କୋଲକାତାରେ କାଳିଆ ଲୀଳା, କୋଭିଡ କଟକଣାରେ ସମ୍ପର୍ଣ୍ଣ ହେଲା ରଥଯାତ୍ରାର ସମସ୍ତ ନୀତିକାନ୍ତି

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଲୀଳା ଅସୀମିତ, ଅପରିସମ । ସେ ଏମିତି ଏକ ଠାକୁର ଯାହାଙ୍କୁ ପୁରା ବିଶ୍ୱ ଭଲ ପାଏ । ସେ ପରା ବିଶ୍ୱ ବ୍ରହ୍ମାଣ୍ଡର ମଉଡ଼ମଣି । ତାଙ୍କରି ଟିକିଏ ଦର୍ଶନ ପାଇବାକୁ ବର୍ଷ ସାରା ଅପେକ୍ଷା କରିଥାନ୍ତି ବିଶ୍ୱର କୋଣ ଅନୁକୋଣର କୋଟି କୋଟି ଭକ୍ତ । କି ଧନୀ କି ଦରିଦ୍ର ସମସ୍ତଙ୍କ ପାଇଁ ତ ସେ ନୟନାପିତୁଳା । ଇତିହାସ ସାକ୍ଷୀ ଅଛି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଜଗନ୍ନାଥଙ୍କ ଭକ୍ତ ସାଜିଛନ୍ତି ଅନେକ ଭକ୍ତ । ଖାଲି ଦେଶ ନୁହେଁ ଦେଶ ବାହାରେ ଲକ୍ଷ ଲକ୍ଷ ସଂଖ୍ୟାରେ ଅଛନ୍ତି ଜଗନ୍ନାଥ ପ୍ରେମୀ । ଏମାନଙ୍କ ପାଇଁ ଜଗନ୍ନାଥଙ୍କ ସାନିଧ୍ୟ ପାଇବାର ଗୋଟିଏ ମାତ୍ର ମାଧ୍ୟମ ହେଉଛି ରଥଯାତ୍ରା । ଦେଶ ତଥା ଦେଶ ବାହାରୁ ତ ସମସ୍ତେ ଆଉ ପୁରୀକୁ ଆସିପାରନ୍ତିନି । ତେଣୁ ନିଜ ନିଜ ଚେଷ୍ଟାରେ ନିଜ ସାମର୍ଥ୍ୟ ଅନୁଯାୟୀ ପାଳନ କରାଯାଏ ରଥଯାତ୍ରା ।

rathayatra

ଠିକ ସେମିତି ଭାରତର “ସିଟି ଅଫ ଜୟ” ଭାବେ ଜଣା କୋଲକତାର ବିଭିନ୍ନ ସ୍ଥାନରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ସମ୍ପର୍ଣ୍ଣ ହୋଇଛି । କୋଭିଡ କଟକଣା ଯୋଗୁଁ ରଥଟଣା ଉପରେ ରୋକ ଲଗା ଯାଇଥିଲା । ତେବେ ସ୍ୱତନ୍ତ୍ର ଅନୁମତି ନେଇ କିଛି ସ୍ଥାନରେ ମହାପ୍ରଭୁଙ୍କ ରଥଯାତ୍ରା ନିରାଡ଼ମ୍ବର ଭାବେ କୋଭିଡ କଟକଣା ମଧ୍ୟରେ ପାଳନ କରାଯାଇଛି । ଭାବନିପୁର ଚକ୍ରବେଡ଼ିଆ ଜଗନ୍ନାଥ ମନ୍ଦିର, ଖିଦିରିପୁର ଜଗନ୍ନାଥ ମନ୍ଦିର,କାଦାପଡା ମନ୍ଦିର, ବାଲି ମନ୍ଦିର, ଲିଲୁଆ ମନ୍ଦିର ,ହଜିନଗର ମନ୍ଦିର , ବେଲଘରିଆ ମନ୍ଦିର, ଖଡଦଃ,ବାରାକପୁର ଭଳି ବହୁ ଜଗନ୍ନାଥ ମନ୍ଦିରରେ ଶ୍ରୀ ଗୁଣ୍ଡିଚା ଯାତ୍ରାର ସମସ୍ତ ନୀତିକାନ୍ତି ସମ୍ପନ୍ନ କରିଛନ୍ତି ଶ୍ରଦ୍ଧାଳୁ । କୋଲକାତାର ଇସ୍କନ ମନ୍ଦିରରେ ‘କୋଲକତା ରଥଯାତ୍ରା’ ଭକ୍ତଶୁନ୍ୟ ଭାବେ ପାଳନ କରାଯାଇଛି । ଏଠାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରଥାରୂଢ କରା ଯାଇନଥିଲେ ସୁଦ୍ଧା ଏକ ଗାଡି ଯୋଗେ ମାଉସୀ ମାଆ ଘରକୁ ନିଆଯାଇଥିଲା ।

ପଶ୍ଚିମବଙ୍ଗର ଶ୍ରୀକ୍ଷେତ୍ର ଭାବେ ପରିଚିତ ଖିଦିରପୁର ଜଗନ୍ନାଥ ମନ୍ଦିରରେ ରଥଯାତ୍ରା କାର୍ଯ୍ୟକ୍ରମ ପରମ୍ପରା ଅନୁସାରେ ଅନୁଷ୍ଠିତ ହୋଇଛି । ଭଜନ କୀର୍ତ୍ତନ ସହ ସାମାଜିକ ଦୂରତା ରକ୍ଷା କରି ମହାପ୍ରସାଦ ସେବନ କରାଯାଇଛି । ଏହାସହ କଲକତାର ମାଣିକତାଲା କାଦାପଡା ଜଗନ୍ନାଥ ମନ୍ଦିରର ଘୋଷଯାତ୍ରା କୋଭିଡ ଗାଇଡ଼ ଲାଇନ ଅନୁପାଳନ ମଧ୍ୟରେ କରାଯାଇଛି । ମନ୍ଦିର ପରିସରରେ ରଥଯାତ୍ରା ନୀତି ଅନୁଷ୍ଠିତ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.