଣ ବନ୍ଧାଇ ସାହି ଭ୍ରମଣ କରି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣିଥିଲେ। ରାତିରେ ମନମୋହନ ମହାସୁଆର ରାବଣ ଚରିତ୍ରରେ ଅବତୀର୍ଣ୍ଣ ହୋଇଥିଲେ। ରାବଣଙ୍କ ସହ ରାକ୍ଷସ ସେନା ହରଚଣ୍ଡୀ ସାହି ଭ୍ରମଣ ପରେ ଗୌଡ଼ବାଡ ସାହିସ୍ଥିତ ଯମେଶ୍ୱରଙ୍କ ମନ୍ଦିରରେ ଥିବା ନିକୁମ୍ବିଲା ବଟମୂଳେ ରାବଣ ଯଜ୍ଞ କରିଥିଲେ। ଶ୍ରୀମନ୍ଦିର ଭଗବତୀ କୋଟରେ ସ୍ବର୍ଗକୁ ନିଶୁଣି ଓ ଶକ୍ତି ପ୍ରାପ୍ତ ହୋଇଥିଲେ।ସେପଟେ ଶ୍ରୀରାମଲକ୍ଷ୍ମଣ ପଟୁଆରରେ ଯାଇ ଜଗନ୍ନାଥବଲ୍ଲଭ ମଠରେ ବିଜେ ହୋଇଥିଲେ। ସେଠାରେ ଶ୍ରୀରାମଙ୍କ ସହିତ ଯୁଦ୍ଧରେ ରାବଣ ବଧ ହୋଇଥିଲା।
ସାହିଯାତ ଚୈତ୍ର ଶୁକ୍ଳ ଅଷ୍ଟମୀ ଠାରୁ ବୈଶାଖ କୃଷ୍ଣ ଦ୍ୱିତୀୟା ପର୍ଯ୍ଯନ୍ତ ଅନୁଷ୍ଠିତ ହୋଇଥାଏ । ରାବଣ ବଧ ଅବସରରେ ବାଲିସାହିର ବିଭିନ୍ନ ଯାଗା,ଅନୁଷ୍ଠାନ ପକ୍ଷରୁ ନାଗା,ମେଢ଼,ନବଶିରା, ସପ୍ତଶିରା ସାଙ୍ଗକୁ ଯାଗାର ଭେଣ୍ଡିଆମାନେ ତଲୱାର,ବାଡ଼ି ଖେଳ ସହ ପାରମ୍ପରିକ ଖେଳ ପ୍ରଦର୍ଶନ କରିଥିଲେ।ଆଠସାହି ସମନ୍ୟ କମିଟିର କର୍ମକର୍ତ୍ତା ଶୃଙ୍ଖଳିତ ଭାବେ ସାହିଯାତ ସମାପନ ପାଇଁ ଜାଗ୍ରତ ରହିଥିଲେ। ଶୁକ୍ରବାର ରାତିରେ ସେତୁବନ୍ଧ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା।ଅନନ୍ତ ବର୍ମା ଚୋଡ଼ଗଙ୍ଗଦେବଙ୍କ ସମୟରୁ ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ସାହିଯାତ ଅନୁଷ୍ଠିତ ହୋଇଆସୁଛି।
ହରଚଣ୍ଡୀ ସାହି ଯାଗା, ଆଖଡାରେ ବାଲିସାହି ଭେଣ୍ଡିଆଙ୍କ ପାଇଁ ଅତିଥି ଅଭ୍ଯାଗତର ବ୍ଯବସ୍ଥା ହୋଇଥିଲା। ଉଭୟ ସାହିର ମୂରବୀ ଭାଇଚାରା ବନ୍ଧନରେ ବାନ୍ଧି ହୋଇଥିଲେ। ସାହିଯାତ୍ରାର ଶେଷ ପର୍ବ ରାମାଭିଷେକ ଉତ୍ସବ ଆସନ୍ତା ୧୫ ତାରିଖରେ ଗୌଡବାଡ ସାହି ପକ୍ଷରୁ ସମ୍ପନ୍ନ ହେବ।