ଦିନେ ଖାଇବାକୁ ପାଉନଥିଲେ ଏବେ କିନ୍ତୁ ଅନେକଙ୍କ ପାଇଁ ସାଜିଛନ୍ତି ଅନ୍ନଦାତା
ମହିଳା ଯେ ଆଉ କୌଣସି ଗୁଣରେ ପୁରୁଷଙ୍କ ଠାରୁ କମ ନୁହନ୍ତି ତାହା ଅନେକ କ୍ଷେତ୍ରରେ ପ୍ରମାଣିତ ହୋଇସାରିଲାଣି । ହାଣ୍ଡିଶାଳ ଠାରୁ ଆରମ୍ଭ କରି ଦେଶର ସୀମା ପର୍ଯ୍ୟନ୍ତ ସବୁଠି ଏବେ ମହିଳାଙ୍କ ପତିଆରା ଜାହିର ହେଲାଣି । ମହିଳାଙ୍କ ଦାୟିତ୍ୱ ଯେ କେବଳ ଘରର ଚାରି କାନ୍ଥ ଭିତରେ ସୀମିତ ଅଛି ସେ ଚିନ୍ତାଧାରା ଆଉ ନାହିଁ। କିନ୍ତୁ କେବଳ ଏହାହିଁ ତଫାତ ଅଛି ଯେ କିଛି ଜଣ ବାଲ୍ୟ କାଳରୁ ସ୍ଥିର କରିଥାନ୍ତି ଯେ ସେମାନେ କଣ କରିବେ ଆଉ କିଛି ଜଣଙ୍କୁ ପରିବେଶ ଓ ପରିସ୍ଥିତି ହିଁ ବାଧ୍ୟ କରିଥାଏ ନିଜ ଭାଗ୍ୟ ଓ ଭବିଷ୍ୟତକୁ ସୁଧାରିବା ପାଇଁ । ନିଜର ଅକ୍ଲାନ୍ତ ପରିଶ୍ରମ ଓ ଅସାଧାରଣ କର୍ମ ଦ୍ୱାରା ସେମାନେ ଅନ୍ୟ ମାନଙ୍କ ପାଇଁ ଆଜି ପ୍ରେରଣା ପାଲଟି ଥାନ୍ତି । ଏମିତି ଏକ ପ୍ରେରଣା ଉତ୍ସ ପାଲଟିଛନ୍ତି ଉତ୍ତରାଖଣ୍ଡ ରାଜ୍ୟର ଡେରାଡୁନ ସ୍ଥିତ ଫତେପୁର ଗ୍ରାମର ଶ୍ୟାମା ଚୌହାନ ନାମ୍ନୀ ଜଣେ ମହିଳା । ତାଙ୍କ ଜୀବନୀକୁ ଯଦି ଆମେ ଟିକେ ତର୍ଜମା କରିବା ତେବେ ନିଶ୍ଚିତରେ ଜାଣିପାରିବା ଯେ ତାଙ୍କ ଜୀବନୀ ସମାଜ ପାଇଁ କୌଣସି ପ୍ରେରଣାଠୁ କମ ନୁହେଁ ।
ପ୍ରଥମେ ଶ୍ୟାମାଙ୍କ ପରିବାରର ଅବସ୍ଥା କିନ୍ତୁ ଏତେ ଖରାପ ନଥିଲା । ତାଙ୍କ ସ୍ୱାମୀଙ୍କର ନିଜର ଏକ ବ୍ୟବସାୟ ମଧ୍ୟ ଥିଲା । ପାଞ୍ଚ ଜଣ ର ପରିବାର ବେଶ ସୁରୁଖୁରୁରେ ଗୁଜୁରାଣ ମେଣ୍ଟାଇପାରୁଥିଲେ। କିନ୍ତୁ ଜଣେ ନିକଟ ସମ୍ପର୍କୀୟ ତାଙ୍କୁ ଧୋକା ଦେଇ ତାଙ୍କ ପୈତୃକ ଘର ଟିକୁ ବିକି ଦେଇଥିଲେ । ପରେ ସ୍ୱାମୀଙ୍କ ବ୍ୟବସାୟ ରେ ମଧ୍ୟ କ୍ଷତି ହୋଇଥିଲା । ତାପର ଠୁ ହିଁ ତାଙ୍କ ପରିବାରର ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଥିଲା । ଏମିତିକି ଦିନକୁ ଦୁଇବେଳା ଦୁଇମୁଠା ଖାଇବାକୁ ମଧ୍ୟ ନଥିଲା। ଆର୍ଥିକ ପରିସ୍ଥିତି ଖରାପ ଯୋଗୁଁ ତାଙ୍କ ବଡ ଝିଅର ପାଠ ପଢାକୁ ମଧ୍ୟ ଅଧାରୁ ବନ୍ଦ କରାଯାଇଥିଲା।
କିନ୍ତୁ ପରେ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ଗୁଡିକୁ ଦୃଢତାର ସହ ସାମ୍ନା କରି ଶ୍ୟାମା ନିଜର ତଥା ନିଜ ପରିବାରର ଆର୍ଥିକ ପରିସ୍ଥିତିକୁ ସୁଧାରି ଥିଲେ। ତାଙ୍କ ଅଂଚଳରେ ବହୁମାନେ ଓଢଣା ତଳେ ରହିବାର କଟକଣା ଥିବାବେଳେ ଶ୍ୟାମା ସାହସର ପାଦ ଆଗକୁ ବଢାଇଥିଲେ । ନିଜ ପରିବାରର ବିପତ୍ତିକୁ ସୁଧାରି ପାରିଥିଲେ । ଖାଲି ସେତିକି ନୁହେଁ ନିଜ ଅଂଚଳର ୧୦୦ ମହିଳାଙ୍କୁ ରୋଜଗାର କ୍ଷମ କରିପାରିଛନ୍ତି ।
ଏହାସହ ପଢନ୍ତୁ:
ଦୁନିଆର ଏକମାତ୍ର ଓକିଲ, ଯିଏକି ସଂସ୍କୃତ ଭାଷାରେ ଲଢ଼ୁଛନ୍ତି କେସ୍
କେମିତି ଆରମ୍ଭ କରିଥିଲେ ସଂଗଠନ:
ଶ୍ୟାମା ୨୦୧୨ ମସିହା ମାର୍ଚ୍ଚ ମାସରେ ହିଁ ପ୍ରଥମେ ‘ଜାଗୃତି ସ୍ୱୟଂ ସହାୟକ ଗୋଷ୍ଠୀ’ ନାମକ ଏକ ସଂସ୍ଥା ଗଠନ କରିଥିଲେ ।କିନ୍ତୁ ପରିବାରର ଖରାପ ଅବସ୍ଥା କାରଣରୁ ତାଙ୍କୁ ମାତ୍ର ୨ ମାସ ପରେ ହିଁ ସଂଗଠନ ଟିକୁ ବନ୍ଦ କରିବାକୁ ପଡିଥିଲା । କିନ୍ତୁ କିଛି ଦିନ ପରେ ଶ୍ୟାମା ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲେ ।ସେଠାକାର ଅଧିକାରୀ ମାନେ ତାଙ୍କୁ ‘ରାଷ୍ଟ୍ରୀୟ ଗ୍ରାମୀଣ ଅଜୀଵିକା ମିଶନ’ ସମ୍ପର୍କରେ ବୁଝାଇଥିଲେ । ଖାଲି ସେତିକି ନୁହେଁ ସଂଗଠନ ଟିକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପରିବର୍ତ୍ତେ ନୂଆ ଭାବେ ଆରମ୍ଭ କରିବାର ପରାମର୍ଶ ମଧ୍ୟ ଦେଇଥିଲେ । ଏହା ପରେ ଶ୍ୟାମା ଗ୍ରାମୀଣ ସ୍ୱରୋଜଗାର ପ୍ରଶିକ୍ଷଣ ସଂସ୍ଥାକୁ ଯାଇ ବିଭିନ୍ନ ବିଭିନ୍ନ ପ୍ରକାର ହାତ ତିଆରି ଜିନିଷ ଯେପରିକି ଝୋଟର ବ୍ୟାଗ ଓ ଫାଇଲ ଫୋଲଡର ତିଆରି କରିବାର ପ୍ରଶିକ୍ଷଣ ନେଇଥିଲେ । ପରେ ମାତ୍ର ୬ ଜଣ ମହିଳାଙ୍କୁ ନେଇ ଏକ ସଂଗଠନ ଗଠନ କରି କାମ ଆରମ୍ଭ କରିଦେଇଥିଲେ । ଏଥିପାଇଁ ତାଙ୍କୁ ବ୍ୟାଙ୍କରୁ ୨୫ ୦୦୦ ଟଙ୍କା ଋଣ ଆକାରରେ ନେବାକୁ ପଡିଥିଲା ।ଧୀରେ ଧୀରେ ଆଖପାଖ ର ମହିଳା ସଙ୍ଗଠନରେ ଯୋଗ ଦେବା ଆରମ୍ଭ କରିଥିଲେ ।
ବ୍ୟବସାୟ କ୍ରମଶଃ ଦିନ କୁ ଦିନ ବଢିବାକୁ ଲାଗିଲା। ଖାଲି ଝୋଟର ବ୍ୟାଗ ଓ ଫାଇଲ ଫୋଲ୍ଡର ନୁହେଁ ଏମାନେ ପ୍ଲାଷ୍ଟିକ ବିହୀନ ବ୍ୟାଗ, ଟେକ ହୋମ କମ୍ପାନୀର ବିଭିନ୍ନ ସାମଗ୍ରୀ , ଆଚାର, ପାମ୍ପଡ, ଆଲୋଏଭେରା ଜେଲ ଆଦି ମଧ୍ୟ ଜିନିଷ ପ୍ରସ୍ତୁତ କରୁଛନ୍ତି । ଏବେ ତାଙ୍କ କାରବାର ମାସକୁ ପ୍ରାୟ ୧୫ଲକ୍ଷ ଟଙ୍କାରେ ପହଂଚିଲାଣି ।
୧୦୦ ଜଣରୁ ଅଧିକ ମହିଳାଙ୍କୁ ଯୋଗାଇଛନ୍ତି ରୋଜଗାର:
ବର୍ତ୍ତମାନ ‘ମହିଳା ଜାଗୃତି ସଂଗଠନ’ରେ ଆଖ ପାଖର ଫତେପୁର, ଜସେବାଲା, ବୁଦ୍ଧୀ, ସେରପୁର, ଧକରଣୀ ଆଦି ଗାଁରୁ ପ୍ରାୟ ୧୦୦ ରୁ ଅଧିକ ମହିଳା ଯୋଗ ଦେଛନ୍ତି। ନିଜ ନିଜ ର କାର୍ଯ୍ୟ ତଥା ସାମର୍ଥ୍ୟ ଅନୁଯାୟୀ ଏମାନେ ମାସକୁ ପ୍ରାୟ ୫ ହଜାର ରୁ ଆରମ୍ଭ କରି ୧୫ ହଜାର ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି ।
‘ଗୁଲାବ ଗ୍ୟାଙ୍ଗ’ ସିନେମାରୁ ପାଇଥିଲେ ପ୍ରେରଣା :
ଶ୍ୟାମାଙ୍କ କହିବା ଅନୁଯାୟୀ ମାଧୁରୀ ଦୀକ୍ଷିତ ଅଭିନୀତ ‘ଗୁଲାବ ଗ୍ୟାଙ୍ଗ’ ସିନେମାରୁ ସେ ବହୁ ପ୍ରେରଣା ପାଇଥିଲେ । ‘ଗୁଲାବ ଗ୍ୟାଙ୍ଗ’ ସଦୃଶ ସେ ନିଜ ସଂଗଠନକୁ ଅଧିକ ରୁ ଅଧିକ ଦୃଢ କରିବାକୁ ଚାହାନ୍ତି। ତେଣୁ ସେ ସବୁବେଳେ ନିଜର ସଦସ୍ୟ ମାନଙ୍କୁ ଶାରୀରିକ,
ମାନସିକ, ସାମାଜିକ କ୍ଷେତ୍ର ରେ ନିଜକୁ ସଶକ୍ତ କରିବାର ପରାମର୍ଶ ଦେଇଥାନ୍ତି। ମୁଖ୍ୟତ ସେହି କାରଣରୁ ହିଁ ସଂଗଠନର ମହିଳା ମାନେ ସବୁବେଳେ ଗୋଲାପୀ ରଙ୍ଗର ଡ୍ରେସ ପିନ୍ଧିଥାନ୍ତି ।
ଶିକ୍ଷାକୁ ଗୁରୁତ୍ୱ:
ଶ୍ୟାମା ନିଜ ପିଲା ମାନଙ୍କୁ ଉଚ୍ଚ ଶିକ୍ଷିତ କରିବାରେ କେବେ ପଛେଇ ନାହାନ୍ତି। ପରିବାରର ଆର୍ଥିକ ପରିସ୍ଥିତି କାରଣରୁ ଅଧାରୁ ପାଠ ଛାଡିଥିବା ତାଙ୍କ ବଡ ଝିଅ ହୋଟେଲ ମେନେଜମେଣ୍ଟ ରେ କୋର୍ସ ଶେଷକରି ଚଣ୍ଡୀଗଡ଼ରେ କାର୍ଯ୍ୟରତ । ସାନ ଝିଅ ଶିଖା ଏମବିଏ କରୁଥିବା ବେଳେ ପୁଅ ଆୟୁଷ ଆଇନ ଶିକ୍ଷା ଗ୍ରହଣ କରୁଛନ୍ତି।ଶ୍ୟାମାଙ୍କ ପତି ତ୍ରିଲୋକ ପତ୍ନୀଙ୍କ ଗଠିତ ସଂଗଠନରେ ଜଣେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି ।
ଅନେକ ଦୂରକୁ ଯୋଗା ଯାଉଛି ଜିନିଷ:
ସଂଗଠନ ଦ୍ୱାରା ପ୍ରସ୍ତୁତ ଜିନିଷ ଗୁଡିକର ସେ ଅଂଚଳରେ ଏକ ବିଶେଷ ଚାହିଦା ରହିଛି । ଏଣୁ ସଂଗଠନରେ ପ୍ରସ୍ତୁତ ଜିନିଷ ଗୁଡିକୁ ଡେରାଡୁନ, ରୁଦ୍ର ପ୍ରୟୋଗ, ତିହାରୀ, ପେଡି ଆଦି ଜିଲ୍ଲାକୁ ପଠାଯାଉଛି। ଏନଆରଏଲଏମର ଜିଲ୍ଲା ପ୍ରବନ୍ଧକଙ୍କ କହିବା ଅନୁଯାୟୀ ଲୋକଙ୍କ ଚାହିଦା ମୁତାବକ ଜିନିଷ ତିଆରି କରିବା ସହ ବହୁ ମହିଳାଙ୍କୁ କର୍ମଜୀବି ମଧ୍ୟ କରି ପାରିଛି ।