ଶରୀର ଗୋଟିଏ କିନ୍ତୁ ମୁଣ୍ଡ ଦୁଇଟି, ଜାଣନ୍ତୁ କେମିତି ବଞ୍ଚିଛନ୍ତି ଦୁଇ ଭଉଣୀ ଏବି ଓ ବ୍ରିଟ୍‌ନୀ

ଭଗବାନଙ୍କ ସୃଷ୍ଟି ବି ବଡ଼ ବିଚିତ୍ର। ଈଶ୍ୱର କାହାକୁ କେମିତି କରି ଗଢ଼ିଛନ୍ତି, ତାହା କେବଳ ସେ ହିଁ ଜାଣନ୍ତି। କେଉଁ ମଣିଷକୁ ଗୋଡ଼ା କରିଛନ୍ତି ତ ଆଉ କାହାକୁ ଡେଙ୍ଗା। ସେଭଳି ଆଉ କାହାର ଶରୀର ଗୋଟିଏ ତ ମୁଣ୍ଡ ଦୁଇଟି। ପୃଥିବୀ ଏମିତି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କର ଗଠନ ଅନ୍ୟ ଲୋକଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ, ଯାହା ଗହଳି ଭିତରେ ବି ବାରି ହୋଇପଡ଼େ। ସେଭଳି ଦୁଇ ଭଉଣୀ ହେଉଛନ୍ତି ଏବି ଓ ବ୍ରିଟ୍‌ନୀ।

ଗତ ୩୦ ବର୍ଷ ଧରି ଏହି ଦୁଇ ଭଉଣୀ ପରସ୍ପର ସହ ଯୋଡ଼ି ହୋଇ ରହିଛନ୍ତି। ଏମାନଙ୍କ ମୁଣ୍ଡ ଦୁଇଟି ଅଲଗା ହୋଇଥିବା ବେଳେ ଶରୀର କିନ୍ତୁ ଗୋଟିଏ। କେବଳ ଏତିକି ନୁହେଁ, ଏମାନଙ୍କ ପାଖରେ ଦୁଇଟି ସ୍ପାଇନ୍‌, ହାର୍ଟ, ପେଟ, ତିନିଟି କିଡ୍‌ନୀ, ୨ଟି ଗଲ ବ୍ଲାଡର୍ସ, ୪ ଲଙ୍ଗ୍‌ସ, ୧ ଲିଭର, ୧ ସର୍କୁଲେଟରୀ ସିଷ୍ଟମ୍‌ ରହିଛି। ଦୁଇ ଜଣ ଯାକ ଭଉଣୀ ସ୍ନାତକ ପାସ୍‌ କରି ଏବେ ଚାକିରି ବି କରୁଛନ୍ତି।

twins

ଏହି ଦୁଇ ଭଉଣୀଙ୍କର ଯେଉଁ ଭଳି ଅବସ୍ଥା, ସେଥିରେ ସାଧାରଣତଃ ଜଣେ ବଞ୍ଚିବା କଷ୍ଟକର। କିନ୍ତୁ ଏବେ ବି ଏହି ଦୁଇ ଜଣ ସାଧାରଣ ଭାବେ ଜୀବନଯାପନ କରୁଛନ୍ତି। ସେମାନେ କହିଛନ୍ତି, କେହି ଯେଭଳି ତାଙ୍କୁ ଭିନ୍ନ ନଜରରେ ନ ଦେଖିବେ, ସେଥିପାଇଁ ସେମାନେ ଅନ୍ୟମାନଙ୍କ ଭଳି ଚଳପ୍ରଚଳ ଓ କାମ ଦାମ କରିଥାନ୍ତି।

୭ ମାର୍ଚ୍ଚ, ୧୯୯୦ରେ ଆମେରିକାର ମିନେସୋଟୋରେ ଏବି ଓ ବ୍ରିଟ୍‌ନୀଙ୍କ ଜନ୍ମ। ତାଙ୍କ ମା’ବାପା ପେଟି ଓ ମାଇକ୍‌ଙ୍କୁ ପିଲା ଜନ୍ମ ପୂର୍ବରୁ ଆଦୌ ଜଣାନଥିଲା ଯେ ସେମାନଙ୍କ ସନ୍ତାନ ଏଭଳି ହେବେ। ଅଲ୍‌ଟ୍ରାସାଉଣ୍ଡ ବେଳେ ମଧ୍ୟ କିଛି ଜଣାପଡ଼ିନଥିଲା। ମାତ୍ର ଜନ୍ମ ପରେ ଶିଶୁଙ୍କ ଶରୀର ଗୋଟିଏ ହୋଇଥିବା ବେଳେ ମୁଣ୍ଡ ଅଲଗା ଥିବା ଦେଖିବାକୁ ମିଳିଥିଲା। ତେବେ ବଡ଼ ହେବା ପରେ ସେମାନେ ସ୍ୱାଭାବିକ୍‌ ଭାବେ ବଞ୍ଚିବା ଆରମ୍ଭ କରିଥିଲେ। ବିଶ୍ୱବିଦ୍ୟାଳୟରେ ମଧ୍ୟ ଅଲଗା ଅଲଗା ଡିଗ୍ରୀ ହାସଲ କରିଛନ୍ତି।

twins2

ଜନ୍ମ ବେଳେ ଏମାନଙ୍କ ୫ଟି ଅଙ୍ଗ ପରସ୍ପର ସହ ଯୋଡ଼ି ହୋଇଥିଲା। ତାଙ୍କ ମୁଣ୍ଡ ଦୁଇଟି ମଧ୍ୟରେ ଅତିରିକ୍ତ ହାତ ବଢ଼ୁଥିଲା। କିନ୍ତୁ ପିଲା ବେଳେ ହିଁ ଉକ୍ତ ହାତକୁ ଅପରେସନ୍‌ କରି ଅଲଗା କରିଦିଆଯାଇଥିଲା। ତେବେ ଅପରେସନ୍‌ କରି ଅଲଗା କଲେ କାଳେ କାହାର ମୃତ୍ୟୁ ହେବ କିମ୍ବା ମାନସିକ ବିକାରଗ୍ରସ୍ତ ହେବେ, ସେହି ଭୟରେ ତାଙ୍କୁ ଅଲଗା କରିବାକୁ ମଧ୍ୟ ବାପା-ମା’ ଚେଷ୍ଟା କରିନଥିଲେ। ତେବେ ବର୍ତ୍ତମାନ ଉଭୟେ ଡ୍ରାଇଭିଂ ଲାଇସେନ୍ସ ଲାଭ କରିଛନ୍ତି ଓ ନିଜ କାମ ନିଜେ କରିପାରୁଥିବା କହିଛନ୍ତି। ସେମାନେ ଏକ ରିଆଲିଟି ଶୋ’ ମଧ୍ୟ କରୁଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.