ଏଣ୍ଟି ଏଜିଂ ଚିକିତ୍ସାରେ ବୈଜ୍ଞାନିକଙ୍କ ବଡ଼ ସଫଳତା : ଆଉ ବୁଢ଼ା ହେବେନି ମଣିଷ

ବିଜ୍ଞାନ ବଳରେ ମନୁଷ୍ୟ ଚନ୍ଦ୍ର ପୃଷ୍ଠରେ ବି ପାଦ ଥାପିଲାଣି । ପୃଥିବୀ ବାହାରେ ଅନ୍ୟ ଗ୍ରହରେ ବସବାସ ପାଇଁ ବି ଚିନ୍ତା କଲାଣି । ହେଲେ ମୃତ୍ୟୁକୁ ଜୟ କରିବାର ଆଶାରେ ବିଫଳ ହୋଇଛି ବିଜ୍ଞାନ । ତଥାପି ବୈଜ୍ଞାନିକମାନଙ୍କ ପ୍ରଚେଷ୍ଟା ଜାରି ରହିଛି । ଏବେ ବୈଜ୍ଞାନିକମାନେ ବୟସ ବୃଦ୍ଧିକୁ ରୋକିବାର ଚିକିତ୍ସାରେ ସଫଳତା ପାଇଛନ୍ତି ବୋଲି ଦାବି କରିଛନ୍ତି । ଯାହାଫଳରେ ବୟସ ବଢ଼ିବା ବା ବୁଢ଼ା ହେବା ପ୍ରକ୍ରିୟାକୁ ରୋକାଯାଇପାରିବ । ଯଦି ଏପରି ହୁଏ ମଣିଷ ଆଉ ବୁଢ଼ା ହେବ ନାହିଁ । ଚିର କୁମାର ରହିବ ମଣିଷ ।

ବୟସ ବୃଦ୍ଧି ଭଳି ଏକ ସ୍ୱାଭାବିକ ପ୍ରକ୍ରିୟାକୁ ବୈଜ୍ଞାନିକମାନେ ରୋକି ଦେବେ । ହୁଏତ ଏମିତି ଦିନ ଆସିବ ମୃତ୍ୟୁକୁ ରୋକିବାରେ ବି ବୈଜ୍ଞାନିକମାନେ ସଫଳ ହୋଇପାରନ୍ତି । ସେ ଯାହାହେଉ ମୃତ୍ୟୁକୁ ରୋକନ୍ତୁ ବା ନ ରୋକନ୍ତୁ ତେବେ ମଣିଷର ବୟସ ବୃଦ୍ଧିକୁ ରୋକିବା ବୈଜ୍ଞାନିକମାନଙ୍କର ଏକ ବଡ଼ ସଫଳତା ହେବା କହିବା ଅତ୍ୟୁକ୍ତି ହେବ ନାହିଁ ।

ANTI AGING

ନିକଟରେ ବୟସ ବୃଦ୍ଧିକୁ ରୋକିବା ପାଇଁ ତେଲ୍‌ ଆଭିଭ୍‌ ୟୁନିଭରସିଟି ଓ ସମିର ମେଡିକାଲ ସେଣ୍ଟରର ବୈଜ୍ଞାନିକମାନେ ଗବେଷଣା ଜାରି ରଖିଥିଲେ । ଯେଉଁଥିରେ ସେମାନେ ସଫଳତା ପାଇଛନ୍ତି ବୋଲି ପ୍ରକାଶ କରିଛନ୍ତି । ବୈଜ୍ଞାନିକମାନଙ୍କର ଏହି ପ୍ରୋଜେକ୍ଟ ରିପୋର୍ଟ ନଭେମ୍ବର ୧୮ ତାରିଖରେ ‘ଏଜିଂ ମାଗାଜିନ୍‌ରେ ପ୍ରକାଶ ପାଇଛି । ବୈଜ୍ଞାନିକମାନେ ସେଲ୍‌(କୋଷ) କୁ ଉଚ୍ଚ ଚାପର(ହାଇପ୍ରେସର ଅକ୍ସିଜେନ୍‌ ଚାମ୍ବର) ଅମ୍ଳଜାନ ଚାମ୍ବର ଦେଇ ପ୍ରବାହିତ କରିଥିଲେ ।

ଏଥିରୁ ଦେଖିବାକୁ ପାଇଥିଲେ ଯେ ଟେଲୋମରସ୍‌ ( କ୍ରୋମଜମ୍‌ରେ ଥିବା କ୍ୟାପ୍‌ ଭଳି ଷ୍ଟ୍ରକ୍‌ଚର) ଗଠନରେ ହ୍ରାସ ଦେଖାଯାଇଥିଲା । ଏଥିସହିତ ଶରୀରରେ ପୂରଣା ଅଦରକାରୀ ସେଲ୍‌ (କୋଷ) କୁ ସଂଚୟ କରିଥିଲା । ତେଲ୍‌ ଆଭିଭ୍‌ ୟୁନିଭରସିଟିର ପ୍ରଫେସର ସାଇ ଇଫ୍ରାତି ଏହି ହାଇପରବିକ୍‌ ଅକ୍ସିଜେନ୍‌ ଟ୍ରିଟ୍‌ମେଣ୍ଟ(HBTO) ମାଧ୍ୟମରେ ପୂରୁଣା (ବୟସ୍କ) ସେଲ୍‌କୁ ସ୍ୱାସ୍ଥ୍ୟବାନ୍‌ (ୟଙ୍ଗ୍‌) କରିବାରେ ସଫଳତା ପାଇଥିବା ପ୍ରକାଶ କରିଛନ୍ତି । ଏହି ଗବେଷଣା ୬୪ ବର୍ଷ ବୟସ୍କ ୩୫ ଜଣ ବ୍ୟକ୍ତି ଙ୍କ ଉପରେ କରାଯାଇଥିଲା ।

anti-aging

ଏହି ବ୍ୟକ୍ତିମାନଙ୍କୁ ଦିନକୁ ୯୦ ମିନିଟ୍‌ସ ଯାଏ , ସପ୍ତାହକୁ ୫ ଥର ଲେଖାଏଁ ୩ ମାସ ଯାଏ HBTO ଟ୍ରିଟ୍‌ମେଣ୍ଟ ଦିଆଯାଇଥିଲା । ୩ ମାସ ପରେ ଏହି ବ୍ୟକ୍ତିମାନଙ୍କ ଶରୀରର ସେଲୁଲାର ଏଜ୍‌ (କୋଷର ବୟସ) ୨୫ ବର୍ଷ ପୂର୍ବ ଭଳି ଦେଖାଯାଇଥିଲା । କେବଳ ସେତିକି ନୁହେଁ ଇମ୍ୟୁନି ସେଲ୍‌ ରେ ଥିବା ଡିଏନ୍‌ଏ ର ବୟସ ମଧ୍ୟ ବୃଦ୍ଧି ପାଇବା ସଂଗେ ସଂଗେ ଟେ ଲୋମରସ୍‌ ବୟସ ୩୮ ପ୍ରତିଶତ ହ୍ରାସ ପାଇଥିଲା । ଯାହାକି ମନୁଷ୍ୟର ବୟସ ବୃଦ୍ଧିରେ ସହାୟକ ହୋଇଥାଏ ।

ବୈଜ୍ଞାନିକମାନେ ବୟସ ବୃଦ୍ଧି ପାଇଁ ଦାୟୀ ଏହି ଟେଲୋମରସ ର ବୟସକୁ ହ୍ରାସ କରିବା ଦ୍ୱାରା ବୟସ ବୃଦ୍ଧିକୁ ରୋକି ପାରିବେ । ଯାହା ଫଳରେ ମଣିଷକୁ ସଦା କୁମାର ରଖାଯାଇପାରିବ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ଯଦି ଏହା ସଫଳ ହୁଏ ମାନବ ସମାଜ ପାଇଁ ଏହା ଏକ ବଡ଼ ବରଦାନ ହେବ । ଫଳରେ ମଣିଷ ଆଉ ବୁଢ଼ା ହେବନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.