Below header

କେଉଁଠି ନା କେଉଁଠି ବଞ୍ଚି ରହିଛି ମଣିଷ ପଣିଆ, ନୃସିଂହଙ୍କ ସାହାଯ୍ୟରେ ନୂଆ ଜୀବନ ପାଇଲେ ସଞ୍ଜୀବ

ସମାଜରୁ ସତେ ଯେମିତି ମଣିଷ ପଣିଆ ଏକପ୍ରକାର ମରିଯାଇଛି । କିନ୍ତୁ ଏଭଳି କଥାକୁ ଭୁଲ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ଯୁବକ । ସବୁଠାରେ ନହେଲେ ବି କେଉଁଠି ନା କେଉଁଠି ମଣିଷ ପଣିଆ ବଞ୍ଚି ରହିଛି ତାହା ଜଣେ ଯୁବକଙ୍କ ଠାରେ ଦେଖିବାକୁ ମିଳିଛି ।

ଆଜିର ସ୍ୱାର୍ଥପର ସମାଜରେ ମଣିଷ ଅର୍ଥ ପାଇଁ ଅନ୍ଧ ହୋଇଯାଇଛି । ତେଣୁ ମାନବିକତାକୁ ଭୁଲି ଅଣନିଶ୍ୱାସୀ ହୋଇ ଅର୍ଥ ପଛରେ ଧାଇଁ ଚାଲିଛି । ସବୁଠି ଚାଲିଛି ଖାଲି ଲାଭ କ୍ଷତିର ହିସାବ । ଦୟା, କ୍ଷମା ଓ ସାହାଯ୍ୟ ସହାନୁଭୂତି ଠାରୁ ଦୂରେଇ ଯାଇ ମଣିଷ ଦିନକୁ ଦିନ ଯେମିତି ପଶୁ ପାଲଟି ଯାଇଛି । ସମାଜରୁ ସତେ ଯେମିତି ମଣିଷ ପଣିଆ ଏକପ୍ରକାର ମରିଯାଇଛି । କିନ୍ତୁ ଏଭଳି କଥାକୁ ଭୁଲ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ଯୁବକ । ସବୁଠାରେ ନହେଲେ ବି କେଉଁଠି ନା କେଉଁଠି ମଣିଷ ପଣିଆ ବଞ୍ଚି ରହିଛି ତାହା ଜଣେ ଯୁବକଙ୍କ ଠାରେ ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଜାଣିବା କିଏ ଏହି ଯୁବକ ।

ସୂଚନା ଅନୁସାରେ ୨୦୨୩ ମସିହା ନଭେମ୍ବର ୧୯ ତାରିଖ ସକାଳ ପ୍ରାୟ ୬.୪୫ ମିନିଟରେ ଘଟିଥିଲା ଏକ ବଡ଼ ଦୁର୍ଘଟଣା । ସାଇକେଲ ଯୋଗେ ଘରକୁ ଫେରୁଥିବା ସମୟରେ ଅବସରପ୍ରାପ୍ତ କର୍ଣ୍ଣେଲ ଡା. ସଞ୍ଜୀବ କୁମାର ଜେନାଙ୍କୁ ଏକ ଲରୀ ଧକ୍କା ଦେଇଥିଲା । ଅଚେତ ହୋଇପଡ଼ିଥିଲେ କର୍ଣ୍ଣେଲ ସଞ୍ଜୀବ ଜେନା । କ୍ଷତ ସ୍ଥାନରୁ ଧାର ଧାର ହୋଇ ରକ୍ତ ଝରି ପଡୁଥିଲା । କିଛି ଦୂରରେ ପଡି ରହିଥିଲା ତାଙ୍କ ସାଇକେଲ । ଦୁର୍ଘଟଣା ଶବ୍ଦ ଶୁଣି ଅନେକ ଲୋକ ରୁଣ୍ଡ ହୋଇଥିଲେ ସତ କିନ୍ତୁ ଆଇନ କାନୁନରେ ଛନ୍ଦି ହୋଇଯିବା ଭୟରେ କେହି ତାଙ୍କୁ ସାହାଯ୍ୟର ହାତ ବଢାଇ ନଥିଲେ। କିନ୍ତୁ ସେଠାରୁ ପ୍ରାୟ ୩୫୦ ମିଟର ଦୂରରେ ସେଲୁନରେ ବସିଥିବା ଜଣେ ଯୁବକ ହଠାତ୍ ଦେବଦୂତ ସାଜି ପହଞ୍ଚିଥିଲେ ସଞ୍ଜୀବଙ୍କ ପାଖରେ ଏବଂ ସାହାଯ୍ୟର ହାତ ବଢ଼ାଇଥିଲେ ।

କର୍ଣ୍ଣେଲଙ୍କ ଅବସ୍ଥା ଦେଖି ଆମ୍ବୁଲାନ୍ସର ବ୍ୟବସ୍ଥା କରିବାକୁ ଚେଷ୍ଟା କରି ବିଫଳ ହେବା ପରେ କୌଣସି ପ୍ରକାରେ ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଥିଲେ । କିଛି ଅଜଣା ଲୋକଙ୍କ ସହଯୋଗରେ ନିଜ ମୋଟରସାଇକେଲରେ ତାଙ୍କୁ ଉଠାଇ ନେଇ ୬ କିଲୋମିଟର ଦୂରରେ ଥିବା ସାକ୍ଷୀଗୋପାଳସ୍ଥିତ ପ୍ରାଥମିକ ସ୍ୱସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କର ଚିକିତ୍ସା କରିଥିଲେ । ଏ଼ହି ସମୟ ମଧ୍ୟରେ ଯୁବକ ଜଣଙ୍କ କର୍ଣ୍ଣେଲଙ୍କ ପରିବାର ସହିତ ଯୋଗାଯୋଗ ବି କରିଥିଲେ। କର୍ଣ୍ଣେଲଙ୍କ ପରିବାର ଲୋକ ସେଠାରେ ପହଞ୍ଚି ପରବର୍ତ୍ତୀ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରସ୍ଥିତ ଉତ୍କଳ ହସ୍ପିଟାଲକୁ ନେଇ ଆସିଥିଲେ । କର୍ଣ୍ଣେଲ ଦୁର୍ଘଟଣା ସମୟରେ ବି ଯୁବକଙ୍କ ଚେହେରାକୁ ଭୁଲି ନଥିଲେ ।

ତେଣୁ ସାଧାରଣତନ୍ତ୍ର ଦିବସର କାର୍ଯ୍ୟ ଶେଷ ହେବା ପରେ ସେହି ଯୁବକଙ୍କୁ ସାକ୍ଷାତ୍ କରିବା ପାଇଁ କର୍ଣ୍ଣେଲ ତାଙ୍କ ପରିବାର ସହ ଉକ୍ତ ଯୁବକଙ୍କ ଘରକୁ ଯାଇଥିଲେ । ଭୁବନେଶ୍ୱରର ପୁରୀ ରୋଡରେ ଥିବା ସତସଙ୍ଗ କେନ୍ଦ୍ର ନିକଟରେ ଯୁବକଙ୍କ ଘର । ଯୁବକଙ୍କ ନାଁ ହେଉଛି ନୃସିଂହ ଦେବ ସାହୁ । ବୁଢ଼ା ବାପା-ମା’ଙ୍କ ସହିତ ଏକ ଛୋଟ ଭଡାଘରେ ରହୁଛନ୍ତି । ନୃସିଂହ ପ୍ରାଥମିକ ଶ୍ରେଣୀର କିଛି ପିଲାଙ୍କୁ ପାଠ ପଢାଇ ରୋଜଗାର କରି ପରିବାରକୁ କିଛି ସାହାଯ୍ୟ କରନ୍ତି । ତାଙ୍କ ବାପା ରାସ୍ତା କଡରେ ଦହିବରା ଆଳୁଦମ୍ ବିକ୍ରି କରନ୍ତି । ସମୟ ପାଇଲେ ନିଜେ ନୃସିଂହ ବି ବାପାଙ୍କ କାର୍ଯ୍ୟରେ ସାହାଯ୍ୟ କରନ୍ତି । ଅଭାବ ଅନାଟନର ଏଇ ଦୁର୍ବିସହ ଜୀବରେ ବି ସେ ମଣିଷ ପଣିଆକୁ ହଜେଇ ନାହାନ୍ତି । ତାଙ୍କ ମାନବିକତା ଆଗରେ କର୍ଣ୍ଣେଲ ସଞ୍ଜୀବ ହାର୍‌ ମାନି ଯାଇଛନ୍ତି । ନୃସିଂହଙ୍କ ସାହାଯ୍ୟ ପାଇଁ କର୍ଣ୍ଣେଲ ସଞ୍ଜୀବ ନୂଆ ଜୀବନ ପାଇଲେ । ଯଦି ନୃସିଂହଙ୍କ ଭଳି ସମସ୍ତଙ୍କ ମନରେ ସାହାଯ୍ୟ କରିବାର ମନୋଭାବ ଆସିବ, ତେବେ ମଣିଷ ପଣିଆ ବଞ୍ଚି ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.