ଗହୀର ଟାଙ୍କି ଆଦୌ ନିରାପଦ ନୁହେଁ, ଜାଣନ୍ତୁ ଭିତରକୁ ଯିବା ପୂର୍ବରୁ କେମିତି ସତର୍କ ରହିବେ

ଅନେକ ସମୟରେ ଦେଖା ଯାଇଛି ଏହି ଖରା ଦିନେ ଲୋକମାନେ ସେମାନଙ୍କ କୂଅ ସଫା କରିଥାନ୍ତି ସ୍ୱଚ୍ଛ ପାଣି ପାଇଁ । ପୁଣି କିଏ ନୂଆ ଘର କଲେ ପାଇଖାନା ଟାଙ୍କି ନିର୍ମାଣ କରିଥାନ୍ତି । ଆଉ ସବୁବେଳେ ସ୍ୱେରେଜ୍ ବା ନଳା ସଫା କରିବାକୁ ମଧ୍ୟ ସଫେଇ କର୍ମୀମାନେ ସୁଡ଼ଙ୍ଗ ଭିତରକୁ ଯାଇଥାନ୍ତି । ତେବେ ଏସବୁ ଜାଗାରେ ବେଳ ବେଳେ ଅଘଟଣ ଘଟିଥାଏ । କୂଅ ସଫା କରିବାକୁ ଯାଇଥିବା ଲୋକ କିମ୍ବା ପାଇଖାନା ଟାଙ୍କି ଭିତରକୁ ଯାଇଥିବା ବ୍ୟକ୍ତି ମୃତ୍ୟୁମୁଖରେ ପଡ଼ନ୍ତି ଅଥବା ସେହିଭଳି ସ୍ଥିତିର ସାମନା କରିଥାନ୍ତି । ଏହାର କାରଣ ହେଉଛି ମାଟିର ଯେତେ ତଳକୁ ତଳକୁ ଯିବ ସେତିକି ପରିମାଣରେ ସେଠାରେ ଅମ୍ଳଯାନ କମିଯାଏ । ଆମର ଶ୍ରମିକ କିମ୍ବା ମିସ୍ତ୍ରୀମାନେ ଏସବୁ ନେଇ ସଚେତନ ନଥାନ୍ତି । ତେଣୁ ମୃତ୍ୟୁମୁଖରେ ପଡ଼ିଥାନ୍ତି । ଯେମିତି ଗଜପତି ଜିଲ୍ଲା ଅଡ଼ବା ଅଞ୍ଚଳରେ ଶ୍ୱାସରୁଦ୍ଧ ହୋଇ ତିନି ଭାଇଙ୍କ ଜୀବନ ଚାଲିଗଲା ।

1ତେଣୁ ଏଭଳି ଅନ୍ଧାରୁଆ ସୁଡ଼ଙ୍ଗ, କୂଅ କିମ୍ବା ଟାଙ୍କି ଭିତରେ ପଶିବା ପୂର୍ବରୁ ଅଧିକ ସତର୍କ ରହିବା ଦରକାର । କାରଣ ଅଚାନକ ଜଣାପଡ଼େ ନାହିଁ ତେବେ ଧୀରେ ଧୀରେ ନିଶ୍ୱାସ ନେବାରେ କଷ୍ଟ ହୁଏ ଏବଂ ବ୍ୟକ୍ତିଟି ଅମ୍ଳଯାନ ଅଭାବରୁ ମୃତ୍ୟୁମୁଖରେ ପଡ଼େ । ଗତ ବର୍ଷ ସୁଦ୍ଧା ହୋଇଥିବା ସର୍ଭେରୁ ଜଣାପଡ଼ିଛି ଯେ ଗତ ୧୦ ବର୍ଷ ମଧ୍ୟରେ କେବଳ ସ୍ୱେରେଜ୍ ଏବଂ ସେଫଟିକ୍ ଟ୍ୟାଙ୍କ ସଫେଇ କରୁଥିବା ୧୮୫୦ ଜଣ କର୍ମଚାରୀଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି । ପ୍ରତି ୫ ଦିନରେ ଜଣେ ସଫେଇ କର୍ମଚାରୀଙ୍କର ଏଭଳି ଭାବେ ମୃତ୍ୟୁ ହେଉଥିବା ଏହି ସର୍ଭେରୁ ସୂଚନା ମିଳିଛି ।

5

ତେବେ ଏହି ସବୁ କାମ ପୂର୍ବରୁ ଉଚିତ ସତର୍କତା ଅବଲମ୍ବନ କରାଯିବା କଥା । ଏ ନେଇ ଆମର ଆଇନ୍ କାନୁନରେ ମଧ୍ୟ ସ୍ୱତନ୍ତ୍ର ନିୟମ ରହିଛି । ବିଶ୍ୱରେ କେବଳ ଭାରତ ଏକମାତ୍ର ଦେଶ ଯେଉଁଠି ଏହାକୁ ନେଇ ସ୍ୱତନ୍ତ୍ର ଆଇନ୍ ରହିଛି । ତଥାପି ମରୁଛନ୍ତି ଲୋକେ । ଆସନ୍ତୁ ଜାଣିବା କିଭଳି ସତର୍କ ରହିବେ ଏସବୁ ଜାଗାରେ କାମ କରୁଥିବା ଲୋକେ ।

କିଭଳି ରହିବେ ସତର୍କ ଜାଣନ୍ତୁ

୧-କୂଅ କିମ୍ବା ଖାଲି ଟାଙ୍କି ଭିତରେ ଅମ୍ଳଯାନ କମ୍ ଥାଏ । ସ୍ୱେରେଜ୍ କିମ୍ବା ପାଇଖାନା ଟାଙ୍କି ଭିତରେ ରହିଥାଏ ମିଥେନ୍ ଗ୍ୟାସ୍ । ଯାହା ଶ୍ୱାସରୁଦ୍ଧ କରିଦିଏ । ତେଣୁ ଏହା ଭିତରକୁ ଅମ୍ଳଯାନ ସହ ଯିବା ଉଚିତ ।
୨-ଏଭଳି ସୁଡ଼ଙ୍ଗ ଭିତରେ ଦିଆସିଲି କିମ୍ବା ନିଆଁ ଜାଳିବା ଉଚିତ ନୁହେଁ । ତାହା ବିସ୍ଫୋରଣ ହୋଇ ପାରେ ।
୩-ଏସବୁ ଜାଗାରେ କାମ କରିବାର ଅଭିଜ୍ଞତା ନଥିବା ଲୋକଙ୍କୁ ଭିତରକୁ ପଠାଇବା ଅନୁଚିତ ।
୪-ଏସବୁ ସ୍ଥାନରେ କେବେବି ଏକାକୀ କାମ କରନ୍ତୁ ନାହିଁ । ଜଣେ ସହଯୋଗୀ ନିହାତି ସାଙ୍ଗରେ ରହିବା ଉଚିତ । କୌଣସି ବିପଦ ହେଲେ ସେ ତୁରନ୍ତ ସୂଚନା ଦେବ ।

22୫-ଏହି କାମ ପାଇଁ ସ୍ୱତନ୍ତ୍ର ସୁରକ୍ଷା ପୋଷାକ ମଧ୍ୟ ରହିଛି । ଯାହାକୁ ପିନ୍ଧି ଭିତରକୁ ଯିବା ଉଚିତ ।
୬-ଯଦି ଟାଙ୍କି ଖୋଲା ଜାଗାରେ ନଥାଏ ତେବେ ସମସ୍ତ ସୁରକ୍ଷା ବ୍ୟବସ୍ଥା ସହ ଭିତରକୁ ଯିବା ଉଚିତ ।
୭- ଟାଙ୍କି ଯଦି ବାହାରେ ଘୋଡ଼ା ହୋଇ ରହିଥାଏ ତେବେ ଏହାର କଭର କାଢ଼ି ଅନ୍ତତଃ ଗୋଟିଏ ଦିନ ଛାଡ଼ି ଦେବା ଦରକାର । ଯାହା ଫଳରେ ଏହା ଭିତରକୁ ବାୟୁ ଚଳାଚଳ କରି ପାରିବ ।
୮- ବନ୍ଦ ଟାଙ୍କି ଭିତରେ ଥିବା ବିଷାକ୍ତ ଗ୍ୟାସ୍ କିମ୍ବା ଅଙ୍ଗାରକାମ୍ଳକୁ ବାହାର କରିବା ପାଇଁ ଏୟାର ବ୍ଲୋୟର ମେସିନ ମଧ୍ୟ ମିଳୁଛି । ତାକୁ ବ୍ୟବହାର କରିବା ଉଚିତ ।

12୯-ସ୍ୱେରେଜ୍ ଓ ପାଇଖାନା ଟାଙ୍କି ଭିତରକୁ ଗଲେ ସେଠାରେ ସଂକ୍ରମଣର ଭୟ ମଧ୍ୟ ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ପୋଷାକ, ଗ୍ଲାଭ୍ସ ଆଦି ପିନ୍ଧି ଯିବା ଉଚିତ ।
୧୦-ଉଚ୍ଚ ରକ୍ତଚାପ, ଶ୍ୱାସ, କାଶ, ନିଶ୍ୱାସ ନେବାରେ ସମସ୍ୟା, କାନକୁ ଭଲ ଭାବେ ଶୁଭୁ ନଥିବା ଏବଂ ହୃଦରୋଗୀମାନେ ଏଭଳି ଟାଙ୍କି ଭିତରକୁ ଯିବା ଅନୁଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.