ନିଜ ବ୍ରେନ୍‌ ସର୍ଜରୀ ପାଇଁ ଲେମ୍ବୁ ପାଣି ବିକି ପଇସା ଜମା କରୁଛନ୍ତି ୭ ବର୍ଷର ଏହି ବାଳିକା, ପରିବାର ବୋଝ କମ୍‌ କରିବାକୁ ପ୍ରୟାସ

କୁହାଯାଏ, ସମସ୍ୟା କେବେ କାହାକୁ ଜଣାଇ ଆସେ ନାହିଁ। ଏହା କୌଣସି ବି ସମୟରେ ହଠାତ୍‌ କଳା ବାଦଲ ଭଳି ମାଡ଼ି ଆସିଥାଏ। କିଛି ଲୋକ ଅଛନ୍ତି, ଯେଉଁମାନେ ଏହି ସମସ୍ୟା ଆଗରେ ହାର୍‌ ମାନି ନିଅନ୍ତି, ହେଲେ କିଛି ଲୋକ ଏମିତି ବି ଅଛନ୍ତି, ଯେଉଁମାନେ ନିର୍ଭୟରେ ଏହାକୁ ସାମ୍ନା କରିବାକୁ ଦମ୍ଭ ରଖିଥାଆନ୍ତି। ଏବେ ଏମିତି କିଛି କରି ଦେଖାଇଛନ୍ତି ଜଣେ ୭ ବର୍ଷର ବାଳିକା। ଜଣାପଡ଼ିଛି ଯେ ଆମେରିକାର ଏହି ଝିଅ ନିଜର ଚିକିତ୍ସା ପାଇଁ ଲେମ୍ବୁ ପାଣି ବିକ୍ରି କରୁଛି। ଝିଅର ନାଁ ଲିଜା ସ୍କଟ୍‌।

ଲିଜାଙ୍କର କିଛି ଦିନ ପରେ ବ୍ରେନ୍‌ ସର୍ଜରୀ ହେବାର ଅଛି। ସେ ଏଥିପାଇଁ ନିଜେ ହିଁ ପଇସା ଯୋଗାଡ଼ କରିବାରେ ଲାଗି ପଡ଼ିଛନ୍ତି, ଯେପରି ପରିବାର ଉପରେ ପଡ଼ିଥିବା ବୋଝକୁ ସେ ହାଲୁକା କରିପାରିବେ। ଲିଜା ପଇସା ଜୁଟାଇବା ପାଇଁ ମା’ ଏଲିଜାବେଥ୍‌ଙ୍କ ବେକରୀରେ ହିଁ କାମ କରୁଛନ୍ତି। ଏଠାରେ ସେ ଲେମ୍ବୁ ପାଣି ଷ୍ଟଲ ଖୋଲିଛନ୍ତି। ତାଙ୍କ ପାଖକୁ ଯିଏ ବି ଆସୁଛନ୍ତି, ଲିଜା ସେମାନଙ୍କୁ ନିଜ ପାଇଁ ସହାୟତା ଦାବି କରୁଛନ୍ତି। ତେବେ ତାଙ୍କ ମା’ କହିଛନ୍ତି, ଲିଜାଙ୍କ ମସ୍ତିଷ୍କରେ ୩ଟି ଜାଗାରେ ସମସ୍ୟା ରହିଛି। ଏହି କାରଣରୁ ତାଙ୍କ ମସ୍ତିଷ୍କର ଡାହାଣ ଭାଗ ଦୁର୍ବଳ ହୋଇଯାଇଛି।

ଲିଜାଙ୍କ କାହାଣୀ ଅନେକ ଲୋକଙ୍କୁ ଭାବୁକ କରି ଦେଇଛି। କିଛି ଲୋକ ଦୁଃଖ ବ୍ୟକ୍ତ କହିଛନ୍ତି ଯେ ବ୍ରେନ୍‌ ସର୍ଜରୀର ସାମ୍ନା କରିବାକୁ ଥିବା ଝିଅକୁ ନିଜ ଚିକିତ୍ସା ପାଇଁ ପଇସା ଜମା କରିବାର ଆବଶ୍ୟକତା ଅନୁଭବ ହୋଇଛି। ତେବେ ଆଲୋଚକମାନଙ୍କ କହିବା ହେଲା, ଆମେରିକୀୟ ସ୍ୱାସ୍ଥ୍ୟ ପ୍ରଣାଳୀରେ ଖରାପ ସ୍ଥିତି ଏବଂ ପରିବାରର କମ୍‌ ଆୟ ଯୋଗୁ ଲିଜା ଲେମ୍ବୁ ପାଣି ବିକ୍ରି କରିବା ପାଇଁ ବାଧ୍ୟ ହୋଇଛନ୍ତି।

ଲିଜାଙ୍କ ମା’ କହିଛନ୍ତି, ୧ ମାସ ପୂର୍ବରୁ ଲିଜାଙ୍କୁ ଏତେ ଥର ଷ୍ଟ୍ରୋକ୍‌ ଆସିଥିଲା କି, ସେ ବେହୋଶ୍‌ ହୋଇପଡ଼ିଥିଲେ। ଡାକ୍ତରଙ୍କ ପାଖକୁ ନେବା ପରେ ବ୍ରେନ୍‌ରେ କୌଣସି ପ୍ରକାର ଗମ୍ଭୀର ସମସ୍ୟା ଥିବା ଜଣାପଡ଼ିଥିଲା। ଏ ସବୁ କଠିନ ପରିସ୍ଥିତି ଭିତରେ ବି ଲିଜା ଧୌର୍ଯ୍ୟ ହରାଇ ନାହାନ୍ତି।