ମାତ୍ର ୨୫ ବର୍ଷ ବୟସରେ ଚାଲିଗଲେ ରିକ୍ସା ଚାଳକ କାର୍ତ୍ତିକ, କରି ଦେଇଗଲେ ଚକ୍ଷୁ ଦାନ

ପୁରୀ (କେ ନ୍ୟୁଜ୍‌) : ଘରର ରୋଜଗାରିଆ ପୁଅ ଚାଲି ଯାଇଛି । ଘର ଆଗରେ ତଥାପି ତାରି ବାଟ ଚାହିଁ ଠିଆ ହୋଇଛନ୍ତି ପରିବାର ଲୋକେ । ଘର ଆଗରେ ନୂଆ ରିକ୍ସାଟି ବି ଅପେକ୍ଷା କରିଛି ଚାଳକକୁ । ହେଲେ ନା ଘରର ପୁଅ ନା ସେ ରିକ୍ସାର ମାଲିକ ଆଉ ଫେରିବ । କାରଣର ସେ ସବୁ ଦିନ ପାଇଁ ଚାଲି ଯାଇଛି। ଏ ଦୁନିଆ ଛାଡ଼ି ଚାଲି ଯାଇଛି ସ୍ୱର୍ଗଦ୍ୱାରକୁ । ଆଉ ଯିବା ବେଳକୁ ଏମିତି କାମ କରି ଯାଇଛି ଯାହାକୁ ଝୁରୁଛନ୍ତି ସମସ୍ତେ । ରିକ୍ସା ଚାଳକଟିଏ ହେଲେ ବି ମହାନ୍‌ ହୋଇଯାଇଛି ସମସ୍ତଙ୍କ ପାଇଁ ।

KARTIK-3

ପୁରୀ ନରେନ୍ଦ୍ରକୋଣ ମଙ୍ଗଳାସାହିର କାର୍ତ୍ତିକ ବେହେରା। ମାତ୍ର ୨୫ ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି ତାଙ୍କର । ଶ୍ରୀଜଗନ୍ନାଥବଲ୍ଲଭ ମଠ ସାମ୍ନା ରିକ୍ସାଷ୍ଟାଣ୍ଡରୁ ରିକ୍ସା ଚଳାଇ ପରିବାର ପୋଷୁଥିଲେ। ସବୁ ଦିନ ପରି ଗତ ଗୁରୁବାର ଦିନ ସେ ନରେନ୍ଦ୍ରକୋଣ ଦଶତୁଠରେ ଗାଧୋଉଥିବା ବେଳେ ବୁଡି ଯାଇଥିଲେ। ସେଇଠି ମୃତ୍ୟୁ ହୋଇଯାଇଥିଲା ତାଙ୍କର । କୁମ୍ଭାରପଡା ପୋଲିସ ଶବ ଉଦ୍ଧାର କରି ଅପମୃତ୍ୟୁ ମାମଲା ରୁଜୁ କରିବା ସହ ପୁରୀ ଡାକ୍ତରଖାନାରେ ମୃତଦେହ ବ୍ଯବଚ୍ଛେଦ କରାଇଲା । ପରେ ସ୍ୱର୍ଗଦ୍ୱାରରେ ସଂସ୍କାର କରାଯାଇଥିଲା କାର୍ତ୍ତିକଙ୍କର। ହେଲେ ତା ଭିତରେ ପରିବାର ଲୋକେ ପୂରଣ କରିଛନ୍ତି ପୁଅର ଶେଷ ଇଚ୍ଛା । କାର୍ତ୍ତିକଙ୍କ ଚକ୍ଷୁ ଦାନ କରିଛନ୍ତି।

ଜଣେ ଭଲ ମଣିଷ ଭାବେ ସମସ୍ତେ ଭଲ ପାଉଥିଲେ କାର୍ତ୍ତିକଙ୍କୁ । ତାଙ୍କର ବ୍ୟବହାର ସମସ୍ତଙ୍କୁ ଆପଣାର କରି ନେଇଥିଲା । ଭଦ୍ର କଥାବାର୍ତ୍ତା ସାଙ୍ଗକୁ କୌଣସି ଖରାପ ଅଭ୍ୟାସ ବି ନଥିଲା ତାଙ୍କର । ମାତ୍ର ବର୍ଷକ ତଳେ ବିବାହ କରିଥିଲେ କାର୍ତ୍ତିକ। ପତ୍ନୀ ଟିକିନାଙ୍କ କୋଳରେ ଏବେ ଛଅ ମାସର ଗୋଟିଏ ଶିଶୁ ପୁତ୍ର । ମା ରୂପ ବେହେରା ଓ ବଡ଼ବୋଉ ସରୋଜିନୀଙ୍କୁ ନେଇ ତାଙ୍କ ପରିବାର । କାର୍ତ୍ତିକଙ୍କ ମୃତ୍ୟରେ ପରିବାର ଲୋକ ଖୁବ୍‌ ଭାଙ୍ଗି ପଡ଼ିଛନ୍ତି । କାରଣ ଏବେ ଚିନ୍ତା ଚଳିବେ କେମିତି ? ହେଲେ ପୁଅର ଚକ୍ଷୁଦାନରେ ଏହି ପରିବାର ମହାନ ପାଲଟି ଯାଇଛି। ଭୁବନେଶ୍ୱରର ଏକ ଘରୋଇ ଚକ୍ଷୁ ହସପିଟାଲରେ ରହିଛି କାର୍ତ୍ତିକଙ୍କ ଦୁଇଟି ଯାକ ଆଖି । ଯେଉଁଥିରେ ଦେଖିବ ଅନ୍ୟ ଜଣେ ।

KARTIK-5

ମୃତ୍ୟୁ ତାଙ୍କୁ ଏମିତି ଏତେ କମ୍‌ ବୟସରେ ଯେ ନେଇଯିବ ସେକଥା କେବେ କେହି ଭାବନଥିଲେ । ହେଲେ ପୂର୍ବରୁ ମୃତ୍ୟୁ ପରେ ତାଙ୍କର ଅଙ୍ଗଦାନ କରିଦେବାକୁ ସେ ଘର ଲୋକଙ୍କୁ କହୁଥିଲେ । ସେଥିଲାଗି କାର୍ତ୍ତିକଙ୍କ ଆଖି ଦାନ କରିଦେଲେ ଘର ଲୋକେ । ଆଖି ଦାନ କରି କାର୍ତ୍ତିକ ସିନା ଚାଲିଗଲେ ଏବେ ବେସାହାରା ହୋଇପଡ଼ିଛି ତାଙ୍କ ପରିବାର । କାରଣ ସେହିଁ ରୋଜଗାର କଲେ ଘର ଚଳୁଥିଲା । ଏଭଳି ମହାନ୍‌ କାମ କରିଥିବା ଜଣେ ବ୍ୟକ୍ତିଙ୍କ ପରିବାରକୁ ସହାୟତାର ହାତ ବଢ଼ାଇବାକୁ ଅନୁରୋଧ କରୁଛି କେନ୍ୟୁଜ୍‌ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.