ରୁକ୍ମିଣୀଙ୍କୁ ଶ୍ରୀକୃଷ୍ଣଙ୍କ ହାତରେ ଦେଇ ଶାଶୁଘରକୁ ବିଦା କଲେ ଗାଁ ଲୋକେ

ଭଜନ, କୀର୍ତ୍ତନ ସାଙ୍ଗକୁ ପାରାୟଣର ଧୁନ୍। ଗାୟକଙ୍କ ସ୍ୱରରେ ସ୍ୱର ମିଶାଇ ହରିନାମ ଗାୟନ କରୁଛନ୍ତି ଅନେକ ଭକ୍ତ। ହରିବୋଲ ହୁଳହୁଳିରେ ଫାଟି ପଡୁଛି ପୂରା ପରିବେଶ । ସତେ ଯେମିତି ଗାଁର ସମସ୍ତ ଲୋକ ଏକତ୍ରିତ ହୋଇ ହରିନାମରେ ହୋଇଛନ୍ତି ମସଗୁଲ। ଖାଲି ଯେ ଗାଁର ଲୋକ ତା ନୁହେଁ, ଆଖପାଖ ଗାଁର ହଜାର ହଜାର ଲୋକ ବି ସାମିଲ ହୋଇଛନ୍ତି ଏହି କାର୍ଯ୍ଯକ୍ରମରେ। ଦୀର୍ଘ ୭ ଦିନ ଧରି ଗୋଟିଏ ସୂତାଖିଅରେ ବାନ୍ଧି ହୋଇ ଆଧ୍ଯାତ୍ମିକ ପରିବେଶରେ ଏକତ୍ରିତ ହୋଇଛନ୍ତି ଗ୍ରାମବାସୀ ଆଉ ଆଖପାଖ ଗାଁର ଲୋକ। ଆଉ ଏଭଳି ପରିବେଶ ଦେଖିବାକୁ ମିଳିଛି ସାହିତ୍ଯ ସଂସ୍କୃତିର ମାଟି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ହିଲୁଙ୍ଗ ଗାଁରେ। ଏଭଳି କାର୍ଯ୍ୟକ୍ରମ କରି ବେଶ ଖୁସି ଅଛନ୍ତି ଗାଁର ଲୋକ।

କେବଳ ଯେ ପୁରାଣ ପାଠ, ପାରାୟଣ କି ପ୍ରବଚନରେ ସୀମିତ ନଥିଲା ଏହି କାର୍ଯ୍ଯକ୍ରମ। ଏଥିରେ ମହାଭାରତର ରୁକ୍ମିଣୀ ବିବାହକୁ ନେଇ ମଧ୍ୟ ଆୟୋଜିତ ହୋଇଥିଲା ବିବାହ ଉତ୍ସବ। ଗାଁ ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରୁ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ନେଇ ବାହାରିଥିଲେ ବରଯାତ୍ରୀ । ଭଗବାନ ଶ୍ରୀକୃଷ୍ଣ ବରବେଶରେ ଥିବା ବେଳେ ପାରମ୍ପରିକ ବାଜା, ଗଜା, ଧ୍ୱଜା, ନାଚ, ଗୀତରେ ଯାଉଥିଲେ ଗାଁର ବରଯାତ୍ରୀ ଦଳ।

କନ୍ଯାପିତା ଘରେ ପହଞ୍ଚିବା ପରେ ହୋମଯଜ୍ଞ କରାଯାଇ ସମ୍ପୂର୍ଣ୍ଣ ହୋଇଥିଲା ବିବାହ କାର୍ଯ୍ଯ । ଆଉ ବର ପିତା ମାତା ଏବଂ କନ୍ଯା ପିତାମାତା ଭାବେ ଗାଁର ଦୁଇ ମୁଖିଆ ମହାପ୍ରଭୁ ଶ୍ରୀକୃଷ୍ଣ ଓ ମାତା ରୁକ୍ମିଣୀଙ୍କୁ ବିବାହ କରାଇ ହୋଇଥିଲେ ବେଶ ଆନନ୍ଦିତ। ସାତଦିନ ଧରି ଅନୁଷ୍ଠିତ ଏହି ନିଆରା କାର୍ଯ୍ଯକ୍ରମଟି ଯେତିକି ଉପଭୋଗ୍ଯ ଥିଲା ତାଠୁ ଅଧିକ ଗ୍ରାମ୍ଯ ସଂହତି ଓ ସଂସ୍କୃତିକୁ ଉଜ୍ଜୀବିତ କରିଥିବା ମନେହୁଏ।

ଦେଖନ୍ତୁ ଭିଡିଓ:

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.