ଅଳିଆ ଗଦା ଉପରେ ରାମ୍ପୱାକ୍‌ କଲେ ଝାଡ଼ଖଣ୍ଡ ସୁନ୍ଦରୀ, ଜାଣନ୍ତୁ କାହିଁକି

ମିସ୍ ଝାଡଖଣ୍ଡର ମଡେଲ୍ ସୁରବିଙ୍କ ଏକ ରାମ୍ପ୍ ଶୋ କରିବା ସୋସିଆଲ୍ ମିଡିଆରେ ଦିନକୁ ଦିନ ଭାଇରାଲ୍ ହେବାରେ ଲାଗିଛି। ମଡେଲ୍ ସୁରବି ସୋମବାର ଦିନ ହଠାତ୍ ଏକ କୁଢ଼ କୁଢ଼ ଅଳିଆ ଗଦା ଉପରେ ଚାଲିବା ଆରମ୍ଭ କରିଥିଲେ ,ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। ବାସ୍ତବରେ ସେ ଅଳିଆ ଗଦା ଉପରେ ରାମ୍ପ ଶୋ କରୁଥିଲେ । ଏଥି ପାଇଁ ସୁନ୍ଦରୀଙ୍କୁ ଅନେକ ପ୍ରଶଂସା ମଧ୍ୟ ମିଳିଥିଲା । ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ଏମିତି ଅଭିନବ ଉପାୟ ଆପଣାଇଛନ୍ତି ଝାଡ଼ଖଣ୍ତ ସୁନ୍ଦରୀ ମଡେଲ ସୁରଭି ।

ରାଜଧାନୀ ରାଞ୍ଚିର ସବୁ ଅଳିଆ ଆବର୍ଜନା ଝିରି ଅଞ୍ଚଳରେ ଥିବା ଏକ ଡମ୍ପିଂୟାର୍ଡରେ ଗଦା କରାଯାଏ । ଯାହାଫଳରେ ସେଠାରେ ଏବେ ଅଳିଆ ଆବର୍ଜନାର ପାହାଡ଼ ଛିଡ଼ା ହୋଇ ସାରିଲାଣି । ରାଞ୍ଚିର ରିଙ୍ଗ ରୋଡ୍‌ ଦେଇ ଝିରିକୁ ଯିବାକୁ ହେଲେ ସେହି ରାସ୍ତା ଦେଇ ଯିବାକୁ ପଡ଼ିଥାଏ । ଆଉ ଏହି ରାସ୍ତା ଅତିକ୍ରମ କରିବା ବେଳେ ଭୀଷଣ ଦୁର୍ଗନ୍ଧର ସାମ୍ନା କରିବାକୁ ପଡ଼ିଥାଏ । ଆଉ ଏଥିରୁ ବଞ୍ଚିବା ପାଇଁ କାର ବାଲା ତ କାଚ ଉପରକୁ କରନ୍ତି ହେଲେ ବାଇକ୍ ବାଲା ହଇରାଣ ହୁଅନ୍ତି । ଏହି ଡମ୍ପିଂୟାର୍ଡ ପାଖରେ ଥିବା ଏକ ଗାଁର ଲୋକମାନେ ଭୀଷଣ ଦୁର୍ଗନ୍ଧରେ ରହିବା ସହ ନାନା ରୋଗରେ ପଡ଼ୁଛନ୍ତି । ଆଉ ଏନେଇ ସେମାନେ ବାରମ୍ବାର ବାରମ୍ବାର ସ୍ଥାନୀୟ ପ୍ରଶାସନ ନିକଟରେ ଅଭିଯୋଗ ମଧ୍ୟ କରୁଛନ୍ତି । ହେଲେ କିଛି ଫରକ ପଡ଼ୁନି ।

 


ହେଲେ ଗତ ସୋମବାର ହଠାତ୍‌ ଦେଖିବାକୁ ମିଳିଲା, ଆଳିଆ ଗଦାରେ ଚାଲିଛି ଫ୍ୟାଶନ୍‌ ଶୋ’ । ଆଉ ସେଥିରେ ରାମ୍ପୱାକ୍‌ କରୁଛନ୍ତି ଝାଡ଼ଖଣ୍ଡ ସୁନ୍ଦରୀ । ମିସ୍ ଝାଡଖଣ୍ଡ ସୁରଭି ହଠାତ୍ ସେହି ଅଳିଆ ଗଦା ଉପରେ କାହିଁକି କ୍ୟାଟ୍‌ୱାକ୍‌ କଲେ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ । ଆଖପାଖ ଲୋକମାନେ ଏହାକୁ ନିଜ ମୋବାଇଲ କ୍ୟାମେରାରେ କଏଦ୍ କରି ନେଇଥିଲେ, ଯାହା ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ତେବେ ଝାଡ଼ଖଣ୍ଡ ସୁନ୍ଦରୀଙ୍କ ଏହି ରାମ୍ପୱାକ୍‌କୁ ୨୧୦ ଫୁଟ ଉଚ୍ଚରୁ ଡ୍ରୋନ କ୍ୟାମେରା ମାଧ୍ୟମରେ ଏହି ସୁଟ୍‌ ଅଧ ଘଣ୍ଟା ଧରି ହୋଇଥିଲା । ଯାହାକୁ କ୍ୟାମେରା ପର୍ସନ ପ୍ରାଞ୍ଜଳ ସୁଟ୍‌ କରିଥିଲେ । ଯେଉଁଥିରେ ଝାଡ଼ଖଣ୍ଡ ସୁନ୍ଦରୀ ଲାଲ ରଙ୍ଗର ଏକ ଛୋଟ ଡ୍ରେସ ପିନ୍ଧିଥିବାର ନଜର ଆସୁଛନ୍ତି ।

ତେବେ ସୁନ୍ଦରୀ ସୁରଭୀଙ୍କ କହିବା ଅନୁଯାୟୀ, ଏହି ଡମ୍ପିଂୟାର୍ଡ ଦ୍ୱାରା ଗ୍ରାମବାସୀଙ୍କ ସମେତ ରାସ୍ତାରେ ଯାଉଥିବା ଲୋକ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଲୋକେ ରୋଗାକ୍ରାନ୍ତ ମଧ୍ୟ ହେଉଛନ୍ତି । ପ୍ରଶାସନ ନିକଟରେ ଯେତେ ଅଭିଯୋଗ କଲେ ମଧ୍ୟ କେହି ଦୃଷ୍ଟି ଦେଉନାହାନ୍ତି । ତେଣୁ ସେ ଏହି ଅଳିଆ ଗଦାରେ ରାମ୍ପୱାକ୍‌ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି । ଏଥିପାଇଁ ଯେତେ ଦୁର୍ଗନ୍ଧ ହେଉଥିଲେ ସୁଦ୍ଧା ଅଳିଆ ଗଦା ଉପରେ କ୍ୟାଟ୍‌ୱାକ୍‌ କରିଥିଲେ ସୁରଭୀ । ପ୍ରାୟ ଅଧ ଘଣ୍ଟା ଧରି ସୁରଭି ସେଠାରେ କ୍ୟାଟୱାକ କରିଥିଲେ, ଯାହାକୁ ଡ୍ରୋନ କ୍ୟାମେରା ମାଧ୍ୟମରେ ରେକର୍ଡିଂ କରାଯାଇଛି । ସୁରଭି କହିଛନ୍ତି, ଯେତେବେଳେ ସେ ରିଙ୍ଗରୋଡ ଦେଇ ଯାଉଥିଲେ ସବୁବେଳେ ମନରେ ଚିନ୍ତା ଆସୁଥିଲା ଏହି ସମସ୍ୟାଟିକୁ ନେଇ ନଗର ନିଗମ ନିକଟରେ ପହଞ୍ଚିବେ । ତେବେ ତାଙ୍କର ଏପରି ନିଆରା ପ୍ରୟାସ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି ସେ ଆଶା କରିଛନ୍ତି । ଏହା ଏକ ବଡ ସମସ୍ୟା ପାଲଟି ଗଲାଣି, ଯାହାର ତୁରନ୍ତ ସମାଧାନ କରିବା ଆବଶ୍ୟକ ବୋଲି ପ୍ରଶାସନର ହୃଦୟଙ୍ଗମ କରିବାକୁ କ୍ୟାଟୱାକ ସମୟରେ ସୁରଭି ନାଲି ଡ୍ରେସ ପିନ୍ଧିଥିଲେ । ସୁରଭିଙ୍କ ଏପରି ପଦକ୍ଷେପ ପାଇଁ ବିଭିନ୍ନ ଅଞ୍ଚଳରୁ ପ୍ରଶଂସାର ଶୁଅ ଛୁଟୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.