୨୯ ବର୍ଷ ପରେ ରାକ୍ଷୀ ପୂର୍ଣ୍ଣିମାରେ ପଡ଼ୁଛି ଏଭଳି ଦିବ୍ୟ ସଂଯୋଗ, ଜାଣନ୍ତୁ କେଉଁ ମୁହୂର୍ତ୍ତରେ ଭାଇ ହାତରେ ବାନ୍ଧିବେ ରାକ୍ଷୀ
ଆସନ୍ତାକାଲି ପାଳିତ ହେବ ଭାଇଭଉଣୀଙ୍କ ପର୍ବ ରାକ୍ଷୀ ପୂର୍ଣ୍ଣିମା। ଏହି ଦିନ ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ବର୍ଷସାରା ଅପେକ୍ଷା କରିଥାଏ ଭଉଣୀ। ତେବେ ଚଳିତବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ଏକ ସ୍ୱତନ୍ତ୍ର ସଂଯୋଗ ପଡ଼ୁଛି। ୧୯୯୧ ମସିହା ପରେ ଶ୍ରବଣା ନକ୍ଷତ୍ର ଏବଂ ଶ୍ରାବଣ ମାସର ଶେଷ ସୋମବାର ଗୋଟିଏ ଦିନ ପଡ଼ୁଥିବାରୁ ଏହାର ମହତ୍ତ୍ୱ ଆହୁରି ବଢ଼ିଯାଇଛି।
ଜ୍ୟୋତିର୍ବିଦ୍ଙ୍କ କହିବାନୁସାରେ ସୋମବାର ଦିନ ସକାଳ ୯.୨୮ ପର୍ଯ୍ୟନ୍ତ ଭଦ୍ରା ରହିବ। ଶାସ୍ତ୍ରାନୁସାରେ ୯.୨୮ ପରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିପାରିବେ। ରାତି ୯.୨୮ ଯାଏଁ ପୂର୍ଣ୍ଣିମା ତିଥି ରହିବ। ଏହି ୧୨ ଘଣ୍ଟା ମଧ୍ୟରେ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିବା ଶୁଭ ବୋଲି କୁହାଯାଉଛି। ଏହି ସମୟ ମଧ୍ୟରେ ସର୍ବାର୍ଥ ସିଦ୍ଧି ଯୋଗ ଓ ଆୟୁଷ୍କାନ୍ ଯୋଗ ବି ପଡ଼ୁଛି। ଯାହା ଭଉଣୀ ଓ ଭାଇଙ୍କ ପରିବାରକ ଶୁଭଫଳ ପ୍ରଦାନ କରିବ।
ସବୁବେଳେ ବିଧି ଅନୁସାରେ ରାକ୍ଷୀ ବାନ୍ଧିବା ଉଚିତ। ଭାଇ-ଭଉଣୀ ସକାଳେ ସ୍ନାନ କରି ଭଗବାନଙ୍କ ପୂଜା କରି ଅକ୍ଷତ, ଦୂବ, ସିନ୍ଦୁର, ଚନ୍ଦନ, ଦୀପ ଜଳାଇ ଥାଳି ସଜାଇ ରାକ୍ଷୀ ରଖନ୍ତୁ। ଭାଇ ମଥାରେ ତିଳକ ଲଗାଇ ରାକ୍ଷୀ ବାନ୍ଧି ମୁହଁ ମିଠା କରାନ୍ତୁ। ଏହା ପରେ ଭାଇ ନିଜ ସାମର୍ଥ୍ୟ ଅନୁସାରେ ଭଉଣୀକୁ ଉପହାର ପ୍ରଦାନ କରନ୍ତୁ।